ଶରୀରରେ ପ୍ରୋଟିନ୍ ମାତ୍ରା କମିଲେ ଦେଖାଦିଏ ଏହିସବୁ ସମସ୍ୟା
ଶରୀର ପାଇଁ ପ୍ରୋଟିନ୍ ଅତ୍ୟନ୍ତ ଆବଶ୍ୟକ। ହର୍ମୋନ୍ଠୁ ଆରମ୍ଭ କରି ମାଂସପେଶୀ ପର୍ଯ୍ୟନ୍ତ ଶରୀରର ପ୍ରତ୍ୟେକ ଅଙ୍ଗ ପାଇଁ ପ୍ରୋଟିନ୍ର ଆବଶ୍ୟକତା ରହିଛି। ଯଦି ଶରୀରରେ ପ୍ରୋଟିନ୍ର ମାତ୍ରା କମିଯାଏ ତେବେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳିଥାଏ। ଯାହାର ପ୍ରଭାବ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଉପରେ ପଡ଼ିଥାଏ। ଯଦି ଅଙ୍ଗପ୍ରତ୍ୟଙ୍ଗ ପରିଚାଳନା ଠିକ୍ ଭାବରେ ନ ହୁଏ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ।
ତେବେ ଜାଣନ୍ତୁ ଶରୀରରେ ପ୍ରୋଟିନ୍ ମାତ୍ରା କମିବା ଫଳରେ କ’ଣ କ’ଣ ସମସ୍ୟା ସବୁ ଦେଖା ଦେଇଥାଏ…
ଏଡିମା: ଯଦି ଶରୀରର କୌଣସି ଅଙ୍ଗ ଅନ୍ୟ ଅଙ୍ଗ ତୁଳନାରେ ଧୀରେ ଧୀରେ ବୃଦ୍ଧି ପାଇବା ସହ ଏହା ଫୁଲି ଯାଉଛି ବା ମୋଟା ଦିଶୁଛି ଏହାକୁ ଏଡିମା କୁହାଯାଏ। ଶରୀରରେ ପ୍ରୋଟିନ୍ ମାତ୍ରା କମ୍ ହେବା ଯୋଗୁ ଏହା ହୋଇଥାଏ। ତେବେ ଏହାକୁ ଅଣଦେଖା ନ କରି ତୁରନ୍ତ ଶରୀରରେ ପ୍ରୋଟିନ୍ ମାତ୍ରା କେତେ ରହିଛି ଯାଞ୍ଚ କରନ୍ତୁ।
ଆନେମିଆ: ଆନେମିଆ ହେଲେ ଶରୀରରେ ଲାଲ୍ ରକ୍ତ କଣିକାର ଉତ୍ପାଦନ ହ୍ରାସ ହୋଇଥାଏ। ଯେତେବେଳେ ଶରୀରରେ ପ୍ରୋଟିନ୍ ମାତ୍ରା କମ୍ ହୋଇଯାଏ, ଆନେମିଆର ବିପଦ ବୃଦ୍ଧି ପାଇଥାଏ। ଖାଲି ଏତିକି ନୁହେଁ ପ୍ରୋଟିନ୍ର ମାତ୍ରା କମ୍ ହେବାଫଳରେ ଭିଟାମିନ୍ ବି-୧୨ ଓ ଫୋଲେଟ୍ର ମାତ୍ରା ମଧ୍ୟ କମ୍ ହୋଇଯାଇଥାଏ। ଫଳରେ ରକ୍ତଚାପ ମଧ୍ୟ କମ୍ ହୋଇଯାଇଥାଏ। ଆଉ ଧୀରେ ଧୀରେ ଦୁର୍ବଳ ଲାଗିଥାଏ।ଚୁଟି ଝଡ଼ିବା: ଚୁଟି ପାଇଁ ପ୍ରୋଟିନ୍ର ଆବଶ୍ୟକତା ରହିଛି। ଏହା ଚୁଟିକୁ ଲମ୍ବା ଓ ମଜଭୁତ୍ କରିଥାଏ। ଶରୀରରେ ପ୍ରୋଟିନ୍ କମ୍ ହେବା ଫଳରେ ଚୁଟି କମ୍ଜୋର ହେବା ସହ ଝଡ଼ିବା ଆରମ୍ଭ ହୋଇଥାଏ।
ବିଳମ୍ବରେ କ୍ଷତ ଶୁଖିବା: ଯଦି ଆପଣଙ୍କୁ ଶରୀରରେ କୌଣସି ପ୍ରକାରର ଆଘାତ ଲାଗି କ୍ଷତ ସୃଷ୍ଟି ହୋଇଛି ଓ ସାଙ୍ଗେ ସାଙ୍ଗେ ଏହା ଭଲ ହେଉନାହିଁ, ତେବେ ଜାଣି ରଖନ୍ତୁ ଯେ ଏହାର କାରଣ ହେଲା ଆପଣଙ୍କ ଶରୀରରେ ପ୍ରୋଟିନ୍ର ମାତ୍ରା କମ୍ ରହିଛି। ଫଳରେ କ୍ଷତ ଶୁଖିବାରେ ବିଳମ୍ବ ହେଉଛି।
ସବୁ ବେଳେ ଥଣ୍ଡା ଲାଗିଥାଏ: ପ୍ରୋଟିନ୍ ଅଭାବରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଯାଏ ଏବଂ ସଂକ୍ରମଣ ସମସ୍ୟା ବଢ଼ିଯାଏ। ତେଣୁ ଥଣ୍ଡା, କାଶ ଭଳି ସଂକ୍ରାମକ ରୋଗରେ ଶରୀର ସବୁବେଳେ ଆକ୍ରାନ୍ତ ହୁଏ।ବାରମ୍ବାର ଭୋକ ଲାଗିବା: ଶରୀରରେ ପ୍ରୋଟିନ୍ ମାତ୍ରା କମିଗଲେ ବାରମ୍ବାର ଭୋକ ଲାଗିଥାଏ।
ଶରୀରରେ ପ୍ରୋଟିନ୍ କମ୍ ହେବାଫଳରେ ମାଂସପେଶୀ ଓ ହାଡ଼ ଉଭୟ ପ୍ରଭାବିତ ହୋଇଥାଏ। ମଜଭୁତ୍ ହାଡ଼ ପାଇଁ ପ୍ରୋଟିନ୍ର ଆବଶ୍ୟକତା ଅତ୍ୟନ୍ତ ଜରୁରୀ। ଯେଉଁମାନେ ହାଇ ପ୍ରୋଟିନ୍ ଡାଏଟ୍ରେ ରହିଥାନ୍ତି ସେମାନଙ୍କୁ ଫ୍ରାକ୍ଚର୍ ବା ହାଡ଼ ଭାଙ୍ଗିବା ଆଶଙ୍କା ୬୯ ପ୍ରତିଶତ କମ୍ ହୋଇଥାଏ।
ମାଂସ ଓ ଅଣ୍ଡାରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍ ରହିଛି। ହେଲେ ଶାକାହାରୀ ଲୋକଙ୍କ ପାଇଁ ସବୁଠାରୁ ଭଲ ଖାଦ୍ୟ ହେଉଛି ଗଜା ଜାତୀୟ ଖାଦ୍ୟ। ଆମିଷ ଯୁକ୍ତ ଖାଦ୍ୟଠାରୁ ଗଜା ଜାତୀୟ ଖାଦ୍ୟରେ ଅଧିକ ପରିମାଣର ପ୍ରୋଟିନ୍ ରହିଛି। ମୁଗ ବା ବୁଟ ଗଜା ହେଲେ ସେଥିରେ ଉପାଦେୟ ତତ୍ତ୍ୱର ମାତ୍ରା ବଢ଼ିଯାଏ।
ଜିମ୍ ଯାଉଥିବା ବ୍ୟକ୍ତିଙ୍କୁ ବା ଶାରୀରିକ ପରିଶ୍ରମ କରୁଥିବା ଳୋକଙ୍କୁ ପ୍ରଚୁର ମାତ୍ରାରେ କ୍ଷୀର, ଅଣ୍ଡା, ମାଂସ କିମ୍ୱା ମାଛ ଖାଇବାକୁ ପରାମର୍ଶ ଦିଆଯାଇଥାଏ। ତେବେ ଏହି ଖାଦ୍ୟ ସ୍ଥାନରେ ଆପଣ ଗଜା ଜାତୀୟ ଖାଦ୍ୟ ଖାଇ ପାରିବେ। ଏହା ଶରୀରକୁ ପ୍ରୋଟିନ୍ ଦେବା ସହ ମାଂସପେଶୀକୁ ଶକ୍ତ ରଖିବାରେ ସାହାଯ୍ୟ କରେ। ଶରୀରରେ ପ୍ରୋଟିନ୍ ପରିମାଣ ବଢ଼ାଇବା ପାଇଁ ଦୁଗ୍ଧ ଜାତୀୟ ଖାଦ୍ୟ, ଅଣ୍ଡା, ସିମ୍ବ, ପାଳଙ୍ଗ, ମଟର ଛୁଇଁ ,କଦଳୀ ଭଳି ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖଆନ୍ତୁ।
