ରାଜଭବନରେ ନୂଆଁଖାଇ ପାଳିତ!

ରାଜଭବନରେ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଳିତ ହୋଇଛି ।ଆଜି ରାଜଭବନର ଅଭିଷେକ ହଲଠାରେ ଅନୁଷ୍ଠିତ ଏହି ପର୍ବରେ ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଏବଂ ରାଜ୍ୟର ମାନ୍ୟବର ପ୍ରଥମ ମହିଳା ଶ୍ରୀମତୀ ଜୟଶ୍ରୀ କମ୍ଭମପାଟି ଇଷ୍ଟଦେବୀ ମା ସମଲେଶ୍ଵରୀଙ୍କର ପୂଜାର୍ଚ୍ଚନା କରି ନୂଆ ଧାନ ଓ ନବାନ୍ନ ଅର୍ପଣ କରିଥିଲେ ଏବଂ ରାଜ୍ୟବାସୀଙ୍କର ଶୁଭ ମନାସିଥିଲେ । ରାଜ୍ୟପାଳଙ୍କ କମିଶନର- ତଥା- ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁଙ୍କ ସମେତ ରାଜଭବନର ଅଧିକାରୀ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଇଷ୍ଟଦେବୀଙ୍କର ଆଶୀର୍ବାଦ ପ୍ରାର୍ଥନା କରିଥିଲେ ଏବଂ ନବାନ୍ନ ଭକ୍ଷଣ କରିଥିଲେ । ନୂଆଁଖାଇ ପାଳନ କରି ରାଜ୍ୟପାଳ ଅତ୍ୟନ୍ତ ଆନନ୍ଦିତ ବୋଲି କହିଥିଲେ । ନୂଆଁଖାଇ ଏକ ପର୍ବ ଯାହା ଧରିତ୍ରୀ ମାତା ଓ ଆମର କୃଷକମାନଙ୍କ ପ୍ରତି କୃତଜ୍ଞତା ଜଣାଇବାର ଅବସର । ଏହି ପର୍ବ ପାରିବାରିକ ବନ୍ଧନକୁ ମଜବୁତ କରିବା ସହିତ ଲୋକଙ୍କୁ ଏକାଠି କରିଥାଏ ଏବଂ ସଦଭାବ ପ୍ରତିଷ୍ଠା କରିଥାଏ ବୋଲି ରାଜ୍ୟପାଳ କହିଛନ୍ତି । ଏହି ଅବସରରେ ଏକ ବାର୍ତ୍ତାରେ ରାଜ୍ୟପାଳ ଡ଼. କମ୍ଭମପାଟି କୃଷକ ଭାଇ ଭଉଣୀ ତଥା ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ସେମାନଙ୍କର ସୁଖ ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି ଏବଂ କୃଷି କ୍ଷେତ୍ରରେ ଓଡିଶାକୁ ଏକ ଅଗ୍ରଣୀ ଓ ପ୍ରଗତିଶୀଳ ରାଜ୍ୟରେ ପରିଣତ କରିବାକୁ ଆହ୍ଵାନ ଜଣାଇଛନ୍ତି ।