ଶାନ୍ତିଲତା ବାରିକଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯିବ

ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ଏକ ଶୋକ ବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜଣେ ଲୋକପ୍ରିୟ ଭଜନ ଗାୟିକା ଶାନ୍ତି ଲତା ବାରିକ ଜଗନ୍ନାଥ ଙ୍କ ର ଅନନ୍ୟ ଭକ୍ତ ଥିଲେ।ଭାବପୂର୍ଣ୍ଣ କଣ୍ଠରେ ତାଙ୍କ ଜଗନ୍ନାଥ ଭଜନ ପାଇଁ ଓଡିଶା ର ଘରେ ଘରେ ସେ ସୁପରିଚିତ ଥିଲେ। ତାଙ୍କ ଭଜନ ଥିଲା ଭକ୍ତି ଓ ସମର୍ପଣର ସଂଗୀତମୟ ନିବେଦନ। ତାଙ୍କ ସ୍ୱର ପରିବେଶକୁ ଭକ୍ତିମୟ କରିବା ସହ ଶ୍ରୋତାଙ୍କ ହୃଦୟରେ ଭାବାବେଗ ସୃଷ୍ଟି କରି ପାରୁଥିଲା। ତାଙ୍କର ବିୟୋଗ ଓଡ଼ିଶାର ସାଂସ୍କୃତିକ ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ରାଜ୍ୟପାଳ ରଘୁବର ଦାସ ନିଜ ଏକ୍ସ ଆକାଉଣ୍ଟରେ ଶାନ୍ତିଲତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଓଡ଼ିଆ ସଙ୍ଗୀତ, ମୁଖ୍ୟତଃ ଭକ୍ତି ସଙ୍ଗୀତକୁ ତାଙ୍କର ଅବଦାନ ଅନନ୍ୟ ବୋଲି ଲେଖିଛନ୍ତି। ନିଜର କୃତି ଓ କୀର୍ତ୍ତି ପାଇଁ ସେ ଚିରସ୍ମରଣୀୟ ରହିବେ ବୋଲି କହିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ତେବେ ବିଶିଷ୍ଟ ଭଜନଶିଳ୍ପୀ ଶାନ୍ତିଲତା ବାରିକ ଦୀର୍ଘଦିନ ଧରି ସେ କ୍ୟାନସରରେ ପୀଡିତ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ତାଙ୍କର ପରଲୋକ ଘଟିଛି । ଜଗନ୍ନାଥଙ୍କ ହଜାର ହଜାର ଭଜନ ଗାଇ ସେ ଓଡିଆଙ୍କ ହୃଦୟରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ ।