ରଥକାଠ ଅନୁକୂଳ ନିମନ୍ତେ ଦିନଧାର୍ଯ୍ୟ୨୩ ଓ ୩୦ ତାରିଖରେ କଟାଯିବ କାଠ
ଗଣିଆ, (ବିଶ୍ଵରଞ୍ଜନ୍ ସେଠି) ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ନିମନ୍ତେ ଦିନ ଧାର୍ଯ୍ୟ ହୋଇଛି । ମା’ ବଡ଼ରାଉଳଙ୍କ ପୀଠରେ ପ୍ରତ୍ୟେକ ବର୍ଷ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ହୋଇଥାଏ । ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ରଥକାଠ ଅନୁକୂଳ ନିମନ୍ତେ ଦିନଧାର୍ଯ୍ୟ ପାଇଁ ନୟାଗଡ଼ ବନଖଣ୍ଡ ଅଧିକାରୀ ଦେବାର୍ଚ୍ଚନ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଦଶପଲା ବନାଂଚଳ ଅଧିକାରୀ ଶ୍ରୀନିବାସ ଦାସଙ୍କ ନେତୃତ୍ୱରେ ଅବସରପ୍ରାପ୍ତ ବନପାଳ ତଥା ଗଣକ ପ୍ରଫୁଲ୍ଲ କୁମାର ଦାଶ ଗଣିଆରେ ପଂହଚିଥିଲେ । ସେଠାରେ ରଥକାଠ ଅନୁକୂଳ ପୁରୋଧା ପ୍ରଶନ୍ନ କୁମାର ଦାଶଙ୍କ ପାଖରେ ପଠାଣି ସାମନ୍ତ ପଞ୍ଜିକା ଅନୁସାରେ ରଥକାଠ ଅନୁକୂଳ ପାଇଁ ଦିନଧାର୍ଯ୍ୟ କରାଯାଇଥିଲା । ପାଞ୍ଜି ଅନୁସାରେ ଆସନ୍ତା ଡିସେମ୍ବର ମାସ ୨୩ ଓ ୩୦ତାରିଖ (ମଙ୍ଗଳବାର) ୨ଦିନ ଧାର୍ଯ୍ୟ କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନଙ୍କ ନିଷ୍ପତି ଅନୁସାରେ ଉକ୍ତ ଦୁଇଦିନ ମଧ୍ୟରୁ ଗୋଟିଏ ଦିନକୁ ଧାର୍ଯ୍ୟ କରାଯାଇ ରଥକାଠ ଅନୁକୂଳ କରାଯିବ ପାଇଁ ସ୍ଥିର କରାଯିବ ବୋଲି ବନାଂଚଳ ଅଧିକାରୀ ଶ୍ରୀନିବାସ ଦାଶ କହିଛନ୍ତି ।
