ଯୋରନ୍ଦା ସେକ୍ଟରରେ ବିଶ୍ୱ ଧବଳକୁଷ୍ଠ ବା ଭିଟିଲିଗୋ(ଲେଉକୋଡରମା) ଦିବସ ପାଳନ।

ଆଠଗଡ଼ ୨୫/୦୬ (ମାନସ ରଞ୍ଜନ ସାହୁ) ବୁଧବାର ଯୋରନ୍ଦା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଯୋରନ୍ଦା ସେକ୍ଟର ସମୂହ ଗାଁ କଲ୍ୟାଣ ସମିତି ଆନୁକୂଲ୍ୟରେ ଯୋରନ୍ଦା ସେକ୍ଟରର ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମଙ୍କ ସଂଯୋଜନାରେ ରାଧାଗୋବିନ୍ଦପୁର ଅଙ୍ଗନବାଡି କେନ୍ଦ୍ରଠାରେ ବିଶ୍ୱ ଧବଳକୁଷ୍ଠ ବା ଭିଟିଲିଗୋ ଦିବସ ପାଳନ ହୋଇଯାଇଅଛି ।ଏହି ଅବସରରେ ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀ, ଅଙ୍ଗନବାଡିକର୍ମୀ,ଗାଁ କଲ୍ୟାଣ ସମିତିର ସଭ୍ୟ, ସଭ୍ୟା ଯୋଗଦାନ କରିଥିଲେ। ଧଳାଛଉ (Vitiligo) ଏକ ଚର୍ମ ରୋଗ । ଏହାର ଅନ୍ୟନାମ ଧବଳଛଉ । କୁଷ୍ଠରୋଗ ସହିତ କୌଣସି ସମ୍ପର୍କ ନ ଥିଲେ ମଧ୍ୟ ଅନେକଙ୍କର ଭ୍ରାନ୍ତ ଧାଣା ଯୋଗୁଁ ଏହାକୁ ଧବଳ କୁଷ୍ଠ ବୋଲି କୁହନ୍ତି । ଉତ୍ତର ଭାରତରେ ଏହାକୁ ଫୁଲେରି ବୋଲି କୁହନ୍ତି । ଆୟୁର୍ବେଦରେ ଏହି ରୋଗକୁ ଶ୍ଵେତ ଲାଞ୍ଛନ କୁହାଯାଏ ।ଏହି ରୋଗର ନିର୍ଦ୍ଦିଷ୍ଟ କାରଣ ଆଜିଯାଏ ସଠିକ୍ ଜଣାଯାଇନାହିଁ । ଅଧିକାଂଶ ମତରେ ଏହା ଏକ ସ୍ୱୀୟ ପ୍ରତିପିଣ୍ଡଜ (Autoimmune disease) ରୋଗ । ତେବେ ଆନୁସଙ୍ଗିକ ଅନେକ କାରଣ ଯେପରିକି ଅତ୍ୟଧୂକ ମାନସିକ ଚାପ, ପରଜୀବୀ ସଂକ୍ରମଣ ଜନିତ ପେଟ ଗୋଳମାଳ, ଗଳଗଣ୍ଡ ରୋଗ ତଥା ମଧୁମେହ ଆଦି ଅନେକ ରୋଗର ସହାବସ୍ଥିତି, କେତେକ ଔଷଧର କୁପ୍ରଭାବ ଓ କେତେକ ନିର୍ଦ୍ଦିଷ୍ଟ ରାସାୟନିକ ପଦାର୍ଥର ସଂସ୍ପର୍ଶ ଯୋଗୁଁ ଏହା ହୋଇପାରେ । ଚର୍ମର ସାଧାରଣ ରଙ୍ଗ ମେଲାନିନ୍ ନାମକ ଏକ ବର୍ଣ୍ଣକଣିକା ଯୋଗୁଁ ହୋଇଥାଏ । ସ୍ଥାନିକ ଭାବରେ ଏହି ବର୍ଷକଣିକାର ଅନବସ୍ଥିତି ଯୋଗୁଁ ଧଳା ଛଉ ସ୍ଥାନିକ ଭାବରେ ଆରମ୍ଭ ହୁଏ । ପୁରାପୁରି ଦେହସାରା ମାଡିଯିବାର ମଧ୍ୟ କେବେ କେବେ ଦେଖାଯାଏ । ବେଳେ ବେଳେ ଛଉ ଥିବା ସ୍ଥାନରେ ଥ‌ିବା ଲୋମ ମଧ୍ୟ ଧଳା ହୋଇଥାଏ।ଏହାର ଲକ୍ଷଣ
