ମା’ ଝଙ୍କଡ଼ ବାସିନୀ ଶାରଳା ଙ୍କ ମହାତ୍ମ୍ୟ ଓ ପୌରାଣିକ କଥା।

ଓଡ଼ିଶାର ସାତଟି ମୁଖ୍ୟ ଶକ୍ତିପୀଠ ମଧ୍ୟରୁ ଅନ୍ୟତମ କନକପୁର ଗ୍ରାମ ଝଙ୍କଡ଼ର କାବ୍ୟକଳା ଠାକୁରାଣୀ ମା’ ଶାରଳାଙ୍କ ମନ୍ଦିର। ସିଂହ ବାହିନୀ ମା ଶାରଳା ଏଠାରେ ମହାକାଳୀ, ମହାଲକ୍ଷ୍ମୀ ଓ ମହାସରସ୍ଵତୀ ରୂପେ ପୂଜା ପାଆନ୍ତି। ସତ୍ଵ,ରଜ ଓ ତମ ଗୁଣର ଅଧିକାରିଣୀ ମା ଶାରଳା। ବର୍ତ୍ତମାନର ଶାରଳା ମନ୍ଦିରର ଅନତିଦୂରରେ ଅବସ୍ଥିତ ତେନ୍ତୁଳିପଦା ଗ୍ରାମରେ ବିଲ-ଶାରଳା ନାମରେ ଆଉ ଏକ ଅଷ୍ଟଭୁଜା ଦୁର୍ଗା ମୂର୍ତ୍ତି ପୂଜା ପାଉଛନ୍ତି। ଶାରଳାଙ୍କ ଭଳି ବିଲ-ଶାରଳା ଖଣ୍ଡିଏ ପଥରରେ ଅଙ୍କିତ ହୋଇଥିଲେ ମଧ୍ୟ ମୂର୍ତ୍ତିରୁ ଅନୁମାନ କରାଯାଏ ଯେ ଶାରଳାଙ୍କ ମୂର୍ତ୍ତି ପରେ ବିଲ-ଶାରଳାଙ୍କ ମୂର୍ତ୍ତି ଅଙ୍କିତ । ବିଲ-ଶାରଳାଙ୍କ ମୂର୍ତ୍ତି ହିନ୍ଦୁ ତନ୍ତ୍ର ଚଣ୍ଡୀ ଗ୍ରନ୍ଥ ସପ୍ତସତୀଚଣ୍ଡୀରେ ବର୍ଣ୍ଣିତ ମହିଷାସୁର ବଧ କାହାଣୀ ସହିତ ସମାନ ଜଣା ଯାଉଥିବାରୁ ହିନ୍ଦୁ ତାନ୍ତ୍ରିକମାନେ ବିଲ-ଶାରଳାଙ୍କୁ ପୂଜା ଆରାଧନା କରନ୍ତି । ଏହିଭଳି ଆଉ ଦୁଇଟି ବିଶାଳକାୟ ଦୁର୍ଗା ମୂର୍ତ୍ତି ମଧ୍ୟରୁ ଭଗବତୀ ନାମରେ ଗୋଟିଏ ମୂର୍ତ୍ତି ସଂରକ୍ଷିତ ହୋଇ ରହିଥିଲା ବେଳେ ଆଉ ଗୋଟିଏ ମୂର୍ତ୍ତି ମା’ ଶାରଳାଙ୍କ ମନ୍ଦିର ଠାରୁ ଦୁଇ କୋଶ ଦୂର ତୀର୍ଥମଠରେ ଅବସ୍ଥିତ ସଂଗ୍ରହାଳୟରେ ସଂରକ୍ଷିତ ରହିଛି ।ଲୋକ ମାନଙ୍କର ବିଶ୍ବାସ ରହିଛି ତ୍ରେତୟା ଯୁଗରେ ବିଭିନ୍ନ ସ୍ଥାନ ଭ୍ରମଣ କରି ନଦୀରେ ବୁଡ ପକାଇ ଏକ ବରଗଛ ମୂଳେ ବିଶ୍ରାମ ନେବା ସମୟରେ ଭଗବାନ ପର୍ଶୁରାମ ଧ୍ୟାନବଳରେ ଆତ୍ମ ପ୍ରକାଶ କରିବାକୁ ଚାହୁଁଥିବା ଏକ ପରଶମଣି ଶିଳା ଦେଖିଲେ । ଭଗବାନ ପର୍ଶୁରାମ ପ୍ରଥମେ ମା’ ଶାରଳାଙ୍କ ମୂର୍ତ୍ତି ମାଟି ଭିତରୁ ଉଦ୍ଧାର କରି ଉପାସନା କରିଥିଲେ ଓ ବର ପ୍ରାପ୍ତ ହୋଇ ମହେନ୍ଦ୍ରଗିରି ଯାଇଥିଲେ ।

