ମାଆ ତାରିଣୀ ଠାକୁରାଣୀ ଙ୍କ ମାହାତ୍ମ୍ଯ ।।

ଓଡ଼ିଶାର ଏକ ପ୍ରମୁଖ ଶକ୍ତି ପୀଠ ଏହି ଘଟଗାଁ ମା ତାରିଣୀ ପୀଠ।ମା’ଙ୍କ ମୂର୍ତ୍ତିର ଆବିର୍ଭାବ ସମ୍ବନ୍ଧିତ କିମ୍ବଦନ୍ତୀ ଅନୁଯାୟୀ ତ୍ରେତୟା ଯୁଗରେ ବିଷ୍ଣୁଙ୍କ ଅବତାର ଶ୍ରୀରାମଚନ୍ଦ୍ର ମା ସୀତାଙ୍କୁ ଉଦ୍ଧାର କରିବା ପାଇଁ ମା ଦୁର୍ଗତି ନାଶିନୀ ଦୁର୍ଗା ଙ୍କୁ ଆରାଧନା କରିଥିଲେ। କଥିତ ଅଛି ଯେ ଶୂନ୍ୟ ବାଣୀ ହେଲା ଶ୍ରୀରାମଚନ୍ଦ୍ର ଆଖି ନଖୋଲିବା ପାଇଁ। ପ୍ରଭୁ ରାମଚନ୍ଦ୍ର ଙ୍କ ପୂଜାରେ ମା ଆବିର୍ଭୁତ ହୋଇଥିଲେ। ଏହା ଅନୁଭବ କରି ଶ୍ରୀରାମଚନ୍ଦ୍ର ତାଙ୍କ ପଦ ସ୍ପର୍ଶ କରି ଅଜାଣତରେ ତାଙ୍କ ଆଖି ଖୋଲି ଯିବାରୁ ମା ଦୁର୍ଗାଙ୍କ ‌ରୂପ ମାଆ ତାରିଣୀ ଙ୍କ ରୂପରେ ପରିବର୍ତ୍ତିତ ହୋଇ ଯାଇଥିଲା। ଏକଥା ମଧ୍ୟ କୁହାଯାଏ ଯେ ମା ଦୁର୍ଗାଙ୍କ ତିନି ସ୍ଵରୁପ ଦୁର୍ଗା, ବିଜୁଳି କନ୍ୟା ଓ ତାରିଣୀ।
କେନ୍ଦୁଝର ଜିଲ୍ଲାର ଘଟଗାଁରେ ଥିବା ମା ତାରିଣୀ ଙ୍କ ମନ୍ଦିର ୧୪୮୦ ମସିହାରେ ତତ୍କାଳୀନ କେନ୍ଦୁଝର ରାଜା ଗୋବିନ୍ଦ ଭଞ୍ଜଦେଓଙ୍କ ସମୟରେ ନିର୍ମିତ ହେଇଥିଲା। ପୁରୀ ଗଜପତି ମହାରାଜାଙ୍କ ସମ୍ମତିରେ ଗୋବିନ୍ଦ ଭଞ୍ଜଦେଓଙ୍କ ଦ୍ଵାରା ଏହି ମନ୍ଦିର ନିର୍ମାଣ କରାଯାଇଥିଲା।

ଏହି ମନ୍ଦିର ସହିତ ଓଡ଼ିଶାର ଗଜପତି ମହାରାଜାଙ୍କ ସ୍ଵାଭିମାନର କାଞ୍ଚି ଅଭିଯାନ, ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କ ଯୁଦ୍ଧରେ ଯୋଗଦାନ ଓ କାଞ୍ଚି ରାଜାଙ୍କ ପରାଜୟ ସମ୍ପର୍କିତ।
କାଞ୍ଚି ରାଜଜେମା ପଦ୍ମାବତୀଙ୍କୁ ପୁରୀ ଗଜପତି ମହାରାଜା ପୁରୁଷୋତ୍ତମ ଦେବ ବିବାହ କରିବାକୁ ଚାହୁଁଥିଲେ କିନ୍ତୁ ଗଜପତି ମହାରାଜାଙ୍କୁ ଛେରାପହଁରା ସମୟରେ ଦେଖି କାଞ୍ଚି ରାଜା ଏଥିପାଇଁ ତାଙ୍କ କନ୍ୟାକୁ ଗଜପତି ମହାରାଜାଙ୍କ ସହ ବିବାହ ଦେବାକୁ ମନାକରି କଟୁ ମନ୍ତବ୍ୟ ଦେବାରୁ ଯୁଦ୍ଧର ସୁତ୍ରପାତ ହେଲା। ପ୍ରଥମ କାଞ୍ଚି ଅଭିଯାନ ରେ ଗଜପତି ବିଫଳ ହୋଇ ମହାପ୍ରଭୁଙ୍କ ଶରଣାପନ୍ନ ହେଲେ। ଶ୍ରୀଜଗନ୍ନାଥ ଙ୍କ ଠାରୁ ସ୍ଵପ୍ନରେ ଆଦେଶ ମିଳିଲା ଯେ ସ୍ଵୟଂ ଜଗନ୍ନାଥ, ବଳଭଦ୍ର ଦୁଇଭାଇ ଯୁଦ୍ଧରେ ଯୋଗଦାନ କରିବେ। ରାତ୍ରି ପାହିବା ମାତ୍ରେ ପୁରୀ ବଡ଼ଦାଣ୍ଡର ଯାହା ଚାଳ ଉପରେ ଧଣ୍ଡାମାଳ ପଡିଥିବ,ସେ ହିଁ ହେବ ସେନାପତି।

ପ୍ରତ୍ୟୁଷରୁ ଗଜପତି ମହାରାଜା ନିଜେ ଏହି ଦୃଶ୍ୟ ଦେଖିବାକୁ ବାହାରିଲେ।ଦେଖିଲେ,ରାଜ ନଅରର ଅନତିଦୂରରେ ଅବସ୍ଥିତ ଗୋଟିଏ ଘର ଚାଳ ଉପରେ ଧଣ୍ଡାମାଳ ପଡ଼ିଛି।ଘରର ମାଲିକଙ୍କୁ ଡାକିବାକୁ ପ୍ରହରୀ କୁ ନିର୍ଦ୍ଦେଶ ଦେଇ ଗଜପତି ରାଜନଅରକୁ ବିଜେ କଲେ। ପ୍ରହରୀ ଧଣ୍ଡାମାଳ ପଡ଼ିଥିବା ଘରର କବାଟରେ ଠକ୍ ଠକ୍ କରନ୍ତେ, ବାହାରି ଆସିଲେ ସୁନ୍ଦର ସ୍ଵାସ୍ଥ୍ୟ ସମ୍ପନ୍ନ କେନ୍ଦୁଝର ରାଜକୁମାର ଗୋବିନ୍ଦ ଭଞ୍ଜ। ପିତାଙ୍କ ସହ ମନୋମାଳିନ୍ଯ ପାଇଁ ମହାଶକ୍ତି ଙ୍କ ଭକ୍ତ ପୁରୀରେ ରହୁଥିଲେ।
ଗଜପତି ମହାରାଜାଙ୍କ ଆଦେଶରେ ସେ ଦରବାରକୁ ପ୍ରବେଶ କରି ସମ୍ବର୍ଦ୍ଧନା ଜଣାଇଲେ। ଗଜପତି ମହାରାଜାଙ୍କ ପ୍ରଶ୍ନରେ ନିଜର ପରିଚୟ ଦେବାରୁ ଗଜପତି ଅତ୍ୟନ୍ତ ଖୁସି ହୋଇଯାଇ ତାଙ୍କ ମୁଣ୍ଡରେ କାଞ୍ଚି ଅଭିଯାନ ପାଇଁ ପଗଡ଼ି ବାନ୍ଧି ଦେଲେ।
କାଞ୍ଚି ଅଭିଯାନ ରେ ଗଜପତି ମହାରାଜା ପୁରୁଷୋତ୍ତମ ଦେବଙ୍କ ନେତୃତ୍ବରେ ସେନାପତି ଗୋବିନ୍ଦ ଭଞ୍ଜ ସୈନ୍ୟ ସାମନ୍ତଙ୍କ ସହ କାଞ୍ଚି ରାଜ୍ୟରେ ପ୍ରବେଶ କଲେ। ଧାର୍ମିକ ଦୃଷ୍ଟିକୋଣରୁ ଏହି ଯୁଦ୍ଧ ପ୍ରକୃତରେ ଶ୍ରୀଜଗନ୍ନାଥଙ୍କ ନେତୃତ୍ବରେ ହୋଇଥିଲା। ଦୁଇଭାଇ କଳା ଧଳା ଘୋଡ଼ାରେ ମାଣିକ ଗଉଡୁଣୀ ଠାରୁ ଦହି ପିଇ ରତ୍ନ ମୁଦି ଦେଇ ଥିବା ଉପାଖ୍ୟାନ ଅତ୍ୟନ୍ତ ପ୍ରାଚୀନ।
