ରାଷ୍ଟ୍ରପତିଙ୍କ ହେଲିକପ୍ଟର ଲ୍ୟାଣ୍ଡିଂ ବେଳେ ଅଘଟଣ

ଆଜି କେରଳ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚାରି ଦିନ ପାଇଁ କେରଳ ଗସ୍ତରେ ଯାଇଥିବା ସମୟରେ ରାଷ୍ଟ୍ରପତିଙ୍କ ସୁରକ୍ଷାରେ ବଡ ତ୍ରୁଟି ଦେଖିବାକୁ ମିଳିଛି । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାବରୀମାଳାର ଭଗବାନ ଆୟାପ୍ପା ମନ୍ଦିରରେ ଦର୍ଶନ ଏବଂ ଆରତୀ ପାଇଁ ପଠାଣମଥିଟ୍ଟା ଯିବାର କାର୍ଯ୍ୟକ୍ରମ ଥବଲା । ଏଥିପାଇଁ ରାଷ୍ଟ୍ରପତିଙ୍କ ହେଲିକପ୍ଟର ପଠାଣମଥିଟ୍ଟାର ପ୍ରମାଦମ୍‌ ଷ୍ଟାଡିୟମର ହେଲିପ୍ୟାଡରେ ଅବତରଣ କରିବା ବେଳେ ଅଘଟଣ ଘଟିଥିଲା ।କେରଳ ପ୍ରମାଦମରେ ନବନିର୍ମିତ କଂକ୍ରିଟ ହେଲିପ୍ୟାଡରେ ଫସିଲା ହେଲିକପ୍ଟର । ହେଲିକପ୍ଟରକୁ ଠେଲି ଠେଲି ଉଦ୍ଧାର କରିଛନ୍ତି ପୋଲିସ ଏବଂ ଅଗ୍ନିଶମ ଟିମ୍ । ବାୟୁସେନା ହେଲିକପ୍ଟର ଓଜନ ଯୋଗୁଁ ହେଲିପ୍ୟାଡରେ ଗୋଟେ ଭାଗ ଧସିଯାଇଥିଲା । ଫଳରେ ଏକ ବଡ଼ ଅଘଟଣରୁ ରକ୍ଷା ପାଇଛି । ପୋଲିସ ଓ ଅଗ୍ନିଶମ ଟିମ୍ ହେଲିକପ୍ଟରକୁ ଠେଲୁଥିବାର ଭିଡିଓ ସାମ୍ନାକୁ ଆସିଛି ।ଏହି ଘଟଣା ରାଷ୍ଟ୍ରପତିଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି । କେଉଁ ପରିସ୍ଥିତିରେ ଓ କାହିଁକି ଏଭଳି ଘଟଣା ଘଟିଲା ତାହାର ତଦନ୍ତ କରାଯିବ ।