ରାଜ୍ୟରେ ନାହିଁ ବିଶେଷ ବର୍ଷା, କଷ୍ଟ ଦେଉଛି ଗରମ ସାଙ୍ଗକୁ ଗୁଳୁଗୁଳି
ରାଜ୍ୟରେ ପ୍ରବଳ ଖରା । ପୁଣି ଗୁଳୁଗୁଳି । ତାପମାତ୍ରା ୩୬ ଡେଇଁ ୩୭ ଡିଗ୍ରୀ ସେଲସିୟସ୍ ପାଖରେ ପହଞ୍ଚିଲାଣି । ରାତି ଅସହ୍ୟ ହେଉଛି । ଚିନ୍ତାର ବିଷୟ ହେଲା-ରାଜ୍ୟରେ ଏବେ ବିଶେଷ ବର୍ଷା ସମ୍ଭାବନା ନାହିଁ |ଶୁକ୍ରବାର ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନ ଓ ଉପକୂଳର ଅଳ୍ପ କିଛି ଜାଗାରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । କୋରାପୁଟ, ମାଲକାନଗିରି, ନବରଙ୍ଗପୁରରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଶନିବାରଠାରୁ ବିଶେଷ ବର୍ଷା ସମ୍ଭାବନା ନାହିଁ । କାଁ ଭାଁ ବର୍ଷା ହେବ ।କୃଷି ପାଣିପାଗ ବିଶାରଦ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁସାରେ ବର୍ତ୍ତମାନ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ଆସନ୍ତା ୩ ଦିନ ଭିତରେ ଉତ୍ତର ଓଡ଼ିଶାରେ ଗରମ କମିବାର ସମ୍ଭାବନା ଦେଖାଯାଉନି । ତେବେ ଭୁବନେଶ୍ୱର ଓ କଟକରେ ଶୁକ୍ରବାର ସାମାନ୍ୟ ତାପମାତ୍ରା କମିପାରେ । ହେଲେ ଶନିବାର ପୁଣି କିଛି ମାତ୍ରାରେ ବଢ଼ିବା ସହ ରବିବାର ସାମାନ୍ୟ କମିପାରେ । ବର୍ତ୍ତମାନ ପବନର ବେଗ ଅତ୍ୟନ୍ତ ଧିମା ରହିବା ସହ ଆର୍ଦ୍ରତା ଅଧିକ ରହୁଛି । ବାୟୁମଣ୍ଡଳର ନିମ୍ନ ଭାଗରୁ ଗରମ ପବନ ଉପରକୁ ଉଠିପାରୁନି । ତେଣୁ ଗରମ ପ୍ରକୋପ ଅଧିକ ଅନୁଭୂତ ହେଉଛି ।