ଗୋବିନ୍ଦ ଭଞ୍ଜଙ୍କ ଘୋଡ଼ା ବିଜୟନଗର ର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଆଗକୁ ଯିବାପାଇଁ ଅନିଚ୍ଛା ପ୍ରକାଶ କଲାଭଳି ବୋଧ ହେବାରୁ ସେ ତଳକୁ ଓହ୍ଲାଇ ଦେଖିଲେ ଅନତିଦୂରରେ ଦେବୀଙ୍କ ଆସ୍ଥାନ। ତତ୍ କ୍ଷଣାତ ସେ ଦେବୀ ତାରିଣୀ ଙ୍କ ଦର୍ଶନ କରି ଆଶୀଷ ଭିକ୍ଷା କଲେ।ତାଙ୍କୁ ବୋଧ ହେଲା ମା ତାରିଣୀ ଙ୍କ ସୁଭାଶିଷ ତାଙ୍କ ସହିତ ଅଛି।

କାଞ୍ଚି ରାଜାଙ୍କୁ ପରାସ୍ତ କରି ଗଣପତି, ମଦନମୋହନ, ରଘୁନାଥ ଜୀଉ ଓ ମା ତାରିଣୀ ଙ୍କ ସହ ପୁରୀ ପ୍ରତ୍ୟାବର୍ତ୍ତନ କଲେ।
ଓଡ଼ିଶାର ସର୍ବ ପୁରାତନ ଶ୍ରୀରାମ ମନ୍ଦିର କେନ୍ଦୁଝର ଜିଲ୍ଲାର ବୀରଗୋବିନ୍ଦପୁର ରେ ଅବସ୍ଥିତ ରଘୁନାଥ ଜୀଉ ମନ୍ଦିର। ଏହି ମନ୍ଦିର ଗୋବିନ୍ଦ ଭଞ୍ଜ ଙ୍କ ଦ୍ଵାରା ନିର୍ମିତ ହୋଇଥିଲା ଓ ସେ ପ୍ରତିଦିନ ଏଠାକୁ ଆସି ରଘୁନାଥ ଜୀଉଙ୍କୁ ଦର୍ଶନ କରୁଥିଲେ। ତାଙ୍କ ନାମରେ ସେହି ଗ୍ରାମର ନାମ ବୀରଗୋବିନ୍ଦପୁର ହୋଇଛି।

୧୪୮୦ ରେ କେନ୍ଦୁଝର ରାଜା ତ୍ରିଲୋଚନ ଭଞ୍ଜଙ୍କ ମୃତ୍ୟୁ ହେବାରୁ ଗଜପତି ମହାରାଜାଙ୍କ ଆଦେଶରେ ଗୋବିନ୍ଦ ଭଞ୍ଜ ରାଜା ହେଲେ। ରାଜକାର୍ଯ୍ୟରେ ବ୍ୟସ୍ତ ରହି ମା ତାରିଣୀ ଙ୍କୁ ପୁରୀରୁ କେନ୍ଦୁଝର ଆଣି ପାରିନଥିବାରୁ ଅତ୍ୟନ୍ତ ଦୁଃଖିତ ରହୁଥିଲେ। ମା ତାରିଣୀ ସନ୍ତାନ ର ଅନ୍ତରର ବ୍ୟଥା ଜାଣିଲେ।ଅଳ୍ପ ଦିନ ମଧ୍ୟରେ ଗଜପତି ମହାରାଜା ପୁରୁଷୋତ୍ତମ ଦେବଙ୍କ ଡାକରାରେ ଗୋବିନ୍ଦ ଭଞ୍ଜ ପୁରୀ ଗଲେ। ସେଠାରେ ଗଜପତି ତାଙ୍କୁ ସମ୍ବର୍ଦ୍ଧନା ସ୍ଵରୁପ “ଜୟ ଗୋବିନ୍ଦ ଭଞ୍ଜ ମହାରାଜ” ଉପାଧିରେ ଭୂଷିତ କରି ପୁରୀ ଅଧିନରେ ଥିବା ଆଠଗଡ଼ ଅଞ୍ଚଳ ଉପହାର ଦେଇଥିଲେ। ଏହି ଅଞ୍ଚଳ ଆନନ୍ଦପୁର ଉପଖଣ୍ଡ।