ମା ଦୁର୍ଗାଙ୍କ ସ୍କନ୍ଦମାତା ରୂପନବରାତ୍ରୀର ପଞ୍ଚମ ଦିନରେ ସ୍କନ୍ଦମାତା ଙ୍କୁ ପୂଜା କରାଯାଏ।

ମା ଦୁର୍ଗାଙ୍କ ସ୍କନ୍ଦମାତା ରୂପନବରାତ୍ରୀର ପଞ୍ଚମ ଦିନରେ ସ୍କନ୍ଦମାତା ଙ୍କୁ ପୂଜା କରାଯାଏ।ପୁରାଣ ବର୍ଣ୍ଣନା ଅନୁସାରେ ଭଗବାନ ଶିବ ଓ ମାତା ପାର୍ବତୀ ଙ୍କ ପୁତ୍ର କାର୍ତ୍ତିକେୟ ତାରକାସୁରକୁ ବିନାଶ କରିଥିଲେ। ଦେବତା ମାନଙ୍କୁ ତାରକାସୁର ଠାରୁ ସୁରକ୍ଷିତ ରଖିବା ପାଇଁ କାର୍ତ୍ତିକେୟ ଙ୍କ ଜନ୍ମ। ତାଙ୍କର ଅନ୍ୟ ନାମ ସ୍କନ୍ଦ। ପୁତ୍ର କାର୍ତ୍ତିକେୟ ଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ମା ପାର୍ବତୀ ସ୍କନ୍ଦମାତା ରୂପ ଧାରଣ କରି ଥିଲେ।

ପ୍ରଶିକ୍ଷଣ ନେବା ପରେ କାର୍ତ୍ତିକେୟ ଯୁଦ୍ଧରେ ତାରକାସୁରକୁ ବଧ କରିଥିଲେ।ସ୍କନ୍ଦମାତା ଙ୍କ କୋଳରେ ସ୍କନ୍ଦ ବା କାର୍ତ୍ତିକେୟ ବିରାଜିତ ହୋଇଥାନ୍ତି।ଥରେ ଦେବରାଜ ଇନ୍ଦ୍ର କାର୍ତ୍ତିକ ଙ୍କୁ ଉପହାସ କରି କହିଥିଲେ, ତୁମେ ଭଗବାନ ଶିବ ଓ ମାତା ପାର୍ବତୀ ଙ୍କ ପୁତ୍ର ନୁହେଁ। ଏହାଶୁଣି କାର୍ତ୍ତିକ ବହୁତ ଦୁଃଖରେ ରହିଲେ।ମା ପାର୍ବତୀ କାର୍ତ୍ତିକେୟ ଙ୍କ ଏହି ଦୁଃଖ ବୁଝିପାରିଲେ ଓ ସିଂହ ‌ଉପରେ ପ୍ରକଟ ହୋଇ କାର୍ତ୍ତିକ ବା ସ୍କନ୍ଦଙ୍କୁ କୋଳକୁ ଉଠାଇ ନେଇଥିଲେ।ସ୍କନ୍ଦମାତା ଙ୍କୁ ପୂଜା କଲେ ଆତ୍ମବିଶ୍ବାସ ବୃଦ୍ଧି ଘଟେ। ଭକ୍ତ ର ମନ ବିଶୁଦ୍ଧ ଚକ୍ରରେ ଅବସ୍ଥିତ ହୋଇଥାଏ। ମା’ଙ୍କ ପୂଜା ଦ୍ଵାରା ଶତ୍ରୁ ଭୟ,ସଙ୍କଟ, ରୋଗ ଦୂର ହେବା ସହ ଜ୍ଞାନ ବୃଦ୍ଧି ଘଟେ।ସ୍କନ୍ଦମାତା ପଦ୍ମ ଫୁଲରେ ଅଭୟ ମୁଦ୍ରାରେ ବିରାଜିତ। ପ୍ରସିଦ୍ଧ ଦେବାସୁର ସଂଗ୍ରାମରେ ଦେବତା ମାନଙ୍କ ସେନାପତି ଭାବେ ସ୍କନ୍ଦମାତା ଯୁଦ୍ଧ ପରିଚାଳନା କରିଥିଲେ।ମା ପାର୍ବତୀଙ୍କ ପୁତ୍ର କାର୍ତ୍ତିକେୟ ଦେବ ସେନାପତି କୁମାର ଭାବେ ପରିଚିତ ଅଟନ୍ତି।ନବରାତ୍ରୀ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ସ୍ନାନାଦି କର୍ମ ସମାପନ କରି ସ୍ଵଚ୍ଛ ବସ୍ତ୍ର ପରିଧାନ କରି ମା’ଙ୍କ ପ୍ରତିମା କୁ ଗଙ୍ଗା ଜଳରେ ଶୁଦ୍ଧ ସ୍ନାନ କରାଇ କଳସ ଜଳରେ କିଛି ଧାତବ ମୁଦ୍ରା ରଖି ପୂଜା ସଙ୍କଳ୍ପ ପରେ ମା’ଙ୍କୁ ଚନ୍ଦନ, ସିନ୍ଦୁର ଓ ଫୁଲ ଅର୍ପଣ କରି ଆଳତୀ କରାଯାଏ। ଏହି ଦିନ କଦଳୀ ଭୋଗ ଲଗାଇ ତାକୁ ପ୍ରସାଦ ଭାବେ ଗ୍ରହଣ କରାଯାଏ।ମା ଦୁର୍ଗାଙ୍କର ନବରାତ୍ର ମଧ୍ୟରୁ ପ୍ରଥମ ତିନି ଦିନ ଦୁଷ୍ଟ ବିନାଶିନୀ କାଳୀ ରୂପରେ ପୂଜା କରାଯାଏ।ମଝି ତିନି ଦିନ ଅର୍ଥାତ୍ ଚତୁର୍ଥ, ପଞ୍ଚମ ଓ ଷଷ୍ଠ ରାତ୍ରରେ ମା’ଙ୍କୁ ଧନଧାନ୍ୟ ଓ ସମ୍ପଦର ଦେବୀ ଲକ୍ଷ୍ମୀଙ୍କ ରୂପେ ପୂଜା କରାଯାଏ।ପଦ୍ମ ଉପରେ ବିରାଜମାନ ହୋଇଥିବା ହେତୁ ତାଙ୍କୁ ପଦ୍ମାସନ ‌ଦେବୀ ମଧ୍ୟ କୁହାଯାଏ।ବାବାଜୀ ଚରଣ ଦାସ, ପଞ୍ଚସଖା ନଗର, ଡୁମୁଡୁମା, ଭୁବନେଶ୍ବର।