ମହାପ୍ରଭୂ ଶ୍ରୀ ଜଗନ୍ନାଥ ଙ୍କ ସୂନା ବେଶ ର ପାରମ୍ପରିକ ମହତ୍ୱ |

ରଥ ଉପରେ ଚତୁର୍ଦ୍ଧା ମୂରତି ସୁନା ବେଶ ରେ ସୁସଜ୍ଜିତ ।ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ବେଶମଧ୍ୟରେ ସୁନାବେଶ ଅତ୍ୟନ୍ତ ଉପଭୋଗ୍ୟ ତଥା ଆକର୍ଷଣୀୟ ,ମହାପ୍ରଭୁଙ୍କ ସକଳ ବେଶ ରେ ମାଧୁର୍ଯ୍ୟ ଲାବଣ୍ୟ ପ୍ରକଟିତ ହେଉଥିବା ସ୍ଥଳେ କେବଳ ସୁନା ବେଶରେ ଐଶ୍ୱର୍ଯ୍ୟ ପ୍ରାବଲ୍ୟ ପରିସ୍ଫୁଟ ହୋଇଥାଏ. ଶ୍ରୀମନ୍ଦିରସ୍ଥ ରତ୍ନ ସିଂହାସନ ଉପରେ ଶ୍ରୀବିଗ୍ରହମାନେ ଚାରୋଟି ଅନ୍ୟ ତିଥିରେ ( କାର୍ତ୍ତିକ ପୂର୍ଣ୍ଣମୀ, କୁମାର ପୂର୍ଣ୍ଣମୀ, ଦୋଳ ପୂର୍ଣ୍ଣମୀ, ଦଶହରା( ବିଜୟା ଦଶମୀ) ) ପ୍ରଭୃତି ଦିବସ ମାନଙ୍କରେ ମଧ୍ୟ ରାଜବେଶ, ରାଜ ରାଜେଶ୍ୱର ଇତ୍ୟାଦି ସୁନାବେଶରେ ସଜ୍ଜିତ ହେଉଥିଲେ ହେଁ ଶ୍ରୀଗୁଣ୍ଡିଚା ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ଅର୍ଥାତ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ସିଂହଦ୍ୱାରଠାରେ ଦଣ୍ଡାୟମାନ ଥିବା ତ୍ରିରଥ ଉପରେ ଆକର୍ଷଣୀୟ ସୁନାବେଶ ହୋଇ ଲକ୍ଷ ଲକ୍ଷ ଭକ୍ତଙ୍କ ସମ୍ମୁଖରେ ଦର୍ଶନ ଦେଇଥାନ୍ତି.

ପୌରାଣିକ ତଥ୍ୟ ଅନୁଯାୟୀ ଓଡ଼ିଆ ଜାତିର ପରମାରାଧ୍ୟ ଶ୍ରୀଗଜନ୍ନାଥଙ୍କୁ ରାଷ୍ଟ୍ର ଦେବତାରୂପେ ସ୍ୱକାର କରି ଏ ରାଜ୍ୟର ରାଜା ମହାରାଜାମାନେ ସ୍ୱଂୟ ରାଉତ ବା ଆଦେଶ ବାହକ ରୂପେ ମହାପ୍ରଭୂଙ୍କ ସେବା ନିର୍ବାହ କରିଥିବାର ପ୍ରମାଣ ଶିଳାଲେଖରୁ ମିଳୁଅଛି.

