ସମାନ ଦିନରେ ନୀରବି ଗଲା ଦୁଇ ସ୍ଵର, ଖୋକା ଭାଇଙ୍କ ସହ ମିଶିଗଲା ହ୍ୟୁମାନଙ୍କ ବିୟୋଗ ତାରିଖ
ସେଦିନ ଥିଲା ୧୭ ନଭେମ୍ବର ୨୦୦୨। ସେହି ଦିନ ଆଖିବୁଜିଥିଲେ ଚିରସବୁଜ ଗାୟକ ତଥା ଓଡ଼ିଆ ସଂଗୀତ ଜଗତର ବେତାଜ ବାଦଶାହ ଅକ୍ଷୟ ମହାନ୍ତି। ଆଉ ଏବେ ସେହି ନଭେମ୍ବର ୧୭ କିନ୍ତୁ ବର୍ଷଟା ଅଲଗା ମାନେ ୨୦୨୫ । ଏହି ଦୁଇଟି ତାରିଖ ଓଡ଼ିଶାର ସଙ୍ଗୀତ ଜଗତରେ ସବୁଦିନ ପାଇଁ ଅଭୁଲା ତାରିଖ ହୋଇ ରହିଯିବ । ଏବେ ଅଫେରା ରାଇଜକୁ ଚାଲିଯାଇଛନ୍ତି ହ୍ୟୁମାନ ସାଗର। ଦୁଇ ଜଣଙ୍କ ସ୍ୱର ଶୁଣିବାକୁ ସବୁବେଳେ ଦର୍ଶକଙ୍କ ମନରେ ଉତ୍କଣ୍ଠା ଭରିରହୁଥିଲା ।ଗତକାଲି ଥିଲା ୧୭ ନଭେମ୍ବର ୨୦୨୫। ସେଦିନ ଓଡ଼ିଆ ସଂଗୀତ ଜଗତର ପ୍ରତିଷ୍ଠିତ ଗାୟକ ହ୍ୟୁମାନ ସାଗର ଶେଷ ନିଶ୍ବାସ ତ୍ୟାଗ କରିଲେ। ସେ ଶତାଧିକ ସିନେମାରେ କଣ୍ଠଦାନ କରିବା ସହ ବହୁ ଆଲବମ୍ ଗୀତ ବି ଗାଇଥିଲେ। ଦୁଇଜଣ ନିଜ ନିଜ ସମୟର ସର୍ବାