ଯାଜପୁର ବିରଜା ମନ୍ଦିରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଯାଜପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭୁବନେଶ୍ବରରୁ ସ୍ବତନ୍ତ୍ର ବିମାନରେ ଯାଜପୁର ପହଞ୍ଚିବା ପରେ ମାଆ ବିରଜାଙ୍କୁ ଦର୍ଶନ କରିଛନ୍ତି। ନାଭିଗୟାରେ ପିଣ୍ଡଦାନ କରୁଛନ୍ତି । କୁସୁମାଠାରୁ ମାଆ ବିରଜାଙ୍କ ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ ପାଇଁ ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି। ସୁରକ୍ଷା ବଳୟରେ ରହିଛି ସଂପୂର୍ଣ୍ଣ ସହର । ମୁତୟନ ହୋଇଛନ୍ତି ୨୦ ପ୍ଲାଟୁନ୍ ଫୋର୍ସ । ରାଷ୍ଟ୍ରପତିଙ୍କ ଗସ୍ତ ଲାଗି ଯାଜପୁର ପୌରାଞ୍ଚଳର ସବୁ ସ୍କୁଲ ଛୁଟି ରଖାଯାଇଛି । ପିଣ୍ଡଦାନ ସ୍ଥାନ ନାଭିଗୟାକୁ ସଂପୂର୍ଣ୍ଣ ପରିଷ୍କାର ପରିଚ୍ଛନ୍ନ କରାଯାଇଛି। ମା’ଙ୍କ ଦର୍ଶନ, ପୂଜାର୍ଚ୍ଚନା ଓ ନାଭିଗୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ପାଇଁ ୧୬ ଜଣ ବ୍ରାହ୍ମଣଙ୍କ ବ୍ୟତୀତ ୩୨ଜଣ ସେବାୟତ ମନ୍ଦିରରେ ଉପସ୍ଥିତ ରହିବେ ବୋଲି ପ୍ରଶାସନ ପକ୍ଷରୁ ସ୍ଥିର ହୋଇଛି।
ଏଥିସହ ମା’ ବିରଜାଙ୍କ ସ୍ବତନ୍ତ୍ର ବେଶ ଓ ନୀତିକାନ୍ତି ସେମାନଙ୍କ ଦ୍ବାରା ସଂପନ୍ନ ହେବ। ବିରଜା ମନ୍ଦିର ପରିସର, ବ୍ରହ୍ମାକୁଣ୍ଡ ଓ ଆଖପାଖ ଅଞ୍ଚଳକୁ ମଧ୍ୟ ଆକର୍ଷଣୀୟ ରୂପ ଦିଆଯାଇଛି । ଭଳିକି ଭଳି ଫୁଲକୁଣ୍ଡରେ ବିରଜା କ୍ଷେତ୍ରକୁ ସଜାଇ ଫୁଲବଗିଚା ସୃଷ୍ଟି କରାଯାଇଛି।