ତୃତୀୟ ଅନଙ୍ଗ ଭୀମ ଦେବ ( ୧୨୧୧-୧୨୩୮) ଶ୍ରୀଜଗନ୍ନାଥଙ୍କୁ ଉକ୍ରଳର ପ୍ରକୃତ ରାଜା ଓ ନିଜକୁ ତାଙ୍କର ଜନୈକ ଅକିଞ୍ଚନ ସେବକ ଭାବେ ସର୍ବପ୍ରଥମେ ଘୋଷଣା କରିଥିଲେ. ପରେ ତାଙ୍କ ପୁତ୍ର ଲାଙ୍ଗୁଳା ନରସିଂହ ଦେବ ( ୧୨୩୮-୧୨୬୪) ମଧ୍ୟ ନିଜକୁ ପୁରୁଷୋତ୍ତମ ପୁତ୍ର ଭାବେ ଅବିହିତ କରିଥିଲେ. ଭାନୁଦେବ ତୃତୀୟ ( ୧୩୦୮-୧୩୨୮) ଶ୍ରୀଜଗନ୍ନାଥଙ୍କୁ ରାଜାଧିରାଜ ରୂପେ ସ୍ୱୀକାର କରି ମହାପ୍ରଭୁଙ୍କ ନାମରେ ଅଙ୍କ ଗଣନା ଆରମ୍ଭ କରିଥିଲେ. ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବ ( ୧୪-୩୫-୧୪୬୬) ଶ୍ରୀଜଗନ୍ନାଥଙ୍କୁ ଜାତୀୟ ଦେବତାରୂପେ ପ୍ରଚାରିତ କରି ନିଜକୁ ତାଙ୍କର ସେବକ ସ୍ପୀକାର କରିଥିଲେ. ଏପରିକି ଅନଙ୍ଗଭୀନ ଦେବ ଓ ପୁରୁଷୋତ୍ତମ ଦେବ ଜଗନ୍ନାଥଙ୍କୁ ଓଡ଼ିଶାର ରାଜା ରୂପେ ମାନ୍ୟତା ପ୍ରଦାନ ପୂର୍ବକ ଉଭୟ ଦୁଇବର୍ଷ ଧରି ଅଭିଷେକ ହୋଇନଥିଲେ.

କେତେକ ଗବେଷକଙ୍କ ମତରେ ରଥ ଉପରେ ଠାକୁରମାନଙ୍କ ଏହି ବେଶର ନାମ ବଡ଼ ତଢା଼ଉ ବେଶ. ବଡ଼ତଢାଉ ବେଶ ମତରେ କପିଳେନ୍ଦ୍ର ଦେବ ୧୪୬୦ରେ ଦକ୍ଷିଣ ବିଜୟରୁ ଫେରିବା ବେଳେ ୧୬ଟି ହାତୀ ପିଠିରେ ବୋଝେଇ ସୁନାଅଳଙ୍କାର ଆଣିଥିଲେ. ଏହାକୁ ମହାପ୍ରଭୁଙ୍କୁ ସମର୍ପଣ କରିଥିବା ନେଇ ଜୟବିଜୟ ଦ୍ଵାରସ୍ଥିତ ଶିଳାଲେଖରେ ସୂଚନା ରହିଛି. ଅଳଙ୍କାର ସମ୍ପର୍କରେ ରାଜା ବଡ଼ତଢାଉଙ୍କ ପରାମର୍ଶ ନେଇଥିଲେ. ରତ୍ନବେଦିରେ ମହାପ୍ରଭୁଙ୍କ ବିଭିନ୍ନ ବେଶକୁ ସବୁବର୍ଗରେ ଭକ୍ତ ଦର୍ଶନ କରି ପାରୁନାହାନ୍ତି ତେଣୁ ରଥ ଉପରେ ସବୁବର୍ଗର ଦର୍ଶନ ପାଇଁ ମହାପ୍ରଭୁଙ୍କ ସୁନାବେଶ କରେଇବାକୁ ବଡ଼ତଢାଉ ରାଜାଙ୍କୁ ବିନତି କରିଥିଲେ. ବଡ଼ ତଢ଼ାଉଙ୍କ ଶ୍ରଦ୍ଧା ଓ ଅନୁରୋଧକ୍ରମେ କପିଳେନ୍ଦ୍ର ଦେବ ବଡ଼ ତଢ଼ାଉ ନାମକ ଏକ ପ୍ରକାର କଣ୍ଠମାଳା ସମେତ ଶ୍ରୀଭୁଜ, ଶ୍ରୀପୟର, ରତ୍ନ ପଦକ, ରତ୍ନ କିରୀଟ, କାନଫୁଲ, ମର୍କତ ମୁକୁଟ, ପଦ ପଲ୍ଲବ, ମୁଦି, କଣ୍ଠିମାଳ, ମର୍କତ କାଉଁଳି, ବଳା, ବାହୁଟି, କାନ୍ତି ଜରକବର, କଟି ମେଖଳା, ପ୍ରଭୃତି ୧୩୮ ପ୍ରକାରର ରତ୍ନ ଖଞ୍ଜିତ ସ୍ୱର୍ଣ୍ଣାଳଙ୍କାର କରି ପ୍ରଥମ ରଥ ଉପରେ ମହାପ୍ରଭୁମାନଙ୍କ ଲାଗି ସୁନାବେଶ କରାଇଥିଲେ

ଦକ୍ଷିଣାଭିମୁଖୀ ଯାତ୍ରାରେ ତିନି ରଥ ସିଂହଦ୍ଵାରରେ ପହଞ୍ଚିବା ପରେ ବଡ଼ ଏକାଦଶୀ ଦିନ ରଥ ଉପରେ ସୁନାବେଶ କରିବାକୁ ରାଜା ଅନୁମତି ଦେଇଥିଲେ. ଅଦ୍ୟାବଧି ଏହି ପରମ୍ପରା ଅନୁଯାୟୀ ରଥ ଉପରେ ଠାକୁରମାନଙ୍କ ସୁନାବେଶ ଅନୁଷ୍ଠିତ ହୋଇ ଆସୁଛି. ବଡ଼ ତଢ଼ାଉଙ୍କ ଅଳିକୁ ସମ୍ମାନ ଦେଇ ସେହି ଦିନଠାରୁ ଏହି ସୁନାବେଶ ବଡ଼ ତଢ଼ାଉ ବେଶ ନାମରେ ନାମିତ ହୋଇଛି.

ଶ୍ରୀଜିଉଙ୍କ ଲାଗି ହେଉଥିବା ସ୍ୱର୍ଣ୍ଣ ଅଳଙ୍କାରରେ:

ବଡ଼ଠାକୁର ଶ୍ରୀବଳଦେବଜୀଉ:
ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣି, କୁଣ୍ଡଳ, ଚନ୍ଦ୍ର ସୂର୍ଯ୍ୟ, ଆଡକାନି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ହଳ ଓ ମୂଷକ( ଆୟୁଧ), ବାହାଡ଼ାମାଳି, ବାଘନଖ ମାଳି, ସେବତିମାଳି, ତ୍ରିଖଣ୍ଡିକା କମରପଟି.

ଦେବୀ ସୁଭଦ୍ରା:
କିରୀଟ, ଓଡ଼ିଆଣି, କାନ, ଚନ୍ଦ୍ର ସୂର୍ଯ୍ୟ, କଦମ୍ବ ମାଳି, ତଗଡ଼ି ୨ଟି, ସେବତି ମାଳି, ଘାଗଡ଼ା ମାଳି.

ମହାପ୍ରଭୁ ଶ୍ରୀଜଗନ୍ନାଥ:
କିରୀଟ, ଓଡ଼ିଆଣି, ଶ୍ରୀପୟର, ଶ୍ରୀଭୁଜ, ଚନ୍ଦ୍ର ସୂର୍ଯ୍ୟ, ଆଡକାନି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଝୋବାକଣ୍ଠି, ସ୍ୱର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ ( ଆୟୁଧ), ହରିଡ଼ା, ତାବିଜମାଳି, ବାହାଡ଼ାମାଳି, ତ୍ରିଖଣ୍ଡିକା, ସେବତିମାଳି, ତ୍ରିଖଣ୍ଡିକା କମରପଟି ଇତ୍ୟାଦି ।।

ଓମ୍ ଶାନ୍ତି
ଜୟ ଜଗନ୍ନାଥ
ପ୍ରଶାନ୍ତ କୁମାର……..