ରାଧାପାଦ ଦର୍ଶନ ପାଇଁ ଟ୍ରାଫିକ ପରାମର୍ଶ ଜାରି
ଶୁକ୍ରବାର ଅଁଳା ନବମୀ ପାଇଁ ଜାରି ହୋଇଛି ଟ୍ରାଫିକ୍ ଆଡଭାଇଜରୀ । ରାଧାପାଦ ଦର୍ଶନ କରିବାକୁ ସାକ୍ଷୀଗୋପାଳ ସ୍ଥିତ ଗୋପାଳଜୀଉ ମନ୍ଦିର ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ରୁଟ ଚାର୍ଟ ଓ ପାର୍କିଂ ନିଦେର୍ଶାବଳୀ ଜାରି ହୋଇଛି । ଭୁବନେଶ୍ୱର ପଟୁ ଆସୁଥିବା ସମସ୍ତ ହାଲୁକାଯାନ କଲେଜ ଛକ ଦେଇ କୋଠଉପର, BSNL ପଡ଼ିଆରେ ଗାଡି ପାର୍କିଂ କରିବେ ଏବଂ ସମାନ ମାର୍ଗ ଦେଇ ଫେରିବେ।ସାକ୍ଷୀଗୋପାଳ ବଜାର ଦେଇ ଆସୁଥିବା ସମସ୍ତ ହାଲୁକା ଯାନ ରେଲଓ୍ବେ ଲେଭଲ କ୍ରସିଂ ପାଖରେ ପାର୍କିଙ୍ଗି କରିବେ ଏବଂ NH୩୧୬ ଦେଇ ଫେରିବେ। ଏହି କଟକଣା ଆଜି ରାତ୍ରି ୧୨ଟାରୁ ନଭେମ୍ବର ୧ ଦର୍ଶନ ଶେଷ ପର୍ଯ୍ୟନ୍ତ ଲାଗୁ ରହିବ। ସହାୟତା ପାଇଁ ଏହାସହିତ ପୋଲିସ ପକ୍ଷରୁ ୨୪ ଘଣ୍ଟିଆ ହେଲ୍ପଲାଇନ ନମ୍ବର ଜାରି ହୋଇଛି। ଅନ୍ୟପଟେ ଚଳିତ ବର୍ଷ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀରାଧାଙ୍କ ବିଗ୍ରହ ସହ ରହିଥିବା ପୁରୁଣା ଚାନ୍ଦିରୁପା ପ୍ରଭା ପରିବର୍ତ୍ତନ କରାଯାଇ ନୂତନ ପ୍ରଭା ଲାଗି କରାଯାଇଛି। ନବ ନିର୍ମିତ ପ୍ରଭାରେ ଓଡ଼ିଆ ସ୍ବର୍ଣ୍ଣ ରୌପ୍ୟ ଶିଳ୍ପୀଙ୍କ ଦ୍ବାରା ପ୍ରସ୍ଫୁଟିତ ପଦ୍ମଫୁଲ, ମୟୁର, ସେବତୀ ଫୁଲ, ଲତା ଓ କଳସ ପ୍ରଭାରେ ଶୋଭାପାଉଛି। ପୂର୍ବରୁ ରତ୍ନସିଂହାସନରେ ଶ୍ରୀରାଧା ରାଣୀଙ୍କ ବିଗ୍ରହ ପଛକୁ ଲାଗିରହିଥିବା ପୁରୁଣା ପ୍ରଭା ଅପସାରଣ କରାଯାଇ ନୂଆ କାରୁକାର୍ଯ୍ୟ ପୂର୍ଣ୍ଣ ପ୍ରଭା ରଖାଯାଇଛି। ତେବେ ରାଧା ପାଦ ଦର୍ଶନ ପାଇଁ ରାତି ଗୋଟାଏରେ ମନ୍ଦିର ଦ୍ବାରା ଫିଟା ନୀତି, ୧.୩୦ରେ ମଙ୍ଗଳ ଆଳତୀ । ତା’ପରେ ବେଶ, ମଇଲମ ନୀତି ରାତି ୩ଟା ମଧ୍ୟରେ ଶେଷ ହେବ। ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ସକାଳ ଧୂପ, ବାଳ ଭୋଗ ନୀତି ୩.୩୦ରେ ସମାପନ ହୋଇ ଭୋର ୫ଟାରୁ ସର୍ବସାଧାରଣ ସାହଣ ମେଲା ଦର୍ଶନ ଆରମ୍ଭ ହେବ। ଏହା ଅପରାହ୍ନ ୫.୩୦ ପର୍ଯ୍ୟନ୍ତ ଚାଲିବ ।
ପରବର୍ତ୍ତୀ ଦର୍ଶନ ସଂଧ୍ୟା ୬ଟାରୁ ରାତି ସାଢ଼େ ୧୨ଟା ପର୍ଯ୍ୟନ୍ତ ଚାଲିବ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ପାନୀୟ ଜଳ, ଶୈାଚାଳୟ ବ୍ୟବସ୍ଥା ବି ହୋଇଛି। ଗାଡି ପାର୍କିଂ ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା

 
			