ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ । ମାର୍ଚ୍ଚ ୧୬ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ
ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଲା । ମାର୍ଚ୍ଚ ୧୬ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ । ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ ।ମାର୍ଚ୍ଚ ୫ ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ, ୬ ତାରିଖରେ ଯାଞ୍ଚ। । ମାର୍ଚ୍ଚ ୯ ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ।ସେହିପରି ମାର୍ଚ୍ଚ ୧୬ ତାରିଖ ସକାଳ ୯ରୁ ଅପରାହ୍ଣ ୪ ଯାଏଁ ଭୋଟ୍ ଗ୍ରହଣ, ଅପରାହ୍ଣରେ ହେବ ଭୋଟ୍ ଗଣତି । ସୂଚନାମୁତାବକ ବିଧାନସଭା ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଅଧିବେଶନ ଗତକାଲି ସରିଥିବା ବେଳେ ଏବେ ସବୁ ଦଳର ନଜର ରାଜ୍ୟସଭା ସମ୍ଭାବ୍ୟ ପ୍ରାର୍ଥୀଙ୍କ ଉପରେ । ସଂଖ୍ୟା ଥାଉ କି ନଥାଉ, ସବୁ ଦଳ ଏହି ରେସରେ ଧାଇଁଲେଣି । ଓଡ଼ିଶାରୁ ରାଜ୍ୟସଭା ପାଇଁ ବିଜେପି କାହାକୁ ପ୍ରାର୍ଥୀ କରିବ, ତାହା ଦଳର କେନ୍ଦ୍ରୀୟ ନେତୃତ୍ୱ ସ୍ଥିର କରିବେ । ଅନ୍ୟପଟେ ରାଜ୍ୟସଭାର ଚତୁର୍ଥ ଆସନ ବିଜେପିକୁ ନ ଛାଡ଼ିବା ପାଇଁ ପିସିସି ସଭାପତି ଭକ୍ତ ଦାସ ଗୋଟି ଚାଳନା ଜାରି ରଖିଛନ୍ତି । ଏବେ ବି ଭକ୍ତ ଅପେକ୍ଷା କରିଛନ୍ତି ନବୀନଙ୍କ ଘୋଷଣାକୁ । ନଚେତ୍ କଂଗ୍ରେସ ଏକାକି ନିଜସ୍ୱ ପ୍ରାର୍ଥୀ ଦେବ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ଦଳର ବରିଷ୍ଠ ନେତା କିମ୍ବା ବିଶିଷ୍ଟ ବ୍ୟକ୍ତି, ପ୍ରତିଷ୍ଠିତ ସମାଜସେବୀଙ୍କୁ ପ୍ରାର୍ଥୀ କରାଯାଇପାରେ । ସଂଖ୍ୟା ବଳ ଦେଖିଲେ ବିଜେପି ୨ଟି ରାଜ୍ୟସଭା ଆସନ ଓ ବିଜେଡି ଗୋଟିଏ ଆସନ ଜିତିବା ପକ୍କା । ଅସଲ ଲଢ଼େଇ ହେବ ଚତୁର୍ଥ ଆସନ ପାଇଁ ।
