ସନ୍ଥକବି ଭୀମ ଭୋଇ ।ମହିମା ଧର୍ମର ପ୍ରଚାରକ

ମହିମା ଧର୍ମର ପ୍ରଚାରକ ସନ୍ଥକବି ଭୀମ ଭୋଇ ରେଢ଼ାଖୋଲ ର କନ୍ଧରା ଗ୍ରାମ ରେ ୧୮୫୦ ମସିହା ବୈଶାଖ ପୂର୍ଣ୍ଣିମାରେ ଜନ୍ମ ଗ୍ରହଣ କରିଥିଲେ ବୋଲି ବିଶ୍ଵାସ କରାଯାଏ। କେତେକ ଐତିହାସିକଙ୍କ ମତରେ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଅନ୍ତର୍ଗତ ଜଟାସିଂଘା ଗ୍ରାମ ମୁଣ୍ଡ ତାଳବଣିଆରେ ଏକ ଅଜ୍ଞାତ ଶିଶୁର କ୍ରନ୍ଦନ ଶୁଣି ଦନାର ଭୋଇ ଓ ତାଙ୍କ ପତ୍ନୀ ଗୁରୁବାରୀ ତାଙ୍କୁ ଉଦ୍ଧାର କରି ନିଜ ଘରେ ରଖିଥିଲେ। କିଛି ଦିନ ପରେ ଦନାର ଭୋଇଙ୍କ ମୃତ୍ୟୁ ହୋଇଥିଲା। ଯୁବତୀ ଗୁରୁବାରୀ ତାଙ୍କ ଦିଅର ଧନେଶ୍ଵର ଭୋଇଙ୍କୁ ବିବାହ କରିଥିଲେ। କୃଷି ଶ୍ରମିକ ଧନେଶ୍ଵର ଭୋଇ ଶିଶୁ ଭୀମଭୋଇଙ୍କ ସହିତ ଜଟାସିଂହାରୁ କନ୍ଧରା ଗ୍ରାମକୁ ଆସି ସେଠାରେ ବାସିନ୍ଦା ହୋଇଗଲେ।

ଭୀମଭୋଇଙ୍କ ରଚନାରେ‌,”ଆହାର ଝିଙ୍କନ୍ତେ ଲାଠିକୁ ଜଳିଲା ଧୀବରକୁ କଲା ଗ୍ରାସବିନ୍ଧି ପଞ୍ଚବାଣ ଭଣେ ଭୀମ ହୀନ ଧନେଶ୍ଵର ଭୋଇ ବତ୍ସ।”ଭୀମ ଭୋଇ, ବୁଦ୍ଧସ୍ଵାମୀ ମହିମା ଗୋସାଇଁଙ୍କ ଠାରୁ ଢେଙ୍କାନାଳ ଜିଲ୍ଲାର କପିଳାସ ପାହାଡ଼ରେ ଶିଷ୍ୟତ୍ୱ ଗ୍ରହଣ କରି ଯାଯାବର ଜୀବନ ଯାପନ କରି ଶେଷରେ ସୋନପୁର ଜିଲ୍ଲାର ଖଲିଆପାଲି ଠାରେ ତାଙ୍କର ସାଧନା ପୀଠ ପ୍ରତିଷ୍ଠା କରିଥିଲେ।ସମ୍ପୂର୍ଣ ନିରକ୍ଷର ଦୃଷ୍ଟିଶକ୍ତି ହୀନ ଭୀମଭୋଇଙ୍କ ରଚନାରେ‌ ମାନବଧର୍ମ ଜୀବନ ଦର୍ଶନ ଅତ୍ୟନ୍ତ ସୁସ୍ପଷ୍ଟ। ନିଜର ସହଜାତ ପ୍ରତିଭା ବଳରେ ଏକ ସ୍ଵତନ୍ତ୍ର ଶୈଳୀରେ ଭଜନ ଓ ଜଣାଣ ମାଧ୍ୟମରେ ତତ୍କାଳୀନ ସମାଜର ଜାତିପ୍ରଥା, ଉଚ୍ଚନୀଚ ଭେଦଭାବ ଓ ଧର୍ମାନ୍ଧତା ବିରୁଦ୍ଧରେ ମହିମା ଧର୍ମର ପ୍ରଚାର କରି ସମାଜକୁ ଏକ ନୂତନ ବାର୍ତ୍ତା ପ୍ରଦାନ କରି ସ୍ଵଚ୍ଛ, ସୁନ୍ଦର, ସତ୍ୟନିଷ୍ଠ ସମାଜର ପ୍ରତିଷ୍ଠା ନିମନ୍ତେ ପ୍ରାର୍ଥନା କରିଛନ୍ତି।”ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁଦେଖୁ କେବା ସହୁ।ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ।” ସମଗ୍ର ବିଶ୍ୱରେଘ ଏହି ବାର୍ତ୍ତା ପ୍ରଚାରିତ ହୋଇ ମହନୀୟ ଭାରତୀୟ ସଂସ୍କୃତିର ଜୟଗାନ କରୁଛି।ତାଙ୍କର ରଚନାବଳୀ ମଧ୍ୟରେ ସ୍ତୁତି ଚିନ୍ତାମଣି, ବ୍ରହ୍ମ ନିରୂପଣ ଗୀତା, ଆଦି ଅନ୍ତ ଗୀତା,ବୃହତ ଭଜନମାଳା,ଅଷ୍ଟକ ବିହାରୀ ଗୀତା, ଚଉତିଶା ଗ୍ରନ୍ଥମାଳା, ନିର୍ବେଦ ସାଧନା, ଶ୍ରୁତି ନିଷେଧ ଗୀତା ଆଦି ପ୍ରଧାନ।”ଏକୌଶ ବ୍ରହ୍ମାଣ୍ଡେ ପାଟ ବାନ୍ଧି ଦେବେ ତାଙ୍କୁ।ନବ ଖଣ୍ଡ ତ୍ରିଭୁବନ ଯେ ପାରିବ ବୁଝିବାକୁ।୧।ସମ୍ଭାଳି ପାରିବ ଯେହୁ ଭଗତବୃନ୍ଦକୁ।ବାଞ୍ଛାପୂର୍ଣ୍ଣ ତିଥି ବସା ଦେଇଯିବେ ସମସ୍ତଙ୍କୁ।୨।ସମର୍ପି ଦେବେ ବାଉନ କୋଟି ଭଣ୍ଡାରକୁ।ସମାନେ ଯେହୁ ପାଳିବ ଛପନା କୋଟି ଜୀବକୁ।୩।-ଭଜନମାଳା।ବ୍ରହ୍ମଜ୍ଞାନ ଓ ବିଶ୍ଵ ପ୍ରସାରିତ ଚିନ୍ତାଧାରାରେ ସମୃଦ୍ଧ ସର୍ବ ଘଟେ ନାରାୟଣ ଭାବନାରେ ମଗ୍ନ ଭୀମଭୋଇଙ୍କ ସ୍ତୁତି ଚିନ୍ତାମଣି ଯୁଗ ଯୁଗ ଧରି ବିଶ୍ବକୁ ମାନବବାଦୀ ଶାଶ୍ଵତ ସନାତନ ଧର୍ମର ନିତ୍ୟ ନୂତନ, ସୁନ୍ଦର ଓ ଶୃଙ୍ଖଳିତ ମାନବ ସମାଜ ଗଠନର ବାର୍ତ୍ତା ପ୍ରଚାର କରୁଥିବ।”ଜପ ତପ ସନ୍ଧ୍ୟା ହୋମ ଯଜ୍ଞ ତେଜି ଧରି ନିରିବେଦ ପଥ।ଆତ୍ମ ଭଗତିରେ ଏ ମୃତ୍ୟୁ ସଂସାରେ ମଣିଲି ମୁଁ ଏକମତ।ଭଗତି ଅଙ୍ଗଟି ପ୍ରଭୁ ଅଙ୍ଗ ଜାଣଜୀବ ରୂପେ କରି ବିଜେ।

