ମହାନଦୀ ନଦୀତଟ ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ତିନି ବର୍ଷରେ ଖର୍ଚ୍ଚ ହେବ ୨୪୦ କୋଟି ଟଙ୍କା

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବହୁଆକାଂକ୍ଷିତ ମହାନଦୀ ନଦୀତଟ ବିକାଶ((Mahanadi River Front Development) ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି। ୨୦୨୫-୨୬ରୁ ୨୦୨୭-୨୮ ମଧ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେବ ଏବଂ ତିନି ବର୍ଷରେ ୨୪୦ କୋଟି ଟଙ୍କା ଖର୍ଚ୍ଚ ହେବ। ଜଳ ସମ୍ପଦ ବିକାଶ ବିଭାଗ ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରୁ ଏହି ଅର୍ଥ ବ୍ୟବହାର କରିବ।ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି, “ମହାନଦୀ ଓଡ଼ିଶାର ଜୀବନରେଖା । ଏହାର ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକୁ ପରିବେଶ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରାଯିବ । ଏହା ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ବଡ଼ ଯୋଗଦାନ ଦେବ।”

ଯୋଜନାରେ ଦୁଇଟି ପର୍ଯ୍ୟାୟରେ ନଦୀତଟର ବିକାଶ ହେବ । ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁରର ମାଣ୍ଡାଲିଆରୁ ଚୌନପୁର ପର୍ଯ୍ୟନ୍ତ । ପାର୍କିଂ, ଜଗିଙ୍ଗ୍ ପାର୍କ, ସେଲ୍ଫି ପଏଣ୍ଟ, ପାର୍କ, ଖୋଲା ଜିମ୍, ଘାଟ ଉନ୍ନତି, ସ୍ନାନ ଘାଟ, ଆରତୀ ଘାଟ, ଥିମ୍ ପ୍ଲାଜା, ସପିଂ କମ୍ପ୍ଲେକ୍ସ, ଶୌଚାଳୟ ଆଦିର ବିକାଶ କରାଯିବ । ଏଥିପାଇଁ ୧୬୦ କୋଟି ଟଙ୍କା ଖର୍ଚ୍ଚ ହେବ ।ଦ୍ୱିତୀୟ ପର୍ଯ୍ୟାୟରେ ଭୁବନେଶ୍ୱର ପାଣ୍ଡରା ନିକଟ କୂଆଖାଇ ଓ କୁଶଭଦ୍ରା ନଦୀରେ ହେବ । ସୁରକ୍ଷା କାର୍ଯ୍ୟ, ଘାଟ ବିକାଶ, ରିଙ୍ଗ୍ ରୋଡ୍, ଭ୍ୟୁ ପଏଣ୍ଟ, ସେତୁ, ପାର୍କିଂ, କାଫେଟେରିଆ, ଶୌଚାଳୟ, ନଦୀପଥ ସହ ଆଭ୍ୟନ୍ତରୀଣ ପାଦଚାଳନା ରାସ୍ତା ନିର୍ମାଣ ହେବ । ଏଥିପାଇଁ ୮୦ କୋଟି ଟଙ୍କା ବିନିଯୋଗ କରାଯିବ ।