ସବ୍ ଇନ୍ସପେକ୍ଟର କାର୍ତ୍ତିକ ଜେନା ନିଲମ୍ବିତ
ଭଦ୍ରକ ଗ୍ରାମାଞ୍ଚଳ ଥାନା SI ନିଲମ୍ବିତ। ତଦନ୍ତ ପାଇଁ ଅସଲି ପୋଲିସ ନକଲି ପୋଲିସକୁ ପଠାଇ ନିଲମ୍ବିତ ହୋଇଛନ୍ତି ।ଘରୋଇ ମାମଲା ରୁଜୁ ପରେ ତଦନ୍ତ ପାଇଁ ଯାଇଥାନ୍ତେ ତଦନ୍ତକାରୀ ଅଧିକାରୀ । କିନ୍ତୁ ନିଜେ ନ ଯାଇ ସରକାରୀ ବାଇକ୍ ଦେଇ ମଧ୍ୟସ୍ଥି ଭାବେ ଜନୈକ ଯୁବକଙ୍କୁ ତଦନ୍ତ ପାଇଁ ପଠାଇଥିଲେ ପୋଲିସ ବାବୁ । ମଧ୍ୟସ୍ଥି ଜଣକ ମଧ୍ୟ ଗାଁକୁ ଯାଇ ଅଭିଯୋଗକାରିଣୀଙ୍କ ଘରେ ପହଞ୍ଚି କିଛି ଟଙ୍କା ମଧ୍ୟ ମାଗିଥିଲେ । ସ୍ଥାନୀୟ ଲୋକେ ସନ୍ଦେହ କରି ପରିଚୟ ପତ୍ର ମାଗିବାରୁ ନିଜକୁ ଗୁଇନ୍ଦା ବିଭାଗ କର୍ମଚାରୀ କହିଥିଲେ ।ପରେ ଗ୍ରାମବାସୀ ଯୁବକଙ୍କୁ ଅଟକ ରଖି ପୋଲିସକୁ ଡାକିବାରୁ ପୋଲିସ ଯାଇ ଚିହ୍ନଟ କରିଥିଲା ଯେ ଯୁବକ ଜଣକ ଅସଲି ପୋଲିସ ନୁହନ୍ତି । ତେଣୁ ଗ୍ରାମାଞ୍ଚଳ ପୋଲିସ ସେହି ଯୁବକଙ୍କୁ ଥାନାକୁ ଆଣି ଅଟକ ରଖି ତଦନ୍ତ ଆରମ୍ଭ କରିଛି । ତେବେ ସମ୍ପୃକ୍ତ ଯୁବକ ଜଣଙ୍କୁ ପୋଲିସ ସବ ଇନ୍ସପେକ୍ଟର କାର୍ତ୍ତିକ ଜେନା ପଠାଇ ଥିଲେ ବୋଲି ଭଦ୍ରକ ଏସପି ପ୍ରମାଣ ପାଇଲା ପରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିବା ଜଣାଯାଇଛି ।
