ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଆୟୁଷ ଡାକ୍ତରଙ୍କ ବଢ଼ିଲା ଦରମା
NHMରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତରଙ୍କ ଦରମା ବଢ଼ିଲା। ଏନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି ହୋଇଛି। ବରିଷ୍ଠତା ଭିତ୍ତିରେ ୨୦ ହଜାର ଟଙ୍କାରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ୫ ବର୍ଷରୁ କମ ସମୟ ଅବଧି ପାଇଁ ସେବାରତ ଆୟୁଷ ଡାକ୍ତର ମାନଙ୍କ ଦରମା ମାସକୁ ୨୦ ହଜାର ଟଙ୍କା ବୃଦ୍ଧି ପାଇଛି। ଏହାଦ୍ବାରା ସେମାନଙ୍କ ସର୍ବନିମ୍ନ ଦରମା ୫୬, ୯୪୮ ଟଙ୍କା ହୋଇଛି। ସେହିପରି ୫ରୁ ୧୦ ବର୍ଷ ମଧ୍ୟରେ ସେବା କରିଥିବା ଡାକ୍ତର ମାନଙ୍କ ଦରମା ମାସକୁ ୨୫ ହଜାର ବୃଦ୍ଧିପାଇଁ ୭୪,୪୬୭ ଟଙ୍କାରେ ପହଞ୍ଚିଛି। ୧୦ରୁ ୧୫ ବର୍ଷ ସେବା ପାଇଁ ମାସକୁ ୩୦ ହଜାର ଟଙ୍କା ବୃଦ୍ଧିପାଇ ୮୦,୪୬୭ ହୋଇଥିବ ବେଳେ, ୧୫ ବର୍ଷରୁ ଉର୍ଦ୍ଧ୍ବସେବା ପାଇଁ ଆୟୁଷ ଡାକ୍ତର ମାନଙ୍କ ଦରମା ୪୦ ହଜାର ଟଙ୍କା ବୃଦ୍ଧି ପାଇ ୯୧, ୪୬୭ ଟଙ୍କାରେ ପହଞ୍ଚିଛି।ଆୟୁଷ ସ୍ବାସ୍ଥ୍ୟସେବାରେ ଅଧିକ ଉନ୍ନତି ଆସିବ ମୁଖ୍ୟମନ୍ତ୍ରୀ କହିଛନ୍ତି ।
