ଲାଞ୍ଚ ନେଉଥିବାବେଳେ ସହକାରୀ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ

କୋରାପୁଟ ଜିଲା କୁନ୍ଦୁରା ବ୍ଲକ କାର୍ଯ୍ୟାଳୟଠାରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଲମ୍ବୋଦର ନାୟକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି।ମସିଗାଁ ଗ୍ରାମ ପଞ୍ଚାୟତର ଏମଜିଏନଆରଇଜିଏ କାର୍ଯ୍ୟ ବିଲ କରାଇ ଦେବି କହି ୨୦ ହଜାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ମାଡିବସିଲା। ମସିଗାଁ ଗ୍ରାମ ପଞ୍ଚାୟତ ସ୍ଥିତ ଗ୍ରାମ୍ୟ ଉନ୍ନୟନ ରାସ୍ତା ଠାରୁ ଶ୍ମଶାନ ରାସ୍ତା ନିର୍ମାଣ ନିମନ୍ତେ ୬ ଲକ୍ଷ ଟଙ୍କାର ବିଲ କରିବାକୁ ଠିକାଦାରଙ୍କ ସହ ଚୁକ୍ତି ହୋଇଥିଲା। ଏହି କାମର ବିଲ କରିବା ନିମନ୍ତେ ଅଭିଯୋଗକାରୀ ପ୍ରଫୁଲ ସ୍ବାଇଁଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଇଥିବା ଭିଜିଲାନ୍ସ ସୂଚନା ଦେଇଛି। ଲମ୍ବୋଦର ନାୟକ ସହକାରୀ ଯନ୍ତ୍ରୀ ଭାବେ ରହି ବୈପାରୀଗୁଡାରୁ ଦଶହରା ପୂର୍ବରୁ କୁନ୍ଦୁରା ବ୍ଲକରେ ନିଯୁକ୍ତ ହୋଇଥିଲେ। ଲମ୍ବୋଦର ନାୟକଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଗୋଟିଏ ଭିଜିଲାନ୍ସ କେସ୍‌ ରହିଥିବା ସୂଚନା ମିଳିଛି।