ଶୁକ୍ରବାର ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା |ବିଶେଷ କରି ଉତ୍ତର ଓଡ଼ିଶାର କେନ୍ଦୁଝର ଓ ମୟୂରଭଞ୍ଜରେ

କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଯାଜପୁର, ସମ୍ବଲପୁର, ସୋନପୁର, ବୌଦ୍ଧ, ଭଦ୍ରକରେ ବି ପ୍ରବଳରୁ ଅତି ପ୍ରବଳ ବର୍ଷା ଛେଚିବ । ଏହାବାଦ ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, ବାଲେଶ୍ୱରରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ କରାଇଛି ଭାରତୀୟ ପାଣିପାଗ ବିଭାଗ । ନୟାଗଡ଼, ଖୋର୍ଦ୍ଧା, କଳାହାଣ୍ଡି, ବରଗଡ଼, ଝାରସୁଗୁଡ଼ା ଓ ପୁରୀରେ ବି ପ୍ରବଳ ବର୍ଷା ଆଶଙ୍କା ରହିଛି । ଏମିତି ପୂର୍ବାନୁମାନ ଡରାଇଲାଣି ବନ୍ୟା ବିପନ୍ନଙ୍କୁ । ଘରଦ୍ୱାର ହରାଇ ଖୋଲା ଆକାଶ ତଳେ ମୁଣ୍ଡ ଗୁଞ୍ଜିଥିବା ବିପନ୍ନଙ୍କ ଚିନ୍ତା ବଢ଼ିଯାଇଛି । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଅନୁମାନ କରାଯାଉଛି ।

୨୧ରୁ କ୍ରମଶଃ ବର୍ଷା କମିବ ।ପାଣିପାଗ ବିଭାଗର ସୂଚନା ମୁତାବକ ୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ ବର୍ଷା ସହ ପବନ ବେଗ ମଧ୍ୟ ବଢ଼ିବ । ୪୫ରୁ ୫୫ କିମି ବେଗରେ ପବନ ସହ ସ୍ଥଳବିଶେଷରେ ୬୫ କିମି ପର୍ଯ୍ୟନ୍ତ ବେଗ ଛୁଇଁବ । ଉତ୍ତର ପୂର୍ବ ବଙ୍ଗୋପସାଗରରେ ଅବପାତ ହେବା ପରେ ଏହା ଗାଙ୍ଗେୟ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା, ଝାଡ଼ଖଣ୍ଡ ଦେଇ ଉତ୍ତର ଛତିଶଗଡ଼ ଉପରକୁ ଯିବ ।ଅର୍ଥାତ୍‌ ଓଡ଼ିଶା ସହ ଛତିଶଗଡ଼ରେ ବି ବର୍ଷା ବଢ଼ିପାରେ ।

ସମ୍ଭାବ୍ୟ ବର୍ଷା ନେଇ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା । ବନ୍ୟା ସ୍ଥିତି ସହ ସମ୍ଭାବ୍ୟ ବର୍ଷାଜନିତ ସ୍ଥିତି ମୁକାବିଲା ପାଇଁ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।ଲଘୁଚାପ ପ୍ରଭାବରେ ପଟ୍ଟାମୁଣ୍ଡାଇରେ ପ୍ରାୟ ୧୦୦ ମିଲିମିଟର, ଭଦ୍ରକରେ ୧୨୫, ଦେବଗଡ଼ ୧୧୫, ପାଲଲହଡ଼ାରେ ୧୧୫, କେନ୍ଦୁଝରଗଡ଼ରେ ୧୦୦, ଆନନ୍ଦପୁରରେ ୧୧୦, ସମ୍ବଲପୁର, ବରଗଡ, ଝାରସୁଗୁଡ଼ା, ରେଙ୍ଗାଲିରେ ୧୦୦ରୁ ୧୧୫ ମିଲିମିଟର ବର୍ଷା ହୋଇପାରେ ।