ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କଚନ୍ଦନ ଯାତ୍ରା


ଶ୍ରୀମନ୍ଦିରରେ ଗ୍ରୀଷ୍ମ ଋତୁରେ ପାଳିତ ହେଉଥିବା ଚନ୍ଦନ ଯାତ୍ରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଚିତ୍ର ଏକ ମାନବୀୟ ଲୀଳା l ପ୍ରଚଣ୍ଡ ରୌଦ୍ର ତାପରେ ଶରୀରକୁ ଶୀତଳ ରଖିବା ପାଇଁ ଚନ୍ଦନ ଲେପନ କରାଯାଇ ଥାଏ,ମହାପ୍ରଭୁଙ୍କ ଚନ୍ଦନଯାତ ଏହାର ପ୍ରତିଫଳନ l ଏହା ଶ୍ରୀମନ୍ଦିରର ସବୁଠାରୁ ଅଧିକ ଦିନଧରି ପାଳିତ ହେଉଥିବା ପର୍ବ l ବୈଶାଖଶୁକ୍ଳ ତୃତୀୟା ବା ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ ଶୁକ୍ଳ  ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ମୋଟ ବୟାଳିଶ ଦିନ ବ୍ୟାପି ଏହା ଅନୁଷ୍ଠିତ ହୋଇ ଥାଏ l ଅକ୍ଷୟ ତୃତୀୟାରୁ ଜ୍ୟେଷ୍ଠ କୃଷ୍ଣଅଷ୍ଟମୀ ପର୍ଯ୍ୟନ୍ତ ଏକୋଇଶି ଦିନଧରି ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ ଏବଂ ପରବର୍ତ୍ତୀ ୨୧ ଦିନ ଜ୍ୟୈଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ଯାଏ ଶ୍ରୀମନ୍ଦିରରେ ଭିତର ଚନ୍ଦନଯାତ୍ରା ଭାବେ ଦୁଇଟି ପର୍ଯ୍ୟାୟରେ ପାଳିତ ହୋଇ ଥାଏ l ଚନ୍ଦନ ଯାତ୍ରା ଶେଷରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ହୋଇ ଠାକୁର ଅଣସର ବିଜେ କରନ୍ତି l ବୈଶାଖ ଓ ଜ୍ୟେଷ୍ଠ ଦୁଇ ମାସରେ 42 ଦିନ ବ୍ୟାପି ଅନୁଷ୍ଠିତ ମହାପ୍ରଭୁଙ୍କର ଏହି ଦିବ୍ୟ ଲୀଳାକୁ ମହାପୁରୁଷ ଶ୍ରୀ ଅଚ୍ୟୁତାନନ୍ଦ ଚମତ୍କାର ଭାବେ ବର୍ଣ୍ଣନା କରି ଲେଖିଛନ୍ତି :-
ବୈଶାଖ ମାସରେ ଖରା ଗ୍ରୀଷମ l
ଚନ୍ଦନ କର୍ପୁର ଅଙ୍ଗେ ଲେପନ ll
ଆଲଟ ଚାମର ଧରନ୍ତି ଵାଳୀ l
ମୋ ପୁରେ ବିଜୟ ଶ୍ରୀବନମାଳୀ ll
ଜ୍ୟେଷ୍ଠ ମାସରେ ଏଡ଼େ ଗୁଳଗୁଳି l
ସ୍ନାହାନକୁ ବିଜେ ଶ୍ରୀ ବନମାଳୀ ll
ସ୍ନାହାନ ସାରି ଅଣସର ଗଲେ l
ଗୋପ ଯୁବତୀଙ୍କି ଅନାଥ କଲେ ll
ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ସତ୍ୟ ଯୁଗରେ ଶ୍ରୀ ନୃସିଂହ ଭଗବାନ ଏହି ଯାତ୍ରାର ଆୟୋଜନ କରିଥିଲେ l ଦ୍ୱାପର ଯୁଗରେ ପଞ୍ଚୁପାଣ୍ଡବ ଅଜ୍ଞାତ ବାସ ଶେଷ କରି ବିରାଟ ନରେଶଙ୍କ ନିକଟରେ ଆପଣାର ପ୍ରକୃତ ପରିଚୟ ପ୍ରକାଶ କରିଥିଲେ l ବିରାଟ ନରେଶ ଶ୍ରୀକୃଷ୍ଣ ବଳରାମଙ୍କୁ ରାମକୃଷ୍ଣ ରୂପେ ପଞ୍ଚୁପାଣ୍ଡବ ମାନଙ୍କ ସହିତ ଦର୍ଶନ କରିବା ପାଇଁ ଇଚ୍ଛା ପ୍ରକାଶ କରିବାରୁ ଭଗବାନ ଶ୍ରୀକୃଷ୍ଣ ତାଙ୍କର ଇଚ୍ଛା ପୂରଣ କରିବା ପାଇଁ ସମ୍ମତ ହୋଇ ଥିଲେ l ଏକ ବିରାଟ ଜଳାଶୟ ସେଠାରେ ସୃଷ୍ଟି କରାଯାଇ ଜଳ କେଳି ମଣ୍ଡପ ନିର୍ମାଣ କରାଯାଇ ଥିଲା l ଉପପ୍ଲବ୍ୟ ଏବଂ ବିଭାସ୍ତୁ ନଗରୀରେ ଏହି ଉତ୍ସବ ସମ୍ପନ୍ନ ହୋଇଥିଲା,ତେଣୁ ମଦନମୋହନ ଓ ରାମ କୃଷ୍ଣଙ୍କ ସହ ପଞ୍ଚୁପାଣ୍ଡବ ମଧ୍ୟ ଜଳକ୍ରୀଡା ପାଇଁ ନରେନ୍ଦ୍ର ସରୋବରକୁ ଯାତ୍ରା କରିଥାନ୍ତି l
ମହାପ୍ରଭୁଙ୍କ ଚନ୍ଦନ ବେଶ ଓ ଚନ୍ଦନ ଯାତ୍ରା ଏକ ଦିବ୍ୟ ଲୀଳା l ଏହି ଚନ୍ଦନ କେଳିକୁ ଦର୍ଶନ ପାଇଁ ମୁନିଋଷିମାନେ ଯୁଗଯୁଗଧରି ତପସ୍ୟା କରିଛନ୍ତି l
ଦ୍ୱାପର ଯୁଗରେ କୁବୁଜା କୃଷ୍ଣ ବଳରାମଙ୍କୁ ଚନ୍ଦନ ବେଶ କରି ତାଙ୍କ ଦିବ୍ୟ ସାନ୍ନିଧ୍ୟ ଲାଭ କରିଥିଲା l ଶ୍ରୀକୃଷ୍ଣଙ୍କ ଅଙ୍ଗ ସ୍ପର୍ଶରେ କୁଜି କୁବୁଜା ଏକ ଦିବ୍ୟ ସୁନ୍ଦରୀ ଯୁବତୀରେ ରୂପାନ୍ତରିତ ହୋଇଥିଲା l ଏହା ମଧ୍ୟ ମନୋଜ୍ଞ ଭାବେ ଭକ୍ତ ଚରଣ ଦାସ ମଥୁରାମଙ୍ଗଳ କାବ୍ୟରେ ବର୍ଣ୍ଣିନା କରିଛନ୍ତି :-
ପ୍ରଥମେ ଚତୁସମ ଅଙ୍ଗେ ଲେପିଲା l
ଗୋବିନ୍ଦ ଅଙ୍ଗ ଗନ୍ଧ ଶ୍ୱାସେ ଖେଳିଲା ll
ଶିର ଭାଗରେ ସିଞ୍ଚି ଦେଲା ଅଳପ l
ତପ ସେ କରିଥିଲା କେତେ କଳପ ll
ଲଲାଟ ପଟେ ଲେଖେ ଅପୂର୍ବ ଚିତା l
ଦେଖିଲେ ଉର୍ଦ୍ଦ୍ୱରେତା ବୁଡିବ ଚେତା ll
ଗଣ୍ଡ ଦେଶରେ ଦେଲା ଚିତ୍ର ମକରି l
ଚନ୍ଦ୍ରକୁ ବେଢ଼ିଲେକି ସେ ତାରା ମାଳି ll
ଏହି ପ୍ରକାରେ ରାମ ଚନ୍ଦ୍ରଙ୍କୁ କଲା l
ଵିଧିମତରେ ଗୋପକୁମରେ ଦେଲା ll
ଦେଖି ପ୍ରସନ୍ନ ଚିତ୍ତେ ଶକଟା ଭଞ୍ଜା l
ସଳଖି ଦେଲେ ଧରି କୁବୁଜା ଖଞ୍ଜା ll
କର ଲାଗନ୍ତେ ତନୁ ହେଲା ସୁନ୍ଦର l
ନୟନ ଇନ୍ଦୀବର ମୁଖ ମନ୍ଦାର ll
ଇତିହାସ ପ୍ରୁଷ୍ଠାକୁ ଅବଲୋକନ କଲେ ଜଣାଯାଏ
ଯେ ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏହି ଚନ୍ଦନ ଯାତ୍ରା ଆନୁମାନିକ ଖ୍ରୀଷ୍ଟୀୟ ତ୍ରୟୋଦଶ ଶତାବ୍ଦୀଠାରୁ ଆରମ୍ଭ ହୋଇଛି l

ଭାରତ ବର୍ଷରେ ଥିବା ଅନ୍ୟ ଦେବ ମନ୍ଦିରରେ ନିଦାଘ କାଳରେ ଆଲଟ ଚାମର ଓ ଚନ୍ଦନ ଲାଗି ସେବା ଅନୁଷ୍ଠିତ ହେଉଥିଲେ ହେଁ କୁତ୍ରାପି ସ୍ୱତନ୍ତ୍ର ଚନ୍ଦନ ଯାତ୍ରା ଅନୁଷ୍ଠିତ ହୁଏ ନାହିଁ l ଓଡ଼ିଶାର ହିଁ ଏହା ନିଜସ୍ୱ ପରମ୍ପରା l ଏହି ଯାତ୍ରା ଗନ୍ଧ ଯାତ୍ରା, ଜଳକେଳି ଓ ଅନ୍ତରଙ୍ଗ ଚନ୍ଦନ ଲାଗି ଭାବେ ତିନି ଭାଗରେ ବିଭକ୍ତ l ଚନ୍ଦନଯାତ୍ରା ମହାପ୍ରଭୁଙ୍କ ଏକ ଦିବ୍ୟ ମନୋଜ୍ଞ ପର୍ବ l ତେଣୁ ଏହା ଓଡିଶାର ସବୁ ବରେଣ୍ୟ କବିଙ୍କ ରଚନାରେ ସୁନ୍ଦର ଭାବେ ସ୍ଥାନ ପାଇଛି l ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆସି ଗଲେ ଉତ୍ସବସ୍ଥଳୀ,ଗଣ ମାଧ୍ୟମ ଗୁଡ଼ିକ ଗୀତ ନୃତ୍ୟରେ ମୁଖରିତ ହୋଇଉଠନ୍ତି ପ୍ରାୟ ତିନିଶ ବର୍ଷ ତଳେ ରଚିତ ହୋଇଥିବା ଭକ୍ତକବି ବନମାଳୀ ଦାସଙ୍କ ଏହି ଗୀତରେ :-
ଦେଖ ଗୋ ରାଧା ମାଧବ ଚାଲି l
ମଣି ବିମାନ ଆସେ ଝୁଲି ଝୁଲି ll
ବିବିଧ ବାଜଣା ବୀର କାହାଳୀ l
ବିଜେ କଲେ ‘ଚଉଦିଗ’ ଉଛୁଳି ll
ସଙ୍ଗତେ ଅଛନ୍ତି ପଞ୍ଚ ସାଗର l
ରାଧିକା ଦୂତିକା ମୂରଲୀ ଧର ll
ନରେନ୍ଦ୍ର ସରକୁ କରିଣ ମନ l
ଚାପ ଖେଳନ୍ତି ଜଗତ ମୋହନ ll
ବୋଲେ ବନମାଳୀ ଶ୍ରୀପଦ ଧ୍ୟାୟି l
ଚନ୍ଦନ କୁଣ୍ଡେ ପ୍ରବେଶିଲେ ଯାଇ ll
କଲ୍ଲୋଳ କବି ଦୀନକୃଷ୍ଣ ଦାସ ମଧ୍ୟ ମହାପ୍ରଭୁଙ୍କ
ଚନ୍ଦନ ଯାତ୍ରାର ସୁନ୍ଦର ବର୍ଣ୍ଣନା କରିଛନ୍ତି :-
ମଦନ ମୋହନ, ମଦନ ମୋହନ,
କରୀନ୍ଦ୍ର ଦନ୍ତ ପଲଙ୍କ ତେଜି ନାଥ
ନରେନ୍ଦ୍ର ଚାପେ ଗମନ l
ଅଷ୍ଟରତ୍ନ ଚଉଦଳରେ ବିଜୟେ
ନଉକା ବିହାର ପାଇଁ l
ଗ୍ରୀଷମ ହରିତେ ପାପୀ ଉଦ୍ଧାରିତେ
ବିଜେ କଲେ ଲକ୍ଷ୍ମୀ ସାଇଁ ll
ପୁଣି କବିସମ୍ରାଟ ଉପେନ୍ଦ୍ରଭଞ୍ଜ ରସିକ ହାରାବଳୀ କାବ୍ୟରେ ଲେଖିଛନ୍ତି :-
ଦୀନ ବାନ୍ଧବ ମାଧବ ରତି
ହିଁ ମାଧବ ମାସେ l
ନୃପତି ନନ୍ଦନ ଚନ୍ଦନ ଯାତ୍ରା
ଦେଖେ ହରଷେ ll
ନରୀନ୍ଦ୍ର ତଡ଼ାଗେ କରୀନ୍ଦ୍ରେ
ସୁରେନ୍ଦ୍ର ପରିହରି l
ନାବରେ ଭାବରେ ବିଜୟ
କରି ସୁଖେ ବିହରି ll
ସ୍କନ୍ଦ ପୁରାଣ,ବାମଦେବ ସଂହିତା,ସୁଶ୍ରୁତ ସଂହିତା ଆଦି ଗ୍ରନ୍ଥରେ ଠାକୁର ମାନଙ୍କ ଚନ୍ଦନ ଉପଚାରର ବର୍ଣ୍ଣନା ରହିଛି l ଇତିହାସରୁ ଜ୍ଞାତ ହୁଏ ଯେ ଗଙ୍ଗ ବଂଶୀ ରାଜାମାନଙ୍କ ସମୟରୁ ଏହି ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି l ମହାରାଜା ଦ୍ୱିତୀୟ ନରସିଂହ ଦେବଙ୍କ ରାଜତ୍ୱ ସମୟରେ ନଖ ପୋଡି ନରେନ୍ଦ୍ର ମହାପାତ୍ର ନରେନ୍ଦ୍ର ପୁଷ୍କରଣୀ ଖୋଳାଇ ଥିଲେ l ପୂର୍ବେ ରାଜା ଚୋଡଗଙ୍ଗ ଦେବ ଜଗନ୍ନାଥ ବଲ୍ଲଭ ବେଣ୍ଟ ପୋଖରୀରେ ଠାକୁରଙ୍କର ନୌକା ବିହାର କରାଉ ଥିଲେ l କୁହା ଯାଏ ଗଜପତି କପିଳେନ୍ଦ୍ର ଦେବଙ୍କ ଭାଇ ନରେନ୍ଦ୍ର ଦେବ ନିଜ ୧୪ ପୁଅଙ୍କ ସହ ଯୁଦ୍ଧରେ ପ୍ରାଣବଳି ଦେଇଥିବା ସ୍ମୃତିସ୍ୱରୂପେ ନରେନ୍ଦ୍ର ପୁଷ୍କରିଣୀ ଖୋଳା ହୋଇ ଥିଲା l

ପରେ ଏହିଠାରେ ଚନ୍ଦନ ଯାତ୍ରା ଆରମ୍ଭ ହେଲା l
ପ୍ରଥମ ପର୍ଯ୍ୟାୟ ଏକୋଇଶିଦିନ ବାହାର ଚନ୍ଦନ
ଯାତ୍ରାରେ ଶ୍ରୀମନ୍ଦିର ଦକ୍ଷିଣଘରୁ ଅଷ୍ଟଧାତୁ ନିର୍ମିତ ତିନି ଚଳନ୍ତି ପ୍ରତିମା ମଦନ ମୋହନ, କୃଷ୍ଣ, ରାମ ଏବଂ ରତ୍ନସିଂହାସନ ଉପରୁ ଦୁଇ ଚଳନ୍ତି ପ୍ରତିମା ଲକ୍ଷ୍ମୀଙ୍କ ସୁବର୍ଣ୍ଣ ପ୍ରତିମା ତଥା ସରସ୍ୱତୀଙ୍କ ରୁପା ପ୍ରତିମା (ଶ୍ରୀଦେବୀ,ଭୂଦେବୀ) ବାହାର ଚନ୍ଦନରେ ଭାଗ ନିଅନ୍ତି l ଚନ୍ଦନ ଯାତ୍ରାରେ ସମୁଦାୟ ଦଶଟି ଚଳନ୍ତି ପ୍ରତିମା ବିମାନ ଓ ପାଲିଙ୍କିରେ ବିଜେକରି ଚନ୍ଦନ ପୁଷ୍କରିଣୀ ଯାତ୍ରା କରିଥାନ୍ତି l ସବୁଠୁଁ ବେଶି ସୁଦୃଶ୍ୟ ବିମାନରେ ବିଜେ କରି ଥାନ୍ତି ଶ୍ରୀ ମଦନ ମୋହନ, ଶ୍ରୀଦେବୀ (ମା’ଲକ୍ଷ୍ମୀ) ଏବଂ ଭୂଦେବୀ (ସରସ୍ୱତୀ)l ପଛ ପାଲିଙ୍କିରେ ବଳରାମ ଓ କୃଷ୍ଣ ଆରୋହଣ କରିଥାନ୍ତି ପୁଣି ଅନ୍ୟ ପଞ୍ଚ ବିମାନରେ ପଞ୍ଚୁପାଣ୍ଡବ ରୂପେ ପରିଚିତ ପଞ୍ଚମହାଦେବ ବିଜେ କରିଥାନ୍ତି l ପଞ୍ଚ ମହାଦେବଙ୍କ ନାମ କହି ଚନ୍ଦନ ଗୀତରେ କବି ପିତାମ୍ବର ଦାସ କହିଛନ୍ତି :-
ପଞ୍ଚ ମହାଦେବଙ୍କର ଶୁଣ ଏବେ ନାମ l
ଜମ୍ବେଶ୍ୱର ଲୋକନାଥ ମାର୍କଣ୍ଡେୟ ଜାଣ ll
ନୀଳକଣ୍ଠ କପାଳ ମୋଚନ ପାଞ୍ଚ ଭାଇ l
ଏହି ପାଞ୍ଚ ଭାଇ ପଞ୍ଚୁ ପାଣ୍ଡବ ଅଟଇ ll
ନରେନ୍ଦ୍ର ସରୋବର କୁଳରେ ପ୍ରସ୍ତୁତ ଛାମୁଣ୍ଡିଆ ତଳେ ଦଶ ଚଳନ୍ତି ପ୍ରତିମାଙ୍କୁ ସ୍ଥାପନ କରି, ରୁପା ପିଙ୍ଗଣରେ ଥିବା ସୁବାଷିତ ଜଳରେ ପଦ ଧୌତ କରାଯାଏ l ଯୋଡ଼ିଏ ଲେଖାଁ ନୌକା ଯୁକ୍ତହୋଇ ଦୁଇଟି ସୁଶୋଭିତ ଚାପ ପ୍ରସ୍ତୁତ ହୁଏ l ଗୋଟିଏ ଚାପର ରୁପା ସିଂହାସନ ଉପରେ ମଦନମୋହନ, ଶ୍ରୀଦେବୀ, ଭୂଦେବୀ,ବଳରାମ ଏବଂ କୃଷ୍ଣ ବିଜେ କରନ୍ତି l ଅନ୍ୟ ଚାପରେ ବସି ଥାନ୍ତି ପଞ୍ଚୁ ପାଣ୍ଡବ l ପ୍ରତିମା ମାନଙ୍କ ସହ ଦୁଇ ଚାପରେ ଥାଆନ୍ତି ପୂଜା ପଣ୍ଡା, ସିଂହାରି,ଗରାବଡୁ,ସୁଆରବଡୁ, ପତ୍ରୀବଡୁ, ହଡ଼ପ,ଖୁଣ୍ଟିଆ ଆଦି ସେବକ ମାନେ l ଚାପ ଦ୍ୱୟ ନରେନ୍ଦ୍ର ଜଳରେ ଘେରାଏ ଲେଖାଁ ବୁଲି ଆସନ୍ତି l
ସ୍ନାନ ନିମନ୍ତେ ତିନୋଟି କୁଣ୍ଡରେ ଚନ୍ଦନ, କର୍ପୁର, କସ୍ତୁରୀ,ଜାଇଫଳ,ମଲ୍ଲୀ,ଚମ୍ପା,ଜୁଇ,ସୁଗନ୍ଧରାଜ, ଗୋଲାପ ପ୍ରଭୃତିରେ ପ୍ରସ୍ତୁତ ସୁବାସିତ ଜଳ ରଖା ଯାଇଥାଏ l ସେହି କୁଣ୍ଡରେ ବୁଡ଼ ପକାନ୍ତି ଚଳନ୍ତି ପ୍ରତିମା ମାନେ l ସୁବାସିତ ଜଳରେ ସ୍ନାନ ପରେ ଚନ୍ଦନରେ ସୁନ୍ଦର ବେଶ କରାଯାଏ ପ୍ରଭୁ ମଦନ ମୋହନଙ୍କୁ l

ଚନ୍ଦନ ଯାତ୍ରାରେ ମଦନମୋହନ ପ୍ରତ୍ୟେକ ଦିନ ନୂଆ ନୂଆ ବେଶରେ ସଜ୍ଜିତ ହୁଅନ୍ତି l ଏହି ବେଶ ଗୁଡ଼ିକ ସାଧାରଣତଃ କୃଷ୍ଣଲୀଳା ଆଧାରିତ ଥାଏl ନୃସିଂହଜନ୍ମ ତିଥିରେ ମଦନମୋହନଙ୍କ କୌଣସି ବେଶ ହୁଏ ନାହିଁ l
ଠାକୁରଙ୍କ ବେଶ ପରେ ରାତ୍ର ଚାପ ନିତି ସମ୍ପନ୍ନ ହୁଏ l ରାତ୍ରୀ ଚାପରେ ଦୁଇ ଚାପ ସହ ଗୋଟିଏ ବଜନ୍ତ୍ରୀ ନୌକା ବିହାର ପାଇଁ ବ୍ୟବହୃତ ହୋଇ ଥାଏ l

ବଜନ୍ତ୍ରୀ ନୌକାରେ ଜଣେ ଘଣ୍ଟୁଆ,ଜଣେ କାହାଳିଆ ଓ ଜଣେ ତେଲିଙ୍ଗି ବାଜା ବାଦ୍ୟକାର ରହି ଥାନ୍ତି l ସେମାନଙ୍କ ସହ ଜଣେ ସେବାୟତ ପୋଲାଙ୍ଗ ତେଲର ଦିହୁଡ଼ୀ ଧରି ରହି ଥାଆନ୍ତି l ଦିନବେଳା ଚାପ ଗୋଟିଏ ଘେରାରେ ଶେଷହେଉ ଥିଲାବେଳେ ରାତ୍ରୀ ଚାପରେ ଠାକୁରମାନଙ୍କୁ ତିନି ଘେରା ବୁଲାଯାଏ l ଏହି ନୀତି ସମ୍ପାଦନ ନିମନ୍ତେ ପ୍ରତ୍ୟେକ ଦିନ ପ୍ରାୟ ୪୧ଜଣ ସେବକ ଆବଶ୍ୟକ ହୋଇଥାନ୍ତି l ଏକୋଇଶି ଦିନବ୍ୟାପି ଏହି ବାହାର ଚନ୍ଦନ ଯାତ୍ରାର ପରିସମାପ୍ତି ହୋଇଥାଏ ଅନ୍ତିମ ଦିନ ଭଉଁରୀ ଯାତ୍ରା ପାଳନରେ l
ଭଉଁରୀଯାତ୍ରା ଶ୍ରୀକ୍ଷେତ୍ରେଭଉଁରୀ ଭାବେ ପ୍ରସିଦ୍ଧ l ଏହି ଦିନ ଠାକୁର ମାନଙ୍କୁ ଏକ ବର୍ଣ୍ଣାଢ୍ୟ ଶୋଭା ଯାତ୍ରାରେ ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରାଯାଇ ଥାଏ l ଭଉଁରୀ ଦିନ କେବଳ ଦିନ ବେଳା ଚାପ କରାଯାଏ l ନରେନ୍ଦ୍ର ପୁଷ୍କରିଣୀ ଦୀପଦାଣ୍ଡି ଚାରି ପଟେ ଠାକୁର ମାନଙ୍କୁ ଚାପରେ ୨୧ଘେରା ବୁଲା ଯାଇ ଥାଏ l ଚାପ ଖେଳ ସରିବା ପରେ ଠାକୁର ମାନେ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରି ଥାନ୍ତି l

ଭଉଁରୀ ଯାତ୍ରା ପରଦିନ ଜୀଉମାନଙ୍କର ହଳଦୀ ପାଣି ନୀତି ଅନୁଷ୍ଠିତ ହୋଇଥାଏ l ଆଜ୍ଞା ମାଳ ପାଇବା ପରେ ବିମାନ ବିଜେକରି ଠାକୁରମାନେ ନରେନ୍ଦ୍ର ପୁଷ୍କରିଣୀରେ ପହଞ୍ଚିବା ପରେ କେବଳ ମଦନ ମୋହନ,ଶ୍ରୀଦେବୀ ଏବଂ ଭୂଦେବୀ ଚାପ ଡଙ୍ଗାକୁ ବିଜେ କରି ହଳଦୀପାଣୀରେ ପିଚକାରୀ ଖେଳିଥାନ୍ତି l
ବାହାର ଚନ୍ଦନ ଯାତ୍ରା ପରେ ୨୧ ଦିନବ୍ୟାପି ପୁଣି ଶ୍ରୀମନ୍ଦିର ଭିତରେ ଭିତର ଚନ୍ଦନ ଯାତ୍ରା ଅନୁଷ୍ଠିତ ହୁଏ l ଏଥିରେ ମହାପ୍ରଭୁଙ୍କର ଆଲଟ ଲାଗି ଏବଂ ଚନ୍ଦନଲାଗି ନୀତି କରା ଯାଇଥାଏ l ଜ୍ୟେଷ୍ଠ କୃଷ୍ଣ ଏକାଦଶୀ, ସାବିତ୍ରୀ ଅମାବାସ୍ୟା, ଶୀତଳ ଷଷ୍ଠୀ ଓ ରୁକ୍ମିଣୀ ହରଣ ଏକାଦଶୀ ତିଥିରେ ପ୍ରଭୁଙ୍କର ଜଳକ୍ରୀଡ଼ାନୀତି ସମ୍ପନ୍ନ ହୋଇଥାଏ l ଏଥିରେ ଶ୍ରୀ ମଦନ ମୋହନ,ଶ୍ରୀଦେବୀ ଓ ଭୂଦେବୀ ରୋହିଣୀ କୁଣ୍ଡ ନିକଟସ୍ଥ ଜଳକ୍ରୀଡ଼ା ମଣ୍ଡପରେ ବିଜେହୋଇ ସୁବାଷିତ ଜଳ କୁଣ୍ଡରେ ବିହାର କରିଥାନ୍ତି l
ମହାପ୍ରଭୁ ଚନ୍ଦନ ପ୍ରୀୟ l ଏଣୁ ଶ୍ରୀମନ୍ଦିର ମଧ୍ୟରେ ଚନ୍ଦନ ସେବା ଏକ ନିଆରା ଏବଂ ସ୍ୱତନ୍ତ୍ର ସେବା l ଶ୍ରୀମନ୍ଦିର ମୁକ୍ତି ମଣ୍ଡପ ନିକଟରେ ୮ଫୁଟ ପ୍ରସ୍ଥ ଓ ୧୨ ଫୁଟ ଦୈର୍ଘ୍ୟ ବିଶିଷ୍ଟ ଚନ୍ଦନ ଘର ଅଛି l ଏଠି ପ୍ରତ୍ୟେହ ଶ୍ରୀ ଜୀଉମାନଙ୍କ ଲାଗି ଚନ୍ଦନ ଘୋରା ଯାଇଥାଏ l

ଚନ୍ଦନ ଘୋରିବା ପାଇଁ ଘଟୁଆରୀ ବା ଘୋଟୁଆରି ସେବକ ଅଛନ୍ତି lମୋଟରେ ସାତଜଣ ଘୋଟୁଆରୀ ସେବକ ପ୍ରତ୍ୟହ ମହାପ୍ରଭୁଙ୍କ ପାଇଁ ଚନ୍ଦନ ଘୋରି ଥାନ୍ତି l ସାଧାରଣ ଦିନ ମାନଙ୍କରେ ଏହି ସେବକ ମାନେ ପ୍ରାୟ ଅଧା କିଲୋ ଓଜନର ଚନ୍ଦନକାଠ ଘୋରିଥାନ୍ତି ଓ ଚନ୍ଦନ ଯାତ୍ରା ବେଳେ ପ୍ରାୟ ୧ କିଲୋ ଓଜନର ଚନ୍ଦନ କାଠ ଘୋରନ୍ତି l ସନ୍ଧ୍ୟାଧୂପ ପରେ ଠାକୁରମାନଙ୍କ ବେଶ ଓହ୍ଲାଇ ଦିଆଯାଇ ତିନି ଠାକୁରଙ୍କ ବାହୁ ଓ ଅଙ୍ଗଦେଶରେ ଚନ୍ଦନ ପ୍ରଲେପ କରାଯାଏ l ସଂସାରର ତ୍ରିତାପ, ଆଧିଦୈବିକ, ଆଧିଭୌତିକ ଓ ଆଧ୍ୟାତ୍ମିକ,ହରଣ ନିମନ୍ତେ ଠାକୁର ମାନଙ୍କୁ ଚନ୍ଦନ ଲାଗି କରାଯାଇ ଥାଏ lଚନ୍ଦନଲାଗି ସମୟରେ ମହାପ୍ରଭୁଙ୍କୁ ଦର୍ଶନ କଲେ ମନୁଷ୍ୟର ସବୁ ପାପ ତାପ ନିଶ୍ଚିନ୍ତ ଭାବେ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି l ଭକ୍ତ ଶ୍ରୀ ଚନ୍ଦନ ଏଥିପାଇଁ ଲେଖିଛନ୍ତି :-
ଚନ୍ଦନଲାଗି ସମୟେ ଚିନ୍ତ ଚିନ୍ତା ମଣିକି l
ସେ କାଳେ କଳା ଶ୍ରୀମୁଖ
ଶୁଣନ୍ତି ସକଳ ଦୁଃଖ
ଦର୍ଶନେ ପ୍ରସନ୍ନ ହୋଇ ରଖ
ଦୁଃଖୀ ଶ୍ରେଣୀକି ll
ଚନ୍ଦନ ଯାତ୍ରା ମହାପ୍ରଭୁ ଜଗନ୍ନାଥଙ୍କ ଏକ ବିଶେଷ ପର୍ବ l ମହାପ୍ରଭୁଙ୍କର ଏହି ପରମ୍ପରାରୁ ପ୍ରଭାବିତ ହୋଇ ଓଡ଼ିଶାର ପ୍ରାୟ ସର୍ବତ୍ର ପ୍ରମୁଖ ଦେବାଳୟ ମାନଙ୍କରେ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୁଏ l ଝଙ୍କଡ଼ ଶାରଳାଙ୍କ ପୀଠ ସମେତ ଅନ୍ୟାନ୍ୟ ଦେବୀପୀଠ ଏବଂ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିରରେ ମଧ୍ୟ ଏହା ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତି ସହକାରେ ଅନୁଷ୍ଠିତ ହୋଇଥାଏ ।।
ଲେଖକ ::
ଅର୍ଜୁନୀ ଚରଣ ବେହେରା