କିମ୍ବଦନ୍ତୀ ଅନୁଯାୟୀ, ପର୍ଶୁରାମ ତାଙ୍କ ଶରରେ ଦେବୀଙ୍କ ପ୍ରତିକୃତି ଖୋଦିତ କରିଥିଲେ । ଭଗବାନ ପର୍ଶୁରାମ ଯେଉଁ ବରଗଛ ମୂଳେ ବିଶ୍ରାମ ନେଇଥିଲେ, ତାହାକୁ ‘ଭେଟବର’ କୁହାଯାଉଛି। ପର୍ଶୁରାମଙ୍କ ତୀର ସ୍ପର୍ଶ ଦ୍ଵାରା ଯେଉଁ ଝଙ୍କାର ସୃଷ୍ଟି ହେଲା, ସେଥିପାଇଁ ସେ ସ୍ଥାନର ନାମ ଝଙ୍କଡ଼ ହୋଇଛି ବୋଲି ବିଶ୍ବାସ କରାଯାଏ । ପର୍ଶୁରାମଙ୍କ ଶର ମୂନରେ ଦେବୀଙ୍କ ପ୍ରତିକୃତି ଖୋଦିତ ହୋଇଥିବାରୁ ସେ ମା’ ସାରଦା ନାମରେ ମଧ୍ୟ ପରିଚିତ।
ତୀର୍ଥ ମଠକୁ ସେହି ଅଞ୍ଚଳର ଲୋକମାନେ ପର୍ଶୁରାମଙ୍କ ମଠ ବୋଲି ବିଶ୍ବାସ କରନ୍ତି। ସେଠାରେ ବିଷ୍ଣୁଙ୍କ ଅବତାର ପର୍ଶୁରାମଙ୍କ ପିତା ଜମଦଗ୍ନି ଓ ମାତା ରେଣୁକାଙ୍କ ମୂର୍ତ୍ତି ରହିଥିବାରୁ ଏବଂ ପର୍ଶୁରାମଙ୍କ ସାଧନା ପୀଠ ମହେନ୍ଦ୍ରଗିରି ପର୍ବତ ହୋଇଥିବାରୁ ଏହି ପୌରାଣିକ ତଥ୍ୟ ଅଧିକ ବିଶ୍ଵାସ ଯୋଗ୍ୟ ।
ଅନ୍ୟ ଏକ କିମ୍ବଦନ୍ତୀ ଅନୁଯାୟୀ ଦକ୍ଷଯଜ୍ଞ ପରେ, ଭଗବାନ ଶିବ ସ୍କନ୍ଧରେ ମା ସତୀଙ୍କ ଶରୀରକୁ ବହନ କରି କ୍ରୋଧାନ୍ୱିତ ହୋଇ ବୁଲୁଥିବା ବେଳେ ଭଗବାନ ବିଷ୍ଣ ସୁଦର୍ଶନ ଚକ୍ର ସାହାଯ୍ୟରେ ସତୀଙ୍କ ଶରୀରକୁ ଖଣ୍ଡବିଖଣ୍ଡିତ କରିଦେଇ ଥିଲେ । ସତୀଙ୍କ ଶରୀରର ୫୧ ଖଣ୍ଡ ମଧ୍ୟରୁ ନାଭି ପଡ଼ିଥିଲା ବିରଜାରେ, ପାଦ ପଡ଼ିଥିଲା ପୁରୀ ଶ୍ରୀକ୍ଷେତ୍ରରେ ଓ ଜିହ୍ୱା ପଡ଼ିଥିଲା ଝଙ୍କଡ଼ରେ। ତେଣୁ ଝଙ୍କଡ଼କୁ ବାଣୀ ପୀଠ ଓ ମା’ ଶାରଳାଙ୍କୁ ଉତ୍କଳ ଭାରତୀ ରୂପେ ପୂଜା କରାଯାଏ । ଓଡ଼ିଶା ତଥା ପୂର୍ବ ଭାରତର ଏହା ଏକ ମହାନ ଶକ୍ତି ପୀଠ ।

