ଲାଗୁ ହେଲା e-Arrival Card , ସହଜରେ ଭାରତ ଆସିପାରିବେ ବିଦେଶୀ

ପ୍ରତିବର୍ଷ ଲକ୍ଷ ଲକ୍ଷ ବିଦେଶୀ ପର୍ଯ୍ୟଟକ ଭାରତ ଆସନ୍ତି । ଭାରତରେ ଏମିତି ଅନେକ ପର୍ଯ୍ୟଟନ ସ୍ଥଳ ରହିଛି, ଯାହାକୁ ଦେଖିବା ବିଦେଶୀମାନଙ୍କ ସ୍ୱପ୍ନ । କିନ୍ତୁ ସେମାନଙ୍କ ପାଇଁ ଭାରତ ଆସିବା ସେତେ ସହଜ ନୁହେଁ । ଯିବାଆସିବା ବେଳେ ବିମାନବନ୍ଦରରେ ସେମାନଙ୍କୁ ଅନେକ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିଥାଏ। ତେଣୁ ଏହାକୁ ଦୃଷ୍ଟିରେ ରଖି ଅକ୍ଟୋବର ୧ରୁ ପୂର୍ବରୁ ଥିବା ନିୟମରେ କିଛି ପରିବର୍ତ୍ତନ ହୋଇଛି ।ଟ୍ରାଭେଲ୍ , ପାଠପଢ଼ା ,ବିଜ୍‌ନେସ୍ କିମ୍ବା ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଭାରତ ଆସୁଥିବା ବିଦେଶୀମାନଙ୍କୁ ଗୋଟିଏ ଡିଜିଟାଲ ଆଗମନ କାର୍ଡ ଦାଖଲ କରିବାକୁ ପଡିବ । ଯାହା ପରେ ସେମାନେ ସହଜରେ ଭାରତରେ ପ୍ରବେଶ କରିପାରିବେ । E-Arrival Card ଅର୍ଥାତ୍ ଇ-ଆଗମନ କାର୍ଡ ପାଇବା ପାଇଁ ବିଦେଶୀ ନାଗରିକମାନଙ୍କୁ ସେମାନଙ୍କର ପାସପୋର୍ଟ ନମ୍ବର, ଜାତୀୟତା, ଭାରତ ଆସିବାର କାରଣ, ଭାରତରେ ରହିବା ସ୍ଥାନ ଏବଂ ମୋବାଇଲ୍ ନମ୍ବର ପଞ୍ଜୀକୃତ କରିବାକୁ ପଡିବ । ଏହା ବ୍ୟତୀତ କୌଣସି ଦଲିଲ ଦାଖଲ କରିବାର ଆବଶ୍ୟକତା ନାହିଁ । ଭାରତୀୟ ନାଗରିକ କିମ୍ବା ବିଦେଶରେ ରହୁଥିବା ଭାରତୀୟ ନାଗରିକମାନଙ୍କ ପାଇଁ ଡିଜିଟାଲ କାର୍ଡ ବାଧ୍ୟତାମୂଳକ ନୁହେଁ ।ଯଦି କୌଣସି ବିଦେଶୀ ଭାରତ ଆସନ୍ତି, ସେମାନଙ୍କୁ ବିମାନବନ୍ଦରରେ ଥିବା ଇମିଗ୍ରେସନ କାର୍ଯ୍ୟାଳୟରେ ଆଗମନ ଫର୍ମ ପୂରଣ କରିବାକୁ ପଡିଥାଏ। ଅନେକ ସମୟରେ ଏହି ପ୍ରକ୍ରିୟାରେ ଅଧିକ ସମୟ ଲାଗିଥାଏ। ଏଭଳି ପରିସ୍ଥିତିରେ, ଇ-ଆରାଇଭାଲ୍ କାର୍ଡ ଦ୍ୱାରା ଏହି ପ୍ରକ୍ରିୟା ଡିଜିଟାଲ ମାଧ୍ୟମରେ ଖୁବ୍ ଶୀଘ୍ର ସମ୍ପୂର୍ଣ୍ଣ କରାଯାଇପାରିବ ବୋଲି ଆଶା କରାଯାଉଛି ।