ରିଲିଜ୍ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା-୨’ର ଟିଜର

ତେଲୁଗୁ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ନିଜ ଜନ୍ମଦିନରେ ତାଙ୍କ ପ୍ରଶଂସକଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଅଭିନେତାଙ୍କ ଆଗାମୀ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା-୨’ର ଟିଜର ରିଲିଜ୍ କରିଛନ୍ତି ନିର୍ମାତା, ଯାହା ଏବେ ଭାଇରାଲ ହେବାରେ ଲାଗିଛି। ଏହି ଟିଜରରେ ଅଲ୍ଲୁ ଅର୍ଜୁନଙ୍କୁ ଭିନ୍ନ ଲୁକରେ ଦେଖିବାକୁ ମିଳୁଛି । ମୁହଁରେ ରଙ୍ଗ ମାରି ଶାଢୀ ପିନ୍ଧିବା ସହ ଫାଇଟ କରୁଥିବାର ଦେଖିବାକୁ ମିଳୁଛି । ହାତରେ ତ୍ରିଶୁଳ ଧରିଥିବା ବେଳେ ଅନେକ ଲୋକଙ୍କ ଗହଣରେ ପୁଷ୍ପାଙ୍କୁ ଦେଖିବାକୁ ମିଳୁଛି । ବର୍ଷେ ପୂର୍ବରୁ ପୁଷ୍ପା-୨ ଫିଲ୍ମର ପ୍ରଥମ ଝଲକ ଦେଖିବାକୁ ପାଇଥିଲେ ଦର୍ଶକ । ସେତେବେଳେ ୩ ମିନିଟ୍ ୧୪ ସେକେଣ୍ଡର ଭିଡ଼ିଓକୁ ବେଶ ପସନ୍ଦ କରିଥିଲେ ସିନେପ୍ରେମୀ । ଏହି ଭିଡ଼ିଓରେ ପୁଷ୍ପାକୁ ପୋଲିସ ଖୋଜୁଥିବା ବେଳେ ଜଙ୍ଗଲରେ ପୁଷ୍ପା ବୁଲୁଥିବାର ଦେଖିବାକୁ ମିଳିଥିଲା ।

‘ପୁଷ୍ପା: ଦି ରାଇଜ’ର କାହାଣୀ ଓ ଡାଏଲଗ୍ ଉଭୟ ବ୍ଲକବଷ୍ଟର ଥିବା ବେଳେ ‘ପୁଷ୍ପା: ଦି ରୁଲ୍’ ତା’ଠାରୁ ଅଧିକ ଲୋକପ୍ରିୟ ହେବ ବୋଲି ଟିଜର ପ୍ରମାଣ କରିଛି। ‘ପୁଷ୍ପା ୨’ ଅଗଷ୍ଟ ୧୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଏହାର ପ୍ରଥମ ଟିଜର ଦର୍ଶକଙ୍କ ମନରେ ଚଳଚ୍ଚିତ୍ରକୁ ନେଇ ଉତ୍ସାହ ବଢ଼ାଇ ଦେଇଛି। ସୁକୁମାରଙ୍କ ନିର୍ଦ୍ଦେଶିତ ‘ପୁଷ୍ପା-୨: ଦିରୁଲ’ରେ ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦାନା, ଫହାଦ ଫସିଲ ପ୍ରମୁଖ ଅଭିନୟ କରିଛନ୍ତି। ଏହି ଫିଲ୍ମର ପ୍ରଯୋଜନା କରିଛନ୍ତି ମୈତ୍ରି ମୁଭି ମେକର୍ସ।