ଐତିହାସିକ ତଥା ପ୍ରତ୍ନତାତ୍ତ୍ୱିକ ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ମତରେ ଶାରଳା ଠାକୁରାଣୀଙ୍କ ମୂର୍ତ୍ତି ଅଷ୍ଟମ ଶତାବ୍ଦୀର । ମା’ ଶାରଳା ହିନ୍ଦୁ ଦେବୀ ହେଲେ ମଧ୍ୟ ତାଙ୍କ ଦକ୍ଷିଣ ହସ୍ତରେ ବଜ୍ର ଓ ବାମ ହସ୍ତରେ ଘଣ୍ଟି ଥିବାରୁ କେତେକ ତାଙ୍କୁ ବଜ୍ରଯାନୀଙ୍କ ଦେବୀ ଭାବେ ବର୍ଣ୍ଣନା କରିଛନ୍ତି । ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶଙ୍କ ଲିଖିତ ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ ପୁସ୍ତକରେ ତିର୍ତ୍ତୋଲ ଭୂବନ୍ଦର ବିଷୟ ଉଲ୍ଲେଖ କରିଛନ୍ତି ଯାହାକି ହୁଏନସାଂଙ୍କ ଚେଲିତାଲେ ସହ ସମାନ । ଏହା ନିକଟରେ ଝଙ୍କଡ଼ । ସାରଳା ମହାଭାରତରେ ଏହି ସ୍ଥାନକୁ ଯକ୍ଷ ବା ଜଙ୍ଖମାନେ ରହୁଥିବା ଅଞ୍ଚଳ ଦୃଷ୍ଟିରୁ ଜଙ୍ଖେରପୁର ଭାବେ ବର୍ଣ୍ଣନା କରିଛନ୍ତି । ମା’ ଶାରଳାଙ୍କ ବିଜେ ସ୍ଥଳୀ ଝଙ୍କଡ଼ର ଦକ୍ଷିଣରେ ବୃଦ୍ଧା ଓ ଚନ୍ଦ୍ରଭାଗା ନାମକ ଦୁଇଟି ନଦୀ ପ୍ରବାହିତ ହୋଇ ସମୁଦ୍ରରେ ମିଶିଥିଲେ । ସାରଳା ଦାସଙ୍କ ସାହିତ୍ୟରେ ‘ବୁଧମାତା ନାମେ ନଦୀ’ ଓ ଶାରୋଳ ଗ୍ରାମରେ ଶାରଳାପୀଠ ଅବସ୍ଥିତ ବୋଲି ବର୍ଣ୍ଣିତ ହୋଇଛି । ବର୍ତ୍ତମାନ ଝଙ୍କଡ଼ ପ୍ରଗଣାରେ ଅବସ୍ଥିତ ବଡ଼ ଶାରୋଳ ଓ ସାନ ଶାରୋଳ ଦୁଇଟି ଗ୍ରାମ ଏହାର ପ୍ରମାଣ ।

ଐତିହାସିକ ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ମତରେ ମା’ ବିରଜା ପଞ୍ଚମ ଶତାବ୍ଦୀର । ଦେବୀ ବିରଜା ବଧ କରିଥିବା ମହିଷାସୁରର ମୂର୍ତ୍ତି ସମ୍ପୂର୍ଣ୍ଣ ମହିଷ ହୋଇଥିବାବେଳେ ଶାରଳାଙ୍କ ବେଳକୁ ମହିଷାସୁରର ମୂର୍ତ୍ତି ଅସୁର ରୂପେ ଆସିଯାଇଥିଲା । ସାରଳା ଦାସଙ୍କ ଚଣ୍ଡୀ ପୁରାଣ ଗ୍ରନ୍ଥରେ ବର୍ଣ୍ଣିତ ହୋଇଛି, “ମଇଁଷିର ମୁଣ୍ଡ ଗୋଟା ମନୁଷ୍ୟ ସ୍ଵରୂପ।”ପୃଷ୍ଠା-୧୭।
ହରି ବଂଶର ଉଲ୍ଲେଖ ମତେ ମା’ ଦୁର୍ଗା, ଜନଜାତି ପୂଜିତା । ଶାରଳାଙ୍କ ମନ୍ଦିର କନକପୁର ଗ୍ରାମ ଠାରୁ ଅନତିଦୂରରେ ଅନ୍ୟ ତନ୍ତ୍ର ପୀଠ ଭଳି ଅନ୍ୟାନ୍ୟ ଦେବୀ ପୀଠର ସନ୍ଧାନ ମିଳିଛି ।

ତନ୍ତ୍ରର ସ୍ଵର୍ଣ୍ଣଯୁଗ ଅଷ୍ଟମ ଶତାବ୍ଦୀ ବେଳକୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ତନ୍ତ୍ରପୀଠ ଗଢ଼ିଉଠିଥିବା ସତ୍ତ୍ୱେ ଶାରଳା ପୀଠର ମହତ୍ତ୍ଵ ବୃଦ୍ଧି ପାଇଥିଲା ।୧୫୬୮ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ମା ଶାରଳାଙ୍କ ପୂଜାର୍ଚ୍ଚନା ସେହି ମନ୍ଦିରରେ ହେଉଥିଲା । ଏହି ମନ୍ଦିର ଭୌମବଂଶର ରାଜାଙ୍କ ଦ୍ଵାରା ଅଷ୍ଟମ ଶତାବ୍ଦୀରେ ନିର୍ମିତ ହେଇଥିଲା । ଏହି ମନ୍ଦିର ପାଖରେ ଏକ ବୃହତ ପୁଷ୍କରିଣୀ ଓ ଏକ ବୃହତ ବରଗଛ ଥିଲା। ଓଡ଼ିଆ ମହାଭାରତରେ ଏହି ବରଗଛକୁ ନୀଳକଳ୍ପବଟ ରୂପେ ବର୍ଣ୍ଣନା କରାଯାଇଛି । ୧୯୯୯ ମହାବାତ୍ୟାରେ ଏହି ବୃକ୍ଷ ଉପୁଡ଼ି ପଡ଼ିଥିଲା । କଳାପାହାଡ଼ ଓ ଆଉରଙ୍ଗଜେବଙ୍କ ଦ୍ଵାରା ମନ୍ଦିର କ୍ଷତିଗ୍ରସ୍ତ ହୋଇଥିଲା । ଆଉରଙ୍ଗଜେବଙ୍କ ଶାସନ ସମୟରେ କିଛି ଦୂରରେ ଏକ ମସଜିଦ ନିର୍ମିତ ହେଇଥିଲା । ଲୋକକଥା ଅନୁଯାୟୀ ବଡ ସାରୋଳ ଠାରେ ଥିବା ପୁରୁଣା ମନ୍ଦିର ପୁନଃ ନିର୍ମିତ ହୋଇ ମନ୍ଦିରରେ ଶ୍ରୀ ଗଣେଶ ପୂଜିତ ହେଉଛନ୍ତି । କବି ମୋହନଙ୍କ ଚନ୍ଦ୍ରାବତୀ ହରଣ ବହି ଅନୁସାରେ ନଣ୍ଡା ଦେଉଳ ନିକଟସ୍ଥ ଗୋପତମାଣିକା ବା ଗୁପ୍ତ ମାଣିକାରେ ଶାରଳା ସାତଦିନ ସାତରାତି ବୁଡି ରହିଥିଲେ ବୋଲି ଉଲ୍ଲେଖ କରିଛନ୍ତି । ତାପରେ ସେ ତେନ୍ତୁଳିପଦା ଚାଲିଗଲେ ବୋଲି ଲେଖିଛନ୍ତି ।

ପ୍ରାଚୀନ ବିଧିବିଧାନ ଓ ପରମ୍ପରାକୁ ସମ୍ମାନ ଜଣାଇ ଶାରଳାଙ୍କ ଚଳନ୍ତି ବିଗ୍ରହକୁ ସୁସଜ୍ଜିତ ପାଲିଙ୍କିରେ ବିଜେ କରାଇ ବର୍ତ୍ତମାନର ଶାରଳା ମନ୍ଦିରରୁ ସାରୋଳ ଗ୍ରାମକୁ ବର୍ଷରେ ସାତଥର ନେଇ ବିଧିପୂର୍ବକ ପୁରୁଣା ବେଦୀ ଉପରେ ସ୍ଥାପିତ କରାଯାଏ । ମାର୍କଣ୍ଡେୟ ଋଷିଙ୍କ ରଚିତ ସପ୍ତସତୀ ଚଣ୍ଡୀ ଗ୍ରନ୍ଥର ବର୍ଣ୍ଣନା ଅନୁସାରେ ଦେବୀ ଲାଭ କରିଥିଲେ ଶିବଙ୍କ ତ୍ରିଶୂଳ, ବିଷ୍ଣୁଙ୍କ ଚକ୍ର, ବାୟୁଙ୍କ ଧନୁ, ସୂର୍ଯ୍ୟଙ୍କ ତୀର, ବିଶ୍ଵକର୍ମାଙ୍କ କୁରାଢି, ଇନ୍ଦ୍ରଙ୍କ ବଜ୍ର, ଐରାବତର ଘଣ୍ଟି ଓ ହିମବାନଙ୍କ ସିଂହ । ଦେବୀ ସାରଳାଙ୍କ ପ୍ରତିମାରେ ଏହାକୁ ମୂଖ୍ୟ ଆୟୁଧ ରୂପେ ଗ୍ରହଣ କରାଯାଇଥିବାରୁ, ପ୍ରମାଣିତ ହୁଏ ଯେ ଏହା ଏକ ମହାନ ଶାକ୍ତ ତନ୍ତ୍ର ପୀଠ ।
ଜଗତସିଂହପୁର ଜିଲ୍ଲା କନକପୁର ଗ୍ରାମର ଝଙ୍କଡ଼ ଠାରେ ଅବସ୍ଥିତ ଏହି ମନ୍ଦିର, ମରହଟ୍ଟାମାନଙ୍କ ଦ୍ୱାରା ୧୭୫୩ ରୁ୧୮୦୩ ମଧ୍ୟରେ ନିର୍ମିତ । ବର୍ତ୍ତମାନର ଶାରଳା ମନ୍ଦିରର ପ୍ରତିଷ୍ଠା ହୋଇଥିଲା ୧୩୨୧ ସାଲ ଆଷାଢ଼ ୧୨ ଦିନ ଠାରୁ ୧୯ ଦିନ ପର୍ଯ୍ୟନ୍ତ । ଏହା ମନ୍ଦିର ପ୍ରତିଷ୍ଠା ନିମନ୍ତ୍ରଣ ପତ୍ରରୁ ଜଣାପଡିଛି । ଏହା ୧୯୧୪ ମସିହାରେ ବୋଲି ହିସାବରୁ ଜଣାଯାଏ।

ଦଶହରା, ମହାବିଷୁବ ସଂକ୍ରାନ୍ତି, ଦୋଳପୂର୍ଣ୍ଣିମା, ଚନ୍ଦନ ଯାତ୍ରା ଆଦି ମହା ଆଡ଼ମ୍ବରରେ ପାଳିତ ହୁଏ । ମା’ ଶାରଳାଙ୍କ କୃପାରୁ ସିଦ୍ଧେଶ୍ଵର ପରିଡ଼ା, ଅଠର ଖଣ୍ଡ ଓଡ଼ିଆ ମହାଭାରତ ଲେଖିଥିଲେ ଓ ସାରଳା ଦାସ ନାମରେ ପରିଚିତ ହୋଇଛନ୍ତି । ସାରଳା ଦାସ ତାଙ୍କ ଗ୍ରନ୍ଥର ଅନେକ ସ୍ଥାନରେ ଶାରଳାଙ୍କୁ ପରମ ବୈଷ୍ଣବୀ ବୋଲି କହିଛନ୍ତି । ଦ୍ଵାଦଶ ଶତାବ୍ଦୀ ବେଳକୁ ଓଡ଼ିଶାରେ ବୈଷ୍ଣବ ଯୁଗର ପ୍ରାଧାନ୍ୟ ଦେଖିବାକୁ ମିଳେ, ତା’ ସତ୍ତ୍ୱେ ସେ ଶକ୍ତି ସ୍ୱରୂପିଣୀଙ୍କ ମହିମା ପ୍ରଚାର କରିଛନ୍ତି । ଏହି ମନ୍ଦିରରେ ମା’ଙ୍କ ପୂଜାରେ ବେଲପତ୍ର ଓ ତୁଳସୀ ପତ୍ର ବ୍ୟବହାର କରାଯାଏ । ତେଣୁ ଏହାକୁ ଶାକ୍ତ ଓ ବୈଷ୍ଣବ ଧର୍ମର ସମନ୍ଵୟ କ୍ଷେତ୍ର କୁହାଯାଏ ।।
ଲେଖକ : ବାବାଜୀ ଚରଣ ଦାସ ।।
ପଞ୍ଚସଖା ନଗର, ଭୁବନେଶ୍ବର-୧୯