ରଜ ପର୍ବ କାହିଁକି ପାଳନ ହୁଏ ? କଣ ରହିଛି ପରମ୍ପରା ବିଚାର

ଓଡ଼ିଶାର ରଜପର୍ବ ଏକ ଗଣପର୍ବ । ଘରେ ଘରେ ଏହାର ପାଳନ ହେଉଥିବାବେଳେ ଏହାକୁ ନେଇ କେତେକ ରୋଚକ ଲୋକାଚାର ରହିଛି । ରଜପର୍ବ ପଛରେ ରହିଥିବା ଶାସ୍ତ୍ରୀୟ ତତ୍ତ୍ୱ ହେଲା, ସଚରାଚର ଜୀବ ପୃଥିବୀ ପୃଷ୍ଠରେ ବସବାସ କରନ୍ତି । ଆମର ଜୀବନଧାରଣ ଯାହାକିଛି ଆବଶ୍ୟକ ଖାଦ୍ୟ,ବସ୍ତ୍ର,ଗୃହ ଇତ୍ୟାଦି ଇତ୍ୟାଦି ଆମକୁ ବସୁଧା ମାତା ପ୍ରଦାନ କରିଥାନ୍ତି ।

ବିଶ୍ୱାସ କରାଯାଏ ପହିଲି ରଜଠାରୁ ତିନିଦିନ ମା’ ବସୁମତୀ ରଜସ୍ୱଳା ହୁଅନ୍ତି (ଅଦ୍ୟା ରଭ୍ୟ ପୃଥ୍ୱୀ ରଜସ୍ୱଳା ) । ଅର୍ଥାତ୍‌ ମାଟି ମା’ ଉତ୍ପାଦନକ୍ଷମ ହେବା ପାଇଁ ଏହା ଏକ ପ୍ରସ୍ତୁତି । ମାଟି ମା’ର ବିଶେଷତ୍ୱ ପ୍ରତି ସଚେତନତା ସୃଷ୍ଟି ଲାଗି ରଜ ତିନି ଦିନ ତାଙ୍କୁ ପୂର୍ଣ୍ଣ ବିଶ୍ରାମ ଦେବାର ନିୟମ ପାଳନ କରାଯାଏ । ଅର୍ଥାତ୍‌ ରଜ ତିନିଦିନ ବସୁମତୀଙ୍କୁ ପୂର୍ଣ୍ଣ ବିଶ୍ରାମ ଦେବା ଲକ୍ଷ୍ୟରେ ଭୂମିଖନନ, ଚାଷକାମ, କାଠକାମ,ନିର୍ମାଣ କାମ ଇତ୍ୟାଦି ବନ୍ଦ ରହିଥାଏ । ନିୟମ ବି ରହିଛି ଯେ, ମାଟି ଉପରେ ପାଦ ନପକାଇବା ଲାଗି ପାଦରେ ଝିଅମାନେ କଦଳୀ ପାଟୁକା ବାନ୍ଧିଥାନ୍ତି । ଯେହେତୁ ତିନିଦିନ କୌଣସି କାମ ହୁଏ ନାହିଁ,ଏଣୁ ଘରେ ଘରେ ପିଠାପଣାର ଆସର ଜମେ । ଲୁଡୁ,ତାସ୍‌,ପଶାପାଲି ଇତ୍ୟାଦିର ଖେଳ ଜମେ । ଗାଁଗଣ୍ଡାରେ ଆମ୍ବତୋଟା ଅବା ବଡ଼ ବଡ ଗଛଡାଳରେ ଦଉଡି ବନ୍ଧା ଯାଇ ରଜଦୋଳି ପ୍ରସ୍ତୁତ ହୁଏ । ଏହି ଖୁସି ମାହୋଲକୁ ଦ୍ୱିଗୁଣିତ କରନ୍ତି ଦୂରଦୂରାନ୍ତରୁ ଆସିଥିବା ବନ୍ଧୁ ପ୍ରିୟପରିଜନ ।

ରଜପର୍ବରେ ମହିଳାମାନଙ୍କୁ ବିଶେଷ ନିୟମ ପାଳନ କରିବାକୁ ହୁଏ । ଯେପରି କଟାକଟି ମହିଳାମାନେ କରନ୍ତି ନାହିଁ । ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ ସାରିବାକୁ ହୁଏ । ସେହିପରି ସୂର୍ଯ୍ୟାସ୍ତ ପୂର୍ବରୁ ଭୋଜନ ସାରିବାକୁ ପଡ଼େ । ରଜରେ ଯଦି କୌଣସି ମହିଳା ରଜୋବତୀ ହୁଅନ୍ତି,ସେହି ଦିନଠାରୁ ଫଳମୂଳ ଖାଇ ରହିଥାନ୍ତି । ତାଙ୍କୁ ଛୁଇଁବା ମନା ହୋଇଥାଏ । ରଜ ଶେଷ ପରେ ସମ୍ପୃକ୍ତ ମହିଳା ଶୁଦ୍ଧ ସ୍ନାନ କରିଥାନ୍ତି । ମହଳିାମାନଙ୍କୁ ପୂଜାପାଠ କରିବାକୁ ମଧ୍ୟ ବାରଣ ଥାଏ । ଏପରିକି ରଜ ବେଳେ ଝିଅମାନେ ଗୁରୁଜନମାନଙ୍କୁ ନମସ୍କାର କରିବାକୁ ବାରଣ ଥାଏ ।

ରଜର ଅନ୍ୟ ଏକ ବିଶେଷ ଆକର୍ଷଣ ପୋଡ଼ପିଠା ଏବଂ ରଜପାନ । ରଜପୂର୍ବ ରାତିରୁ ପୋଡ଼ପିଠା ପଲମରେ ଆଞ୍ଚରେ ବସାଯାଇ ପ୍ରସ୍ତୁତ କରାଯାଏ । ତା’ପରଦିନ ଅର୍ଥାତ୍‌ ରଜଦିନ ଖିଆଯାଏ । ଦ୍ୱିତୀୟ ରଜ ହେଉଛି ରଜ ସଂକ୍ରାନ୍ତି । ଏହା ମିଥୁନ ସଂକ୍ରାନ୍ତି । ଏହାକୁ ମନ୍ଦା ସଂକ୍ରାନ୍ତି ମଧ୍ୟ କୁହାଯାଏ । ରଜ ସଂକ୍ରାନ୍ତିରେ ଦେବୀ ମନ୍ଦିରରେ ତନ୍ତ୍ର ମତେ ହୋମ ଯଜ୍ଞ କରାଯାଏ । ରଜ ତିନିଦିନ ଶେଷରେ ବସୁମତୀ ଗାଧୁଆ । ଏହି ଦିନ ଶିଳପୁଆକୁ ଭୋର ସମୟରେ ହଳଦୀ ପାଣିରେ ଗାଧୋଇ, ଫୁଲ ଚନ୍ଦନ ଲଗାଇ ପୂଜା କରାଯାଏ ।