ରାଜ୍ୟରେ କେହି ରହିବେନି ଭୂମିହୀନ । ୬ ମାସରେ ସମାଧାନ ହେବ ରାଜସ୍ଵ ବିଭାଗର ସବୁ ମାମଲା- ରାଜସ୍ଵ ମନ୍ତ୍ରୀ
ରାଜ୍ୟରେ କେହି ରହିବେନି ଭୂମିହୀନ । ୬ ମାସ ଭିତରେ ସମାଧାନ ହେବ ରାଜସ୍ଵ ବିଭାଗରେ ପଡ଼ିଥିବା ସବୁ ମାମଲା । ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ସମ୍ମିଳନରେ ଏକଥା କହିଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ରାଜସ୍ଵ ବିଭାଗରେ ପଡ଼ିଥିବା ସବୁ ମାମଲାର ସମାଧାନ ପାଇଁ ବିଭାଗ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ । ଅନ୍ୟପଟେ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଜମି ସୀମା ନିର୍ଦ୍ଧାରଣ ପ୍ରକ୍ରିୟାକୁ ସଂପୂର୍ଣ୍ଣ ଅନଲାଇନ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ପୁରୁଣା ମାନୁଆଲ ପ୍ରଣାଳୀରେ ଥିବା ଅସ୍ୱଚ୍ଛତା, ବିଳମ୍ବ ଓ ଦୁର୍ନୀତିର ଅଭିଯୋଗକୁ ଦୂର କରାଯାଇପାରିବ ବୋଲି ବିଭାଗ ଆଶା ରଖିଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ ସମସ୍ତ ରାଜସ୍ୱ ବିଭାଗୀୟ କମିଶନର ଓ ସମସ୍ତ ଜିଲ୍ଲାପାଳଙ୍କୁ ଏହି ସମ୍ପର୍କୀତ ଏକ ଗୁରୁତ୍ୱପୂର୍ଣ୍ଣ ଚିଠି ଜାରି କରିଛନ୍ତି । ଏହି ଚିଠିରେ ରେକର୍ଡଧାରୀଙ୍କ ଅନୁମୋଦିତ ଜମିର ସୀମା ନିର୍ଦ୍ଧାରଣ ପାଇଁ ନୂଆ ଏସ୍ଓପି ଜାରି କରାଯାଇଛି । ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଜମି ସୀମା ବିବାଦ, ବେଆଇନ ଦଖଲ ରୋକିବା ଓ ଜମି କ୍ରୟ-ବିକ୍ରୟ ପ୍ରକ୍ରିୟାକୁ ସୁଗମ କରିବାରେ ଏହି ବ୍ୟବସ୍ଥା ଅତ୍ୟନ୍ତ ଉପଯୋଗୀ ହେବ । ଏବେ ଆବେଦନକାରୀ ଘରେ ବସି ରାଜସ୍ୱ ବିଭାଗର ଅନଲାଇନ୍ ପୋର୍ଟାଲରେ ଆବେଦନ କରି ନିଜେ ମାପ ତାରିଖ ଓ ସମୟର ସ୍ଲଟ୍ ବୁକ୍ କରିପାରିବେ । ଅନଲାଇନ୍ ଆବେଦନ ପାଇଁ ଆବେଦନକାରୀ ବିଭାଗର ଅନଲାଇନ୍ ପୋର୍ଟାଲରେ ଇ-କେୱାଇସି ଯାଞ୍ଚ ପରେ ଆବେଦନ ଦାଖଲ କରିବେ ।
