ରାଜ୍ୟରେ କମିବ ତାପମାତ୍ରା, ବଢିବ ଶୀତ

ରାଜ୍ୟରେ ଆସନ୍ତା ଦୁଇ ଦିନ ମଧ୍ୟରେ ୨ରୁ ୩ ଡିଗ୍ରୀ ରାତିର ତାପମାତ୍ରା କମିବ । ସୋମବାର ଦକ୍ଷିଣ ଉପକୂଳ ଓଡ଼ିଶା ଓ ରାୟଗଡ଼ାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ମଙ୍ଗଳବାରଠୁ ୮ ତାରିଖ ଯାଏ ରାଜ୍ୟ ସାରା ପାଗ ଶୁଖିଲା ରହିବ। ରାଜ୍ୟକୁ ଉତ୍ତରା ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ପଶିବା କାରଣରୁ ଦିନର ତାପମାତ୍ରା ଅପେକ୍ଷା ରାତିର ତାପମାତ୍ରାରେ ପରିବର୍ତ୍ତନ ହେବ । ଯାହାର ପ୍ରଭାବରେ ଆଜିଠୁ ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ୨ରୁ ୩ ଡିଗ୍ରୀ ତଳକୁ ଖସିବ ପାରଦ । ଫଳରେ ଥଣ୍ଡା ଅନୁଭୂତି ହେବ । ଏଥର ଶୀତ ବିଳମ୍ବରେ ଆସିଥିବା ବେଳେ ଫୁଲବାଣୀ, ଦାରିଙ୍ଗିବାଡ଼ି, ବାଲିଗୁଡ଼ା, ଗଜପତି ଜିଲ୍ଲାରେ ତାପମାତ୍ରା ଖସି ୧୫ରୁ ୧୭ ଡିଗ୍ରୀ ଭିତରେ ରହିପାରେ । ସେହିପରି ରାଉରକେଲା, ଝାରସୁଗୁଡ଼ା ଅଞ୍ଚଳରେ ବି ପାଗରେ ପରିବର୍ତ୍ତନ ହେବ । କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଝାରସୁଗୁଡ଼ାରେ ମଧ୍ୟ ଅନୁଭୂତି ହେବ ଥଣ୍ଡା । ତେବେ ଶୀତର ଅବଧି କମ୍ ରହିବ ଏବଂ ମଝିରେ ମଝିରେ ଅଧିକ ଶୀତ ହେବ ।”