ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ।ମୃତଦେହ ନିକଟରୁ ମୋବାଇଲ୍‌ ନେଇ ଛୁ ମାରିଲେ ଯୁବତୀ

ବଡ଼ଗଡ଼ ବ୍ରିଟ କଲୋନୀରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ। ଝୁଲନ୍ତା ଅବସ୍ଥାରେ ଉଦ୍ଧାର କଲା ପୁଲିସ। ଘଟଣାରେ ଦୁଇ ଜଣ ଯୁବତୀଙ୍କୁ ସନ୍ଦେହ କରାଯାଉଛି। ଝୁଲନ୍ତା ଅବସ୍ଥାରେ ମିଳିଥିବା ଏହି ଯୁବକଙ୍କ ମୃତଦେହ ନିକଟରୁ ଦୁଇ ଯୁବତୀ ମୋବାଇଲ୍‌ ଫୋନ୍‌ ନେଇ ଏକ ସ୍କୁଟିରେ ପଳାଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ସିସିଟିଭି ଫୁଟେଜ୍‌ ଆଧାରରେ ବଡ଼ଗଡ଼ ଥାନା ପୋଲିସ ଏହି ଦୁଇ ଯୁବତୀଙ୍କୁ ଖୋଜୁଛି। ମୃତ ଯୁବକଙ୍କ ନାଁ ହେଉଛି ଶୁଭମ ପଣ୍ଡା। ତାଙ୍କ ଘର ଯାଜପୁରର କୁଆଖିଆରେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ ଶୁଭମ ବରଗଡ଼ରେ ପୂଜା ସାମଗ୍ରୀ ଦୋକାନ କରିଥିଲେ। ହେଲେ ଗୁରୁବାର ତାଙ୍କର ମୃତ୍ୟୁଦେହ ଝୁଲୁଥିବା ଖବର ମିଳିଥିଲା। ସୂଚନା ପାଇ ବଡଗଡ ଥାନା ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରିଛି। ପୁଲିସ ସିସିଟିଭିରେ ଫୁଟେ୍‌ଜ୍‌ ଯାଞ୍ଚ କରିବାରେ ସେଥିରେ ଦୁଇ ଯୁବତୀ ମୃତ ଶୁଭମ ପଣ୍ଡାଙ୍କ ପକେଟ୍‌ରୁ ମୋବାଇଲ୍ ଫୋନ୍ ନେଇ ପଳାଇଯାଉଥିବା ଦେଖାଯାଉଛି। ଏହି ଘଟଣା ସମ୍ପର୍କରେ ଅଧିକ ସୂଚନା ପାଇଁ ପୋଲିସ ସ୍ଥାନୀୟ ଲୋକଙ୍କ ସହଯୋଗ ମଧ୍ୟ ଲୋଡ଼ୁଛି।