ରେଳ ଧାରଣା, ଟ୍ରେନରେ ରିଲସ ଓ ସେଲଫି ମନା
ଯୁବପୀଢି ଟ୍ରେନ ସମ୍ମୁଖରେ ରିଲସ ଓ ସେଲଫି ନେବାକୁ ଯାଇ ଜୀବନକୁ ବିପଦରେ ପକାଉଛନ୍ତି । ତେଣୁ ପୂର୍ବତଟ ରେଳପଥ କଡା ଚେତାବନୀ ଦେଇଛି । ବାରମ୍ବାରେ ଏଭଳି କରୁଥିବା ଯୁବପୀଢିଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ।ପୂର୍ବତଟ ରେଳପଥ କହିଛି, ଯୁବପୀଢ଼ିମାନେ ରେଳପଥ ଉପରେ, ଟ୍ରାକ୍ ନିକଟରେ କିମ୍ବା ଚାଲୁଥିବା ଟ୍ରେନ୍ର ଫୁଟବୋର୍ଡ କିମ୍ବା ଛାତ ଉପରେ ଭିଡିଓ ସୁଟିଂ କରୁଛନ୍ତି । ଏଭଳି ଦୃଶ୍ୟ ବେଆଇନ ଅଟେ । ରେଳବାଇ ଆଇନ ୧୯୮୯ ଅନୁଯାୟୀ, ଏହା ଦଣ୍ଡନୀୟ ଅପରାଧ। ଏହା ବିରୋଧରେ କଡାକଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି କହିଛି ପୂର୍ବତଟ ରେଳପଥ ।
ଏପରିକି ରେଳ ସୁରକ୍ଷା ବଳ (RPF) ଏବଂ ସରକାରୀ ରେଳ ପୋଲିସ (GRP)କୁ ଉଲ୍ଲଂଘନକାରୀଙ୍କ ବିରୋଧରେ ‘ଶୂନ୍ୟ ସହନଶୀଳତା’ ନୀତି ଅନୁସରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଶୀଘ୍ର ଏବଂ କଠୋର ହେବ। ଚଳନ୍ତା ଟ୍ରେନ୍ ନିକଟରେ ଫଟୋ କିମ୍ବା ଭିଡିଓ କରିବା କିମ୍ବା ରେଳପଥ ଉପରେ ଅନଧିକୃତ ପ୍ରବେଶ କରୁଥିବା ଯେ କୌଣସି ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ। ଏହିପରି ଉଲ୍ଲଂଘନକାରୀଙ୍କ ବିରୋଧରେ ରେଳ ଆଇନ, 1989 ର ଧାରା 147 ଏବଂ 153 ଅନୁଯାୟୀ ମାମଲା ରୁଜୁ ହେବ, ଯେଉଁଥିରେ ଜେଲ ଦଣ୍ଡ ସହିତ ଆର୍ଥିକ ଦଣ୍ଡ ମଧ୍ୟ ଲାଗୁ ହେବ।