ସେ ମା ତାରିଣୀ ଙ୍କୁ କେନ୍ଦୁଝର ନେବା ପାଇଁ ଇଛୁକ ବୋଲି ଗଜପତି ମହାରାଜାଙ୍କୁ ଜଣାଇଲେ। ଗଜପତି ମହାରାଜା ଓ ମହାରାଣୀ ତାଙ୍କୁ ପୁତ୍ର ଭଳି ସ୍ନେହ କରୁଥିଲେ। ଗଜପତି କହିଲେ ମା’ଙ୍କୁ ନେବା ସହଜ ନୁହେଁ।ସେ ତ ପାତାଳ ଭେଦୀ ପ୍ରତିମା। ଅତି ମନକଷ୍ଟରେ ମା’ଙ୍କୁ ଦର୍ଶନ କରି‌ ଗୋବିନ୍ଦ ଭଞ୍ଜ ମନକଥା ପ୍ରକାଶ କଲେ। ମା’ଙ୍କ ନିର୍ଦ୍ଦେଶ ହେଲା, ଗୋବିନ୍ଦ ଆଗେ ଆଗେ ଘୋଡାରେ ଯିବ। ତାଙ୍କ ପଛେ ପଛେ ଘୋଡାରେ ବସି ମା ତାରିଣୀ ଯିବେ। ଯେଉଁଠି ଗୋବିନ୍ଦ ପଛକୁ ଚାହିଁବ, ସେଠାରେ ମା ପଥର ମୂର୍ତ୍ତି ହୋଇଯିବେ। ଗୋବିନ୍ଦ ଭଞ୍ଜ ପଛରୁ ମା’ଙ୍କ ପଦ ନୁପୁର ଶବ୍ଦ ଶୁଣିଶୁଣି ଆଗକୁ ଚାଲିଲେ। କେନ୍ଦୁଝର ର ପ୍ରାକୃତିକ ବନରାଜି ମଧ୍ୟରେ ଅନେକ ସମୟ ଧରି ମା’ଙ୍କ ପାଦ ନୁପୁର ଶବ୍ଦ ଶୁଣା ନଯିବାରୁ ଗୋବିନ୍ଦ ଭଞ୍ଜ ପଛକୁ ଫେରି ଚାହିଁଲେ।ମା ସର୍ବଶକ୍ତିମୟୀ ତାରିଣୀ ନିଜ ଇଚ୍ଛାରେ ସେହି ପ୍ରାକୃତିକ ଶୋଭା ଭରା ଶାଳବଣ ମଧ୍ୟରେ ଅବସ୍ଥାନ କଲେ ଯାହା ଏବେ ଘଟଗାଁ ପୀଠ ସ୍ଥଳୀ ଭାବରେ ଜଣା।
ନବରତ୍ନେ ଗଢା ସେହି ଅମୃତ ପ୍ରତିମା ଭଳି ମା ତାରିଣୀ ଙ୍କ ମୂର୍ତ୍ତି।ଫଟୋରେ କିଛି ହାତ ଦେଖାଯାଉ ନଥିଲେ ମଧ୍ୟ ମା ଚତୁର୍ଭୁଜା।

ମନ୍ଦାର ମାଳିନୀ, ସିନ୍ଦୁର ଧାରିଣୀ, ସଂସାର ପାଳିନୀ, ମମତାମୟୀ ମା ତାରିଣୀ ଙ୍କର ଆଦ୍ୟ ପୂଜକ ହେଉଛନ୍ତି ବନବାସୀ ମାନେ।ସମୟ ସମୟରେ ପୂଜକ ଦେହୁରୀ ପରିବାରର କାହା ଘରେ ଜନ୍ମ ବା ମୃତ୍ୟୁ ହେଲେ ମା ତାରିଣୀ ଙ୍କ ପୂଜାର୍ଚ୍ଚନା ରେ ଅସୁବିଧା ହେଉଥିବାରୁ ଗୋବିନ୍ଦ ଭଞ୍ଜ ମା’ଙ୍କ ଶରଣାପନ୍ନ ହେଲେ।ମଙ୍ଗଳକାରିଣୀ ମା ତାରିଣୀ ଭକ୍ତର ନିବେଦନ ଗ୍ରହଣ କରି ସ୍ଵପ୍ନରେ ଆଦେଶ ଦେଲେ, “ଗୋଟିଏ ମାଟି ଘଟରେ ଗୋ ଘୃତ ପୂର୍ଣ୍ଣ କରି ମୋର ଆସ୍ଥାନ ନିକଟରେ ଅବସ୍ଥିତ କୁସୁମ ବୃକ୍ଷ ଡାଳରେ ଝୁଲାଇ ରଖିବୁ। ଦେହୁରୀ ପୂଜା ପରେ ପ୍ରତ୍ୟେକ ଦିନ ପୂଜା ପାଣିକୁ ନେଇ ସେହି ଘଟରେ ସିଞ୍ଚିବ।