ରାଜ୍ୟରେ ପୁଣି ଶୀତ ବଢ଼ିବ, ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ କମିଯିବ

ସୋମବାରଠାରୁ ରାଜ୍ୟରେ ପୁଣି ଶୀତ ବଢ଼ିବ । ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ କମିବ । ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନକୁ ଥରାଇବ ଶୀତ । ପାଣିପାଗ ବିଭାଗ ଏଭଳି ଆକଳନ କରିଛି ।ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ଏଭଳି ଘନ କୁହୁଡ଼ି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଯାଜପୁର ଓ ନୟାଗଡ଼ ଜିଲ୍ଲାରେ ସର୍ବାଧିକ କୁହୁଡ଼ି ରହିବା ନେଇ ବିଭାଗ ଆକଳନ କରିଛି। ସେହିପରି ଆସନ୍ତା ୩ ଦିନ ରାତି ତାପମାତ୍ରା ୨ରୁ ୪ ଡିଗ୍ରି ଖସିବା ସମ୍ଭାବନା ରହିଛି ।ସୋମବାର ଫୁଲବାଣୀ, ବୌଦ୍ଧ, ଅନୁଗୁଳ, ସୋନପୁର, ବଲାଙ୍ଗୀର, ଟିଟିଲାଗଡ଼, ନୂଆପଡ଼ା, ନବରଙ୍ଗପୁରରେ ରାତି ତାପମାତ୍ରା ୧୦ରୁ ୧୨ ଡିଗ୍ରୀ ଭିତରେ ରହିବ । ମଙ୍ଗଳବାର ଫୁଲବାଣୀରେ ୮ ଡିଗ୍ରୀ, କୋରାପୁଟରେ ୯, ବୌଦ୍ଧ ଓ ଭବାନୀପାଟଣାରେ ୧୦, ରାଉରକେଲା, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ୧୧, କେନ୍ଦୁଝର, ଢେଙ୍କାନାଳ ଓ ମାଲକାନଗିରିରେ ରାତି ତାପମାତ୍ରା ୧୨ ଡିଗ୍ରୀ ରହିପାରେ ।