ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ନିଶାଡିଙ୍କ ଉତ୍ପାତ!

ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ନିଶାଖୋରଙ୍କ ଉତ୍ପାତ । ଖୁଲମଖୁଲା ନିଶା ସେବନ କରି ଶ୍ରଦ୍ଧାଳୁଙ୍କୁ କରୁଛନ୍ତି ଦୁର୍ବ୍ୟବହାର । ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।ଜଣେ ଅଣ ସେବାୟତ ନିଶା ସେବନ କରି ଟଳମଳ ଅବସ୍ଥାରେ ଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଏପରିକି ନିଜର ଭାରସାମ୍ୟ ରଖି ନପାରି ତଳେ ମଧ୍ୟ ପଡ଼ି ଯାଉଥିଲେ । ମହାପ୍ରଭୁଙ୍କର ଦର୍ଶନ ପାଇଁ ଶ୍ରୀମନ୍ଦିର ଆସୁଥିବା ଶ୍ରଦ୍ଧାଳୁଙ୍କୁ ଅଶ୍ଳୀଳ ଭାଷାରେ ଦୁର୍ବ୍ୟବହାର କରୁଛନ୍ତି । ଯାହାକୁ ନେଇ ଶ୍ରଦ୍ଧାଳୁ ମାନେ ଭୟଭୀତ ହୋଇ ପଡିଛନ୍ତି । ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଏକ ଆଧ୍ୟାତ୍ମିକ ବାତାବରଣ ରଖିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଥିବା ବେଳେ ଏଭଳି କିଛି ନିଶାଖୋର ବ୍ୟକ୍ତି ନିଶା ସେବନ କରି ଅନେକ ସମୟରେ ଉତ୍ପାତ କରୁଛନ୍ତି । ଫଳରେ ଶ୍ରୀମନ୍ଦିରର ଆଧ୍ୟାତ୍ମିକ ପରିବେଶକୁ ଏଭଳି ବ୍ୟକ୍ତି ବିଶେଷ ମାନେ ନଷ୍ଟ କରୁଛନ୍ତି । ଏଣୁ ତୁରନ୍ତ ପୋଲିସ ପ୍ରଶାସନ ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରି ଏଭଳି ନିଶାଖୋରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ବୋଲି ଜଗନ୍ନାଥ ପ୍ରେମୀ ଦାବି କରିଛନ୍ତି । ତେବେ ଯେଉଁମାନେ ନିଶା ସେବନ କରି ଶ୍ରଦ୍ଧାଳୁଙ୍କୁ ଦୁର୍ବ୍ୟବହାର କରୁଥିବେ ପ୍ରଶାସନ ସେମାନଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବ ବୋଲି ଜିଲ୍ଲାପାଳ କହିଛନ୍ତି।