ଲାଗୁ ହେବ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତା ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ୭ଟି ବିଭାଗର ୧୦ଟି ପ୍ରସ୍ତାବରେ ମୋହର ମାରିଛି କ୍ୟାବିନେଟ । ରାଜ୍ୟରେ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛି ୨୦୨୫ ବର୍ଷର ଶେଷ କ୍ୟାବିନେଟ ।ଓଡ଼ିଶାର ବରପୁତ୍ର, ସ୍ୱାଧୀନତା ସଂଗ୍ରାମୀ, କବି, ସାହିତି୍ୟକ, ଶିକ୍ଷାବିତ୍, ସମାଜ ସୁଧାରକ ଏବଂ ମହାନ୍ ବ୍ୟକ୍ତିତ୍ୱମାନେ ଓଡ଼ିଶାର ସାମାଜିକ-ସାଂସ୍କୃତିକ-ସାହିତି୍ୟକ ପରିବେଶକୁ ଗଢ଼ିଥିଲେ। ସେମାନଙ୍କର ଜୀବନବ୍ୟାପୀ ସାଧନା ଓ ବଳିଦାନକୁ ସ୍ମରଣ କରି ସେମାନଙ୍କ ସ୍ମୃତିକୁ ପରପିଢ଼ି ପାଇଁ ସାଇତି ରଖିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି।ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନା ପାଇଁ ୨୫ ଜଣ ବରପୁତ୍ରଙ୍କ ନାମ ନିର୍ଦ୍ଧାରିତ ହୋଇଛି । ପ୍ରତ୍ଯେକ ବରପୁତ୍ରଙ୍କ ଜନ୍ମସ୍ଥାନର ଉନ୍ନତିକରଣ ପାଇଁ ସର୍ବାଧିକ ୧୫ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରାଯିବ । ପ୍ରଥମ ପର୍ଯ୍ୟାୟରେ ୨୫ ଜଣ ବରପୁତ୍ରଙ୍କ ଜନ୍ମସ୍ଥାନର ଉନ୍ନତିକରଣ ପାଇଁ ସର୍ବାଧିକ ୩୪୫ କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ପ୍ରତିବର୍ଷ ରାଜ୍ୟ ବଜେଟରେ ସ୍ଥାନିତ କରାଯିବ । ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି/ସ୍ମାରକୀ ସ୍ଥାପନ କରାଯିବ। ସ୍ଥାନୀୟ ଜୀବିକାକୁ ପ୍ରୋତ୍ସାହନ ଦେବା ପାଇଁ ସ୍ଥାନୀୟ ପ୍ରସିଦ୍ଧ ବ୍ୟଞ୍ଜନ, ହସ୍ତକଳା ଓ ହସ୍ତଶିଳ୍ପ ଉତ୍ପାଦ ଆଦିର ବିକ୍ରୟ କେନ୍ଦ୍ର ସ୍ଥାପନ କରାଯିବ। ସେମାନଙ୍କ ଜୀବନୀ ଉପରେ ବିଭିନ୍ନ ସମ୍ମିଳନୀ, ଚର୍ଚ୍ଚା, ଆଲୋଚନା ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସେମାନଙ୍କର ଆଦର୍ଶ, ପ୍ରେରଣା ଓ ମୂଲ୍ୟବୋଧର ପ୍ରଚାର ପ୍ରସାର କରାଯିବ।
