ମା’ ଦୁର୍ଗାଙ୍କ ଶାରଦୀୟ ପୂଜା ବିଶେଷତ୍ଵ 

ମା ଦୁର୍ଗାଙ୍କ ଷଷ୍ଠୀ ଅଧିବାସ ଓ  ବିଲ୍ଵବରଣ ଶାରଦୀୟ ଦୁର୍ଗାପୂଜାର ଏକ ବିଶିଷ୍ଟ ଅଂଶ। ଏହି ଦିନ ବେଲଗଛକୁ ପୂଜା କରାଯାଇ ବରଣ କରାଯାଏ।ବାମନ ପୁରାଣ ଅନୁଯାୟୀ ମହିଷାସୁରର ଅତ୍ୟାଚାରରେ ଅତିଷ୍ଠ ହୋଇ ସମସ୍ତ ଦେବଦେବୀ କ୍ରୋଧରେ ପ୍ରଜ୍ଜଳିତ ହେଲେ।ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଙ୍କ ସମେତ ସମସ୍ତ ଦେବଗଣଙ୍କ ସମ୍ମିଳିତ କ୍ରୋଧ ଏକ ତେଜୋମୟ ରୂପ ଧାରଣ କରି କାତ୍ୟାୟନ ଋଷିଙ୍କ ଆଶ୍ରମ ଉପରେ ପର୍ବତ ଆକାରରେ ବ୍ୟାପ୍ତ ହେବାକୁ ଲାଗିଲା। ସେଥିରେ କାତ୍ୟାୟନ ଋଷିଙ୍କ ବ୍ରହ୍ମତେଜ ମିଳିତ ହୋଇ ସେହି ତେଜୋମୟ ରୂପ ଦ୍ଵିଗୁଣିତ ହେଲା। ସେହି ଏକାକାର ତେଜୋମୟ ତେଜପୁଞ୍ଜ ଏକ ଦିବ୍ୟ ନାରୀରେ ପରିଣତ ହେଲେ।

କାତ୍ୟାୟନୀ ଋଷିଙ୍କ ଆଶ୍ରମର ଉପର ଭାଗରୁ ଉତ୍ପତ୍ତି ହୋଇଥିବାରୁ ତାଙ୍କ ନାମ କାତ୍ୟାୟନୀ।ଅନ୍ୟ ଏକ ଉପାଖ୍ୟାନ ଅନୁସାରେ କତ ନାମକ ଜଣେ ଋଷି ଥିଲେ। ଏହି କାତ୍ଯ ଗୋତ୍ରରେ ମହର୍ଷି କାତ୍ୟାୟନ ଜନ୍ମଗ୍ରହଣ କରିଥିଲେ।

 ମହର୍ଷି କାତ୍ୟାୟନ ଋଷିଙ୍କ ତପସ୍ୟା ରେ ସନ୍ତୁଷ୍ଟ ହୋଇ ଦେବୀ ତାଙ୍କର କନ୍ୟା ରୂପରେ ଜନ୍ମ ହୋଇଥିଲେ। ସେଥିପାଇଁ ମା’ଙ୍କ ନାମ କାତ୍ୟାୟନୀ।

କିନ୍ତୁ କାଳିକା ପୁରାଣ ଅନୁସାରେ ୠଷି କାତ୍ୟାୟନ ତାଙ୍କୁ ପ୍ରଥମେ ଦେବୀ ରୂପେ ପୂଜା କରିଥିଲେ। ସେଥିପାଇଁ ତାଙ୍କୁ କାତ୍ୟାୟନୀ କୁହାଯାଏ।

ବ୍ରଜ ନାରୀ ମାନେ ମା’ଙ୍କୁ ପୂଜା କରିଥିଲେ।ମା କାତ୍ୟାୟନୀ ଙ୍କୁ ପୂଜା କରି ଗୋପୀ ମାନେ ସେମାନେ କୃଷ୍ଣଙ୍କୁ ପାଇଥିଲେ।  

ମା କାତ୍ୟାୟନୀ ଚତୁର୍ଭୁଜା।ସେ ଦୁଇଟି ହସ୍ତରେ ଖଡ୍ଗ ଓ କମଳ ଧାରଣ କରିଥିବା ବେଳେ ଅନ୍ୟ ଦୁଇଟି ହସ୍ତରେ ଆଶୀର୍ବାଦ ପ୍ରଦାନ କରନ୍ତି। ତାଙ୍କର ବାହନ ସିଂହ।

ମା କାତ୍ୟାୟନୀ ଙ୍କୁ ପୂଜା କରିବା ଦ୍ୱାରା ଭକ୍ତର ଇନ୍ଦ୍ରିୟ ବଶ କରିବାର ଶକ୍ତି ପ୍ରାପ୍ତ ହୁଏ।କନ୍ଯାର ବିବାହ ବିଳମ୍ବ ହେଉଥିଲେ ମା’ଙ୍କ ପୂଜା କଲେ ଶିଘ୍ର ସେହି ସମସ୍ୟାର ସମାଧାନ ହୋଇଥାଏ।ଦେବୀ ମାହାତ୍ମ୍ୟ ମତେ ଚଣ୍ଡୀ ଶୁଣି ସତ୍ୟ ଯୁଗର ରାଜା ସୁରଥ ଙ୍କର ମୋହଭଙ୍ଗ ହେଲା।ସେ ଦୁର୍ଗା ପୂଜାର ପରମ୍ପରା ସୃଷ୍ଟି କଲେ। ଶୁକ୍ଳ ପକ୍ଷ ସପ୍ତମୀ ଦିନ ମୃଣ୍ମୟୀ ପ୍ରତିମା ଓ ଘଟ ସ୍ଥାପିତ ହୁଏ। ଦେବୀ ପୀଠ ମାନଙ୍କରେ ଆଶ୍ଵିନ କୃଷ୍ଣପକ୍ଷ ଅଷ୍ଟମୀ ଠାରୁ  ଷୋଡ଼ଶ ଦିନ ବ୍ୟାପୀ ପୂଜା ଅନୁଷ୍ଠିତ ହୁଏ।

ଆଷାଢ଼ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ ଦେବତାମାନେ ନିଦ୍ରା ଯାଆନ୍ତି। ତେଣୁ ଏହି ସମୟକୁ ଅକାଳ କୁହାଯାଏ।

ବ୍ରହ୍ମାଙ୍କ ପରାମର୍ଶକ୍ରମେ ଶ୍ରୀରାମଚନ୍ଦ୍ର ଆଶ୍ଵିନ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ଦେବୀଙ୍କ ଅକାଳ ବୋଧନ ନିମନ୍ତେ ପୂଜାର ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ। ଶ୍ରୀରାମ ଧ୍ୟାନ ବଳରେ ଜାଣିଲେ ଯେ ଦେବୀ କୁମାରୀ ରୂପରେ ବିଲ୍ଵ ବୃକ୍ଷ ଶାଖାରେ ଶାୟିତ ଅଛନ୍ତି ।ସେ ସକାଳେ କଳ୍ପାରମ୍ଭ ଓ ସନ୍ଧ୍ୟା ସମୟରେ ବିଲ୍ଵ ବୃକ୍ଷ ମୂଳରେ ଦେବୀଙ୍କୁ ଅକାଳ ବୋଧନ କରିଥିଲେ। ଏହାପରେ ସପ୍ତମୀ ତିଥିରେ ଦେବୀଙ୍କୁ ଷୋଡ଼ଶ ଉପଚାର ରେ ପୂଜା କଲେ।ଆଗତ ଯୋଗିନୀ ଗଣଙ୍କ କୋଳାହଳ ରେ ମଧ୍ୟ ଦେବୀ ସୁପ୍ତ ଅବସ୍ଥାରେ ରହିବାରୁ ଅଷ୍ଟମୀ ତିଥିରେ ପୁଣି ଦେବୀଙ୍କୁ ପୂଜା କଲେ। ଯୋଗିନୀ ଗଣଙ୍କ କୋଳାହଳ ରେ ଦେବୀ କଡ଼ ଲେଉଟାଇ ପୁଣି ଶୋଇଲେ। ଏହାପରେ ଅଷ୍ଟମୀ ତିଥିର ଶେଷ ଓ ନବମୀ ତିଥିର ଆରମ୍ଭ ବା ସନ୍ଧିକ୍ଷଣ ସମୟରେ ସେ ଆରମ୍ଭ କଲେ ସନ୍ଧିପୂଜା। ଅଷ୍ଟମୀ ତିଥିର ଚବିଶ ମିନିଟ ଓ ନବମୀ ତିଥିର ଚବିଶ ମିନିଟ୍ ମୋଟ ଅଠଚାଳିଶ ମିନିଟ୍ ଧରି ଚାମୁଣ୍ଡା ଙ୍କୁ ଆବାହନ କରି ଦେବୀ ଦୁର୍ଗାଙ୍କୁ ଉଠାଇବା ପାଇଁ ନିବେଦନ କଲେ। ଚାମୁଣ୍ଡାଙ୍କ ସହଯୋଗ ଫଳରେ ନବମୀ ତିଥିରେ ମା ଦୁର୍ଗା ଜାଗ୍ରତ ହେଲେ। ଏତିକିବେଳେ ସେ ଦେବୀ ଙ୍କୁ କୁମାରୀ ରୂପରେ ଦର୍ଶନ କରି ଯୋଗିନୀ ଗଣଙ୍କ ସହିତ ବିଶେଷ ପୂଜା କଲେ। ଏକସଙ୍ଗେ ୧୦୮ ପଦ୍ମ ଫୁଲ ଦେବୀ ଦୁର୍ଗାଙ୍କୁ ଅର୍ପଣ କରିଥିଲେ।୧୦୮ ପଦ୍ମ ରୁ ଗଣତିରେ ଗୋଟିଏ କମ୍ ଥିବାରୁ  ରାଜୀବ ଲୋଚନ ଏହା ବଦଳରେ  ନିଜ ଚକ୍ଷୁ ବାହାର କରିବାକୁ ଶର ଲଗାଇବା ସମୟରେ ମା ଦୁର୍ଗାଙ୍କର ଆବିର୍ଭାବ ହୋଇଥିଲା। ଏହି ସମୟରୁ କୁମାରୀ ଦେବୀଙ୍କ ପୂଜାର ଆରମ୍ଭ।

ସପ୍ତମୀରୁ ଦଶମୀ ପର୍ଯ୍ୟନ୍ତ ସମୟ ଦୁର୍ଗାପୂଜା।ଆମର ସଂସ୍କୃତି ଅନୁସାରେ ଆମର ପୂଜା ପଞ୍ଚଭୂତ ଉପରେ ଆଧାରିତ। ମାଟି ମଣିଷକୁ ରହିବା ପାଇଁ ବାସ ଦେଲା ଓ ମାଟିରୁ ଉତ୍ପନ୍ନ ଫଳ ଖାଇ ମଣିଷ ଜୀବନ ନିର୍ବାହ କଲା।ଜଳ ବିନା ଜୀବନ ଅସମ୍ଭବ ହୋଇ ଥିବାରୁ ଜଳାଶୟ ବା ନଦୀ କୂଳରେ ଗଢ଼ି ଉଠିଥିଲା ଜନବସତି।ତେଜର ମୂର୍ତ୍ତିମନ୍ତ ପ୍ରତୀକ ସୂର୍ଯ୍ୟ ଙ୍କୁ ଭଗବାନ ସୂର୍ଯ୍ୟ ନାରାୟଣ ରୂପେ ପୂଜା କରାଗଲା।ମରୁତ୍ ବା ପବନ କୁ ପବନ ଦେବ ରୂପେ ଓ ବ୍ଯୋମ ବା ଆକାଶକୁ ଇଶ୍ଵରୀୟ ସତ୍ତା ରୂପେ ଗ୍ରହଣ କରାଗଲା।

ସପ୍ତମୀ ରେ ନବପତ୍ରିକା ପୂଜା କରାଯାଏ। ଏଥିରେ କଦଳୀ,ସାରୁ, ହଳଦୀ, ଅଶୋକ, ଡାଳିମ୍ବ,ବେଲ,ଧାନ ଆଦି ନ ଜାତି ପତ୍ର ଦ୍ଵାରା ମୂର୍ତ୍ତି ଗଠନ କରିବାର ବିଧି ରହିଛି। ଏହାପରେ ମହାସ୍ନାନ ବିଧି ସମ୍ପନ୍ନ ହୁଏ। ଚଣ୍ଡିପାଠ ହୋମ, ଦେବୀ ମାହାତ୍ମ୍ୟ ଗ୍ରନ୍ଥର ଆବୃତ୍ତି ସହ ହୋମ ଓ ପୁଷ୍ପାଞ୍ଜଳି ପ୍ରଦାନ କରିବା ବିଧି ରହିଛି।

ନବରାତ୍ର ସପ୍ତମ ଦିବସରେ ଦେବୀଙ୍କୁ କାଳରାତ୍ରୀ ସ୍ଵରୂପରେ ପୂଜା କରିବା ବିଧି। ଏହା ଦେବୀଙ୍କ ବିକଟାଳ ରୂପ। ଏହି ରୂପରେ ସେ ତ୍ରିନେତ୍ର ଧାରିଣୀ, ତାଙ୍କ ଶରୀରର ବର୍ଣ୍ଣ ଅନ୍ଧକାର ଭଳି କୃଷ୍ଣ ବର୍ଣ୍ଣ।ସେ ଚତୁର୍ଭୁଜା। ଦେବୀ ଦୁର୍ଗା ଗର୍ଦଭ ଉପରେ ଆରୁଢ ହୋଇ ହସ୍ତରେ ଲୌହ ଖଡ୍ଗ ଧାରଣ କରନ୍ତି।

ଶୁକ୍ଳ ଅଷ୍ଟମୀ ଓ ନବମୀ ତିଥିରେ ମହାମାରୁ ହୋଇଥିଲା। ମହିଷାସୁର ସମେତ ସମସ୍ତ ଅସୁର ନିଧନ ହୋଇଥିଲେ। ନବମୀ ରାତିର ଅନ୍ଧାର ସହ ସମସ୍ତ ଅମଙ୍ଗଳ ଅପସରି ଦଶମୀ ତିଥିରେ ‌ସମସ୍ତ ଶୁଭ କାର୍ଯ୍ୟ ଆରମ୍ଭ ହୋଇ ଥିବାରୁ ଏହା ଦୁଃଖହା ଦଶମୀ ନାମରେ  ଖ୍ୟାତ ବୋଲି ଆଦିକବି ସାରଳା ଦାସ ଚଣ୍ଡୀ ପୁରାଣ ରେ ଉଲ୍ଲେଖ କରିଛନ୍ତି।

ସମଗ୍ର ଭାରତରେ ଯେଉଁ ଭଳି ଭାବରେ ଶାରଦୀୟ ଦୁର୍ଗା ପୂଜା ଅନୁଷ୍ଠିତ ହୁଏ, ଏହାର ବ୍ୟତିକ୍ରମ ଦେଖାଯାଏ ଏହି ପ୍ରାଚୀନ ଉଡ୍ଡୀୟାନ ରାଜ୍ୟରେ। ଶ୍ରୀକ୍ଷେତ୍ର ପୁରୀ ଓ ଗଜପତି ମହାରାଜା ଙ୍କ ଶାସନ ବ୍ୟବସ୍ଥାକୁ ପାଥେୟ କରି ଶାରଦୀୟ ଦୁର୍ଗାପୂଜା କୁ ଦ୍ଵିତୀୟ ମହୋତ୍ସବ ଭାବରେ ଗ୍ରହଣ କରାଯାଇଛି। ଦୁର୍ଗା ମାଧବ ଉପାସନା ସମଗ୍ର ଭାରତରେ ଧର୍ମୀୟ ସଂଘର୍ଷ କୁ ପ୍ରତିହତ କରି ଶାକ୍ତ ଓ ବୈଷ୍ଣବ ସଂସ୍କୃତିର ଏକ ମଧୁର ସମନ୍ବୟ ର ବାର୍ତ୍ତା ପ୍ରଚାର କରୁଛି।

ବର୍ଷର ଆଶ୍ଵିନ ମାସର ଶୁକ୍ଳପକ୍ଷ ପ୍ରତିପଦ ଠାରୁ ନବମୀ ପର୍ଯ୍ୟନ୍ତ ନବରାତ୍ର ପୂଜା ଅନୁଷ୍ଠିତ ହୁଏ। ଶାରଦୀୟ ଦୁର୍ଗାପୂଜା ଅକାଳ ବୋଧନ ପୂଜା। ମୂଳ ବାଲ୍ମୀକି ରାମାୟଣରେ ନଥିଲେ ମଧ୍ୟ ରାମାୟଣର ପରବର୍ତ୍ତୀ ସଂସ୍କରଣ ମାନଙ୍କରେ ଶ୍ରୀରାମଚନ୍ଦ୍ର ଏହି ପୂଜା କରିଥିବାର ଉଲ୍ଲେଖ ଅଛି।

ମହାଦେବୀ ସକଳ ଶକ୍ତିର ଏକୀଭୂତ ସନାତନୀ ମହାଶକ୍ତି।।

ଆଲେଖ୍ୟ:: ବାବାଜୀ ଚରଣ ଦାସ।

କୋକିଳା ଗ୍ରୀନ ଆପାର୍ଟମେଣ୍ଟ, ପଞ୍ଚସଖା ନଗର, ଡୁମୁଡୁମା, ଭୁବନେଶ୍ବର-୧୯। ମୋବାଇଲ୍-୮୮୯୫୪୮୪୨୨୩।