ମାଟ୍ରିକ ପରୀକ୍ଷା ପାଇଁ ବୋର୍ଡର କଡା ଆଭିମୁଖ୍ୟ । ପ୍ରଥମ ଥର ପାଇଁ ସବୁ କେନ୍ଦ୍ରରେ ଲାଗିବ ସିସିଟିଭି
ଆସନ୍ତା ଫେବୃଆରୀ 19ରୁ ଆରମ୍ଭ ହେବାକୁ ଥିବା ୨୦୨୬ ମାଟ୍ରିକ ପରୀକ୍ଷାକୁ ଏଥର ଶୁଙ୍ଖଲିତ ଢଙ୍ଗରେ ପରିଚାଳନା କରିବାକୁ କଡା ଆଭିମୁଖ୍ୟ ଗ୍ରହଣ କରିଛି ବୋର୍ଡ । ଆସାଧୁ ଉପାୟ ଅଵଲମ୍ବନ ନକରନ୍ତି ସେଥିପାଇଁ ପ୍ରଥମ ଥର ପାଇଁ ରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା କରିବାକୁ କଡା ନିର୍ଦ୍ଦେଶ ଦେଇଛି ବୋର୍ଡ । ଯେଉଁ କେନ୍ଦ୍ରରେ ସିସିଟିଭି ନଥିବ ସେଠାରେ ବୋର୍ଡ ପକ୍ଷରୁ ସିସିଟିଭି ଲଗାଯିବ । । ଏହି ସମସ୍ତ କ୍ୟାମେରାର ଫିଡ୍ ବୋର୍ଡ଼ କାର୍ଯ୍ୟାଳୟ ସ୍ଥିତ କମାଣ୍ଡ କଣ୍ଟ୍ରୋଲ ରୁମ୍ରେ ମନିଟର କରାଯିବ । ପ୍ରତିଟି ପ୍ରଶ୍ନପତ୍ରର ପ୍ରତି ପୃଷ୍ଠାରେ ଦୁଇଟି ଲାଇନ୍ ୱାଟରମାର୍କ ରହିବ। ପୃଷ୍ଠାର ତଳୁ ଉପର ପର୍ଯ୍ୟନ୍ତ ଦୁଇଟି ଯାକ ଲାଇନ୍ ଥିବ । ଏହା ଦ୍ୱାରା କୌଣସି ପ୍ରଶ୍ନପତ୍ର ଫଟୋ ଉଠାଇ ଲିକ୍ ହେଲେ ତୁରନ୍ତ ଚିହ୍ନଟ ହୋଇଯିବ ଏବଂ ସେହି କେନ୍ଦ୍ର ଓ ସେଟ୍ ନମ୍ବର ଧରାପଡ଼ିବ।ଗତବର୍ଷ କେବଳ ଗୋଟିଏ ଲାଇନ ଏହି ୱାଟରମାର୍କ ବ୍ୟବସ୍ଥା ଥିଲା ।କେବଳ ସେତିକି ନୁହେଁ ବରଂ ବୋର୍ଡ କାର୍ଯ୍ୟାଳୟରୁ ନୋଡାଲ ସେଣ୍ଟରକୁ ଯାଉ ଥିବା ପ୍ରଶ୍ନ ପତ୍ର କଣ୍ଟେନରରେ GPS ଲଗାଯିବ । ସେହିପରି ପରୀକ୍ଷାକୁ ଆହୁରି ଶୃଙ୍ଖଳିତ କରିବାକୁ ପ୍ରତ୍ୟକ ଜିଲ୍ଲପାଳ ମାନଙ୍କୁ ଚିଠି ଲେଖାଯାଇଛି । ବିଶେଷକରି ଜଣେ ଏଡିଏମ୍ ଏବଂ ଜଣେ ଏଡିଓଙ୍କୁ ପରୀକ୍ଷା ପରିଚାଳନା ଦାୟିତ୍ୱ ଦେବାକୁ ଜିଲ୍ଲପାଳଙ୍କୁ ଚିଠି ଲେଖା ଯାଇଛି ।
