ମାର୍ଗଶୀର ମାସର ଅଧା ହେଲାଣି ତଥାପି ବେଲଗାମ ପରିବା ଦର

ପରିବା ଦର ଉପରେ ଆଉ ନିୟନ୍ତ୍ରଣ ନାହିଁ । ଆକାଶ ଛୁଆଁ ପରିବା ଦର । କାର୍ତ୍ତିକ ମାସରେ ଯେଉଁ ଦର ଥିଲା ଆଜି ବି ପ୍ରାୟ ସମାନ ଦର ।କ୍ରମାଗତ ଭାବରେ ପନିପରିବାର ଦର ବୃଦ୍ଧି ପାଇଁ ପାଣିପାଗକୁ ଦାୟୀ କରିଛନ୍ତି କଟକ ଛତ୍ରବଜାର ବ୍ୟବସାୟୀ । ଅଦିନିଆ ବର୍ଷା ଯୋଗୁଁ ଅନେକ ଫସଲ ନଷ୍ଟ ହୋଇଯାଇଛି । ସାଧାରଣତଃ ଏହି ସମୟରେ ଅନେକ ପରିବା ଅମଳ ହେବା କଥା । ବିଶେଷକରି ଲୋକାଲ ପରିବା ବଜାରକୁ ଆସିବା କଥା । ମାତ୍ର ତାହା ଆସି ପାରି ନାହିଁ । ଯେଉଁ କାରଣରୁ ରାଜ୍ୟରେ ଏବେ ପରିବା ଦର ଉଚ୍ଚ ରହିଛି । ବଜାରକୁ ଏବେ ଯେଉଁ କଞ୍ଚା ପରିବା ଆସୁଛି ତାହା ଏବେ ସାଧାରଣତଃ ପଶ୍ଚିମବଙ୍ଗ, ରାଞ୍ଚି, ବିହାର, ବାଙ୍ଗାଲୋରରୁ ଆସୁଛି । ସେଠାରେ ମଧ୍ୟ ଏବେ ପରିବା ଦର ଉଚ୍ଚା ରହୁଛି । ଏହି ସମୟରେ କାଙ୍କଡ଼ କିଲୋପ୍ରତି 30 ରୁ 40 ଟଙ୍କାରେ ବିକ୍ରୟ ହେବା କଥା ଆଉ ଏବେ ତାହା ଏବେ 80 ଟଙ୍କାରେ ବିକ୍ରୟ ହେଉଛି । ପୋଟଳ ବି 50 ଟଙ୍କାରେ ବିକ୍ରୟ ହେବା କଥା ଏବେ ତାହା 100 ରୁ 120 ଟଙ୍କାରେ ବିକ୍ରୟ ହେଉଛି । ବିନ୍ସ କିଲୋ 30 ରୁ 40 ଟଙ୍କାରେ ବିକ୍ରୟ ହେବା କଥା ବେଳେ ଏବେ ତାହା 80 ଟଙ୍କାରେ ବିକ୍ରୟ ହେଉଛି । ବିଲାତି ମଧ୍ୟ 25 ରୁ 30 ଟଙ୍କା ଦରରେ ବିକ୍ରି ହେବା କଥା ଏବେ ମାତ୍ର ଏହା 80 ଟଙ୍କାରେ ବିକ୍ରୟ ହେଉଛି । କଲରା 40ରେ ବିକ୍ରୟ ହେବା ପରିବର୍ତ୍ତେ ଏବେ 80 ଟଙ୍କାରେ ବିକ୍ରୟ ହେଉଛି । ଭେଣ୍ଡି କିଲୋ 40 ଟଙ୍କାରେ ବିକ୍ରି ହେଉଥିଲା ଏବେ ତାହା କିଲୋ ପ୍ରତି 80 ଟଙ୍କାରେ ବିକ୍ରି ହେଉଛି । ଜହ୍ନି 40 ଟଙ୍କାରୁ 70 ଟଙ୍କା ବୃଦ୍ଧି ପାଇଥିବା ବେଳେ କ୍ୟାପିସିକମ 100 ଟଙ୍କାରେ ବିକ୍ରି ହେଉଛି । ସଜନା ଛୁଇଁ କିଲୋ ପ୍ରତି 180 ରୁ 200 ଟଙ୍କା, ଅମୃତ ଭଣ୍ଡା 25 ଟଙ୍କାରୁ 30 ଟଙ୍କା, ବନ୍ଧା କୋବି 40 ଟଙ୍କାରୁ 50 ଟଙ୍କା, ଫୁଲକୋବି ଗୋଟା 60 ଟଙ୍କାରେ ବିକ୍ରି ହେଉଛି । ତେବେ ଦର ବୃଦ୍ଧିକୁ ନେଇ ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି ଖାଉଟି ।