ମ୍ୟୁଜିଅମରେ ପରିଣତ ହେବ ବିଶ୍ବକବି ରବିନ୍ଦ୍ରନାଥ ଟାଗୋରଙ୍କ ବାସଭବନ
ନୂଆ ରୁପରେ ଝଲସିବ ବିଶ୍ବକବି ରବିନ୍ଦ୍ରନାଥ ଟାଗୋରଙ୍କ ପୁରୀ ସ୍ଥିତ ବାସଭବନ। ଏଠାରେ ନୋବେଲ ବିଜେତା ରବୀନ୍ଦ୍ରନାଥ ଟାଗୋରଙ୍କ ବିରଳ ସ୍ମୃତି ଓ କୀର୍ତ୍ତିରାଜିକୁ ସୁରକ୍ଷା ଦେବା ପାଇଁ, “ପଥେର ପୁରୀ”କୁ ପୁନରୁଦ୍ଧାର କରାଯାଇ ମହାନ କବିଙ୍କ ସ୍ମୃତିରେ ଉତ୍ସର୍ଗୀକୃତ ଏକ ସଂଗ୍ରହାଳୟ ଭାବେ ବିକଶିତ କରାଯିବ। ଏ ନିଷ୍ପତ୍ତି ନେଇଛନ୍ତି, ଓଡ଼ିଶା ସରକାର।ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ପକ୍ଷରୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।ଏଥିଲାଗି ଏହାକୁ ଏକ ମ୍ୟୁଜିଅମ୍ ରେ ପରିଣତ କରାଯିବ,” ବୋଲି ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବୈଠକ ଶେଷରେ ସୂଚନା ଦେଇଛନ୍ତି। ଏହା ହେଲେ ଏହି ଗୃହର ମର୍ଯ୍ୟାଦା ରହିବା ସଙ୍ଗେ ସଙ୍ଗେ ପର୍ଯ୍ୟଟକମାନେ ଅନେକ ଜ୍ଞାନ ଆରୋହଣ କରି ପାରିବେ। ସେହିପରି ନଭେମ୍ବର ୫ ତାରିଖରୁ ଆରମ୍ଭ ହେଉଥିବା କଟକ ବାଲିଯାତ୍ରାରେ ଓଡ଼ିଆ ସାହିତ୍ୟର ଯୋଗଜନ୍ମା ଲେଖକ ଏବଂ ସେମାନଙ୍କ କୃତିକୁ ନେଇ ଏକ ବିଷୟବସ୍ତୁ ମଣ୍ଡପ “Theme Pavillion” ନିର୍ମାଣ କରାଯିବ। ଇଣ୍ଡୋନେସିଆକୁ ଚଳିତ ବର୍ଷ ସହଭାଗୀ ଦେଶ ହିସାବରେ ଆମନ୍ତ୍ରିତ କରାଯିବ ଏବଂ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଅଧୀନରେ ଦେଶର ଏକ ପ୍ରମୁଖ ରାଜ୍ୟକୁ ମଧ୍ୟ ସହଭାଗୀ ରାଜ୍ୟ ହିସାବରେ ଆମନ୍ତ୍ରିତ କରାଯିବ। ଦକ୍ଷିଣ ଏସିଆର କେତକ ରାଷ୍ଟ୍ରଙ୍କୁ ସେମାନଙ୍କର ସାଂସ୍କୃତିକ ଦଳ ପ୍ରେରଣ ନିମନ୍ତେ ମଧ୍ୟ ଅନୁରୋଧ କରାଯିବ । ଅନ୍ୟପଟେ ଭୁବନେଶ୍ୱରର ସୈନିକ ସ୍କୁଲ ନିକଟରେ ଅବସ୍ଥିତ ଓଡ଼ିଆ ଅସ୍ମିତା ଭବନର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସେତୁ ଏବଂ ନିର୍ମାଣ ନିଗମ (OBCC)କୁ ନିର୍ଦ୍ଦେଶ ଦିଆଯାଇଛି।