ପୂଜକ ଦେହୁରୀ ଅସୌଚ ସମୟରେ ସେହି ଘଟରୁ ଟିକିଏ ଘିଅ ପାତ୍ରରେ ନେଇ ପାନ କରିବ ଓ ଆଉ ଟିକେ ଘିଅରେ ଦୁବଘାସ ବୁଡାଇ ମୁଣ୍ଡରେ ସିଞ୍ଚିବ। ଏହାପରେ ସେ ଶୁଦ୍ଧପୂତ ଭାବେ ପୂଜା କରିପାରିବ।”
ଘିଅ ଘଟ ବନ୍ଧା ହେବା କାରଣରୁ ସ୍ଥାନର ନାମ ଘଟଗାଁ ହୋଇଛି।ମା ତାରିଣୀ ଙ୍କ ପ୍ରିୟ ଫଳ ନଡ଼ିଆ। ନଡିଆ ରାଣୀ ସେ ମାଆ ତାରିଣୀ ।।
“ଯୁଆଡେ ଯାଉଛୁ ଯା ଗାଡିବାଲା ନଡ଼ିଆ ମୋ ନେଇ ଯା ” ଭଳି ଅତ୍ୟନ୍ତ ଲୋକପ୍ରିୟ ଭକ୍ତି ସଙ୍ଗୀତ ରୁ ନଡିଆ ର ମହତ୍ତ୍ଵ ସହିତ ସମସ୍ତଙ୍କର ମା ତାରିଣୀ ଙ୍କ ପ୍ରତି ଭକ୍ତି ଓ ବିଶ୍ବାସ ପ୍ରମାଣିତ ହେଉଛି।ଫଳ ଓ ଅନ୍ନ ପ୍ରସାଦ ମାଆଙ୍କ ନିକଟରେ ଭୋଗ ହୋଇଥାଏ।

ଆଷାଢ଼ ମାସର ଶେଷ ଗୁରୁବାର ପାଳନ ହୁଏ ଏହି ପୀଠର ଶ୍ରେଷ୍ଠ ପର୍ବ ଆଷାଢୀ ପର୍ବ। ଦିନ ସାରା ମନ୍ଦିର ବନ୍ଦ ରହୁଥିବା ବେଳେ ସନ୍ଧ୍ୟାରେ ମା’ଙ୍କର ସୁନାବେଶ କରାଯାଇଥାଏ।୨୮ଟି ଗ୍ରାମ ମୁଖ୍ୟଙ୍କୁ ନିମନ୍ତ୍ରଣ କରି ଡକାଯାଇଥାଏ। ସେମାନେ ରାତିରେ ମାଆଙ୍କ ପୂଜାର୍ଚ୍ଚନା କରିବା ପରେ ଚାଷ କାର୍ଯ୍ୟ ଆରମ୍ଭ କରନ୍ତି।

ମା ତାରିଣୀ ଙ୍କ ପୀଠରେ ଚଇତି ପର୍ବ, ଚୈତ୍ର ପଣା ସଂକ୍ରାନ୍ତି ଠାରୁ ସାତଦିନ ଧରି ପାଳନ କରାଯାଏ। ମାଜଣା , ଷୋଡ଼ଶ ଉପଚାର,ମଙ୍ଗଳ ଆଳତି,ବଡ଼ ସିଂହାର ପରେ ସୁନାବେଶ କରାଯାଇଥାଏ।ରଜ ସଂକ୍ରାନ୍ତି ଓ ମକର ସଂକ୍ରାନ୍ତି ରେ ମଧ୍ୟ ମା’ଙ୍କ ସୁନାବେଶ ହୁଏ। ଏହା ବ୍ୟତୀତ ତାରିଣୀ ବ୍ରତ ଓ କାର୍ତ୍ତିକ ପୂର୍ଣ୍ଣିମା ଏଠାରେ ପ୍ରତିବର୍ଷ ପାଳିତ ହୁଏ।
ମା’ ମଙ୍ଗଳମୟୀ ଙ୍କ ବିଷୟରେ ଯେତେ ଲେଖିଲେ ସୁଦ୍ଧା ତାହା ସମ୍ପୁର୍ଣ୍ଣ ନୁହେଁ। ମା’ଙ୍କୁ କୋଟି କୋଟି ପ୍ରଣାମ ।।
ଲେଖକ:: ବାବାଜୀ ଚରଣ ଦାସ ।
ପଞ୍ଚସଖା ନଗର, ଭୁବନେଶ୍ବର।