ମହିଳାଙ୍କୁ ଘୋଷାଡି ଘୋଷାଡି ମାଡ଼, ବଦଳିଲେ ଜଣେ ଏଏସଆଇ ସମେତ ୩ଜଣ ପୋଲିସ କର୍ମଚାରୀ ।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ସମ୍ମୁଖରେ ମହିଳାଙ୍କୁ ଘୋଷାଡି ଘୋଷାଡି ମାଡ଼ ମାରିବା ଘଟଣାରେ ଭଦ୍ରକ ପୋଲିସ ହେଡକ୍ୱାଟର୍ସକୁ ତିନି ପୋଲିସ କର୍ମଚାରୀଙ୍କୁ ବଦଳି କରାଯାଇଛି । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ନିଲମ୍ବନ ପାଇଁ ଚାନ୍ଦବାଲି ବାସୀ ଦାବି କରିଛନ୍ତି ।ଜଣେ ଏଏସ୍ଆଇ, ଜଣେ କନେଷ୍ଟବଳ ଓ ଜଣେ ହୋମଗାର୍ଡଙ୍କୁ ବଦଳି କରାଯାଇଛି। ପୋଲିସ ମୁଖ୍ୟାଳୟକୁ ବଦଳି ନିର୍ଦ୍ଦେଶ ଦେଇଛନ୍ତି ଏସପି। ଗତ ୨୫ ତାରିଖରେ ଥାନା ପରିସରରେ ପୋଲିସ ବାବୁ ଜଣେ ନାବାଳିକା ଓ ଦୁଇ ମହିଳାଙ୍କୁ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରୁଥିବା ଦେଖିବାକୁ ମିଳିଥିଲା।ମହିଳା ପୋଲିସ କର୍ମଚାରୀଙ୍କ ବଦଳରେ ପୁରୁଷ ପୋଲିସ କର୍ମଚାରୀ ଘୋଷାଡି ଘୋଷାଡି ନେଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ପରେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି ।

ଏହି ଘଟଣାରେ ଚାନ୍ଦବାଲି ଥାନାରେ ଦୁଇଟି ଅଭିଯୋଗ ହୋଇଛି । ଦଳିତ ମହିଳା ଜଣଙ୍କ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିବା ବେଳେ ଅପରପକ୍ଷରେ କନେଷ୍ଟବଳଙ୍କୁ ଇଟା ପଥର ଏବଂ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ଘଟଣାରେ ଥାନାରେ ମାମଲା ରୁଜୁ ହୋଇଛି । ଏହି ସଂକ୍ରାନ୍ତରେ ଭଦ୍ରକ ଜିଲ୍ଲା ଏସ୍‌ପିଙ୍କ ନିର୍ଦ୍ଦେଶରେ ବଦଳିଲେ ସୀମିତ ରହିଛି । ତେବେ ମହିଳାଙ୍କ ପ୍ରତି ଏମିତି ଘଟଣା ଭିଡିଓ ଦେଖିବା ପରେ କଠୋରରୁ କଠୋର ଦଣ୍ଡ ଦେବା ପାଇଁ ଚାନ୍ଦବାଲିବାସୀ ଦାବି କରିଛନ୍ତି । ଏ ସମ୍ପର୍କରେ ଚାନ୍ଦବାଲି ଏସଡିପିଓ କହିଛନ୍ତି, ଭଦ୍ରକ ହେଡକ୍ୱାଟର୍ସକୁ ପ୍ରାଥମିକ ବଦଳି ପରେ ତଦନ୍ତ କରାଯାଇ ପୁନଶ୍ଚ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।