ଗୁରୁ ଚରଣକୁ ଶିଷ୍ୟ ଭଜୁଥାଇଶ୍ରୀଗୁରୁ ଶିଷ୍ଯକୁ ଭଜେ।”ଅନ୍ୟ ଏକ କବିତାରେ “ରୂପରୁ ଅରୂପ ଅରୂପରୁ ରୂପସର୍ବ ଘଟେ ବିଜେ ହରି।ଭଗତି ଆରତ ବାନା ରହିଅଛିଅରକ୍ଷକୁ ହିତକାରୀ।”ସାମାଜିକ, ସାଂସ୍କୃତିକ ଓ ମାନବିକ ମୂଲ୍ୟବୋଧର ବିକାଶ ସହିତ ଏକ ଶ୍ରେଣୀ ହୀନ ସମାଜ ଗଠନ ନିମନ୍ତେ ମହିମା ଧର୍ମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।”ଛତିଶକୁଳୀ ଯେ ବାଉନପାଟକଯେ ଅଛି ସ୍ତିରୀ ପୁରୁଷ।ଉଚ୍ଚନୀଚ ବୋଲି ବାରଣ ନକରିନାମରେ ଶରଣ ପଶ।”ମହିମା ଧର୍ମର ମୁଖ୍ୟ ପ୍ରବକ୍ତା ଥିଲେ ଦିବ୍ୟ ଦ୍ରଷ୍ଟା ଭୀମଭୋଇ।ତାଙ୍କ ଅମର ଓ ଚିରଭାସ୍ଵରବାଣୀ ଜଗତର କଲ୍ୟାଣ ସାଧନ ପାଇଁ ଉଦ୍ଦିଷ୍ଟ। ସେ ଥିଲେ କବି,ଦାର୍ଶନିକ,ସମାଜ ସଂସ୍କାରକ,ଧର୍ମପ୍ରଚାରକ,ସନ୍ଥକବି ।।ଆଲେଖ୍ୟ: ବାବାଜୀ ଚରଣ ଦାସ ।।ପଞ୍ଚସଖା ନଗର,ଡୁମୁଡୁମା, ଭୁବନେଶ୍ବର-୧୯।