ମା’ ବାଟପନ୍ଥେଇଙ୍କ ବାର୍ଷିକ ପୂଜା ଉତ୍ସବ ଅନୁଷ୍ଠିତ

ଗଣିଆ (ବିଶ୍ୱରଂଜନ ସେଠି) ଗଣିଆ ବ୍ଳକ ଆଦିବାସୀ ବହୁଳ ଗ୍ରାମ ବଡ଼ସିଲିଙ୍ଗା ପଂଚାୟତର ଆରାଧ୍ୟ ଦେବୀ ମା’ ବାଟପନ୍ଥେଇଙ୍କର ବାର୍ଷିକ ପୁଜା ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ସୋମବାର ଶୁଭାଧିବାସ ପରେ ମଙ୍ଗଳବାର ଅପରାହ୍ନରେ ଆଦିବାସୀ ସଂପ୍ରଦାୟର ପାରମ୍ପାରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହୋଇଥିଲା । ବଡ଼ସିଲିଙ୍ଗା ପଂଚାୟତର ୩୩ଟି ଗ୍ରାମର ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ଶହସ୍ରାଧିକ ଭକ୍ତଙ୍କର ସମାଗମ ହୋଇଥିଲା ।

ଆଦିବାସୀ ସଂପ୍ରଦାୟର ଏହା ମୁଖ୍ୟ ପର୍ବ ହୋଇଥିବାରୁ ପରମ୍ପରା ଅନୁସାରେ ବହୁ ମାନସିକଧାରୀ ବୋଦା, ଗଂଜାକୁକୁଡ଼ା ବଳି ପକାଇଥିଲୋ । ସେହିପରି ଗଣିଆ ବ୍ଳକର ଅନ୍ୟ ପଂଚାୟତରୁ ବହୁ ଶ୍ରଦ୍ଧାଳ ମାଙ୍କ ପାଖରେ ଭୋଗ ଲାଗି କରିବା ପାଇଁ ହାତରେ ନଡ଼ିଆ କଦଳୀ, ସିନ୍ଦୁର, ଧୁପକାଠି ଆଦି ଧରି ମା’ଙ୍କ ନିକଟକୁ ଆସି ଭୋଗଲାଗି କରି ଦର୍ଶନ କରିଥିଲେ । ସୁଚନା ଅନୁସାରେ ପୂର୍ବରୁ ମା’ଙ୍କ ପାଖରେ ପୋଢୁଅ ବଳି ଦିଆଯାଉଥିଲା । କିନ୍ତୁ ତାହା ବର୍ତମାନ ବନ୍ଦକରି ବୋଦା ଓ କୁକୁଡ଼ା ବଳି ଦିଆଯାଉଛି । ଏହି ପୁଜା ଉସବରେ ବିଭିନ୍ନ ଉଠା ଦୋକନ ଦେଖିବାକୁ ମିଳିଥିଲା । ପରିଚାଳନା କମିଟି ତରଫରୁ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ରାମନାଟକ ପରିବେଷଣ କରାଯାଇଥିଲା । ପୂଜା ଉତ୍ସବରେ ଶାନ୍ତି ଶୃଙ୍କଳାକୁ ଲକ୍ଷକରି ମାଦକ ଦ୍ରବ୍ୟ ସେବନ ଓ ବିକ୍ରୟ ଉପରେ କଟକଣା କରାଯାଇଛି ବୋଲି ପରିଚାଳନା କମିଟିର ସଂପାଦକ କହିଛନ୍ତି । ଅନ୍ୟପଟେ ବଡ଼ସିଲିଙ୍ଗା ପଂଚାୟତର ଅନେକ ଗ୍ରାମ ଦୁର୍ଗମ ଅଂଚଳରେ ରହୁଥିବାରୁ ରାଜସ୍ୱ ବିଭାଗର ଖଜଣା ଆଦାୟ କରିବା କଷ୍ଟସାଧ୍ୟ ହୋଇଥାଏ । ତେବେ ପଂଚାୟତର ପ୍ରତ୍ୟେକ ଗ୍ରାମର ଲୋକମାନେ ଏହି ପୂଜାଉତ୍ସବକୁ ଆସିଥାନ୍ତି । ରାଜସ୍ୱ ବିଭାଗର କର୍ମଚାରୀମାନେ ଉତ୍ସବରେ ଉପସ୍ଥିତ ରହି ରାଜସ୍ୱ ଖଜଣା ଆଦାୟ କରିବାରେ ସହଜ ହୋଇଥାଏ ।