ଚର୍ମରେ ସାଧାରଣ ରଙ୍ଗର ଅଭାବରେ ଠାଏ ଠାଏ ଛଉ ଆକାର ଚିହ୍ନ ସୃଷ୍ଟି ହୋଇଥାଏ । କେତେକଙ୍କର ଓଠ, ଆର୍ଶ୍ଵପତା ଧଳା ହୋଇଯାଏ । ସାଧାରଣତଃ ଛଉର ରଙ୍ଗ ଦୁଧୂଆ ଧଳା ହୋଇଥାଏ । ଧଳା ଛଉକୁ ବୟସ ଛଉ ବା ଫୁଲ ଛଉ (ପିଟିରିଆସିସ୍ କବକ), ସୋରିଆସିସ୍, ବିଶେଷ କରି କୁଷ୍ଠ ଛଉ ବୋଲି ପ୍ରଥମରୁ ଅନେକ ଲୋକ ଭୁଲ୍ କ୍ରମେ ଧରିନିଅନ୍ତି । କିନ୍ତୁ ଚର୍ମ କେବଳ ଦୁଧୂ ରଙ୍ଗ ପଡ଼ିଯିବା ଛଡ଼ା ଅନ୍ୟ କୌଣସି ଉପସର୍ଗ, ଯଥା- କୁଣ୍ଡାଇ ହେବା, ବଧୂରା ହେବା, ପୋଡ଼ାଜଳା କରିବା ବା ଚୋପାଛାଡ଼ିବା ଆଦି ଲକ୍ଷଣ ଭିଟିଲିଗୋରେ ଦେଖାଯା ନାହିଁ । ଏହି ରୋଗ ମଣିଷର ଅନ୍ୟ କୌଣସି ବିକାର ବିକୃତି ବା ଅପକ୍ରିୟା ସୃଷ୍ଟି କରାଏ ନାହିଁ । ଜୀବନ ପ୍ରତି ମଧ୍ୟ କୌଣସି ଆଶଙ୍କା ସୃଷ୍ଟି କରାଏ ନାହିଁ । କେବଳ ରୋଗୀ ଅସୁନ୍ଦର ଦିଶିବା ଦ୍ବାରା ମାନସିକ
ଅଶାନ୍ତି ଓ ହୀନ ମନ୍ୟତାର ଶିକାର ହୋଇଥାଏ । ଏହାର ଚିକିତ୍ସା ସକାଳ ସୂର୍ଯ୍ୟର କଅଁଳ କିରଣରେ ଅଟ୍ରାଭାଉଲେଟ୍ ଥାଏ । ଦେହ ପ୍ରତି ଏହା ନିହାତି ଆବଶ୍ୟକ । କଅଁଳ କିରଣରେ ଖୋଲା ଦେହରେ ବସିବା ଶରୀର ପ୍ରତି ଅତ୍ୟନ୍ତ ଉପକାରୀ । ଆନୁସଙ୍ଗିକ ରୋଗ, ଯଥା- ରକ୍ତହୀନତା, କୃମି, ଗଳଗଣ୍ଡ, ମଧୁମେହ ଇତ୍ୟାଦି ରୋଗଥୁଲେ, ତା’ର ଚିକିତ୍ସା ଭିଟିଲିଗୋ ଚିକିତ୍ସା ସହ କରାଯିବା ଉଚିତ । ଆଜିକାଲି ଭିଟିଲିଗୋ ପାଇଁ ଖାଇବା ଓ ଲଗାଇବା ଔଷଧ ସହ ଲେଜର ରଶ୍ମି ମଧ୍ଯ ବାହାରିଲାଣି । ସର୍ବଦା ରୋଗର ଉତ୍ତମ ଚିକିତ୍ସା ପାଇଁ ବିଶେଷଜ୍ଞ ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ସେବନ କରିବା ଉଚିତ ।

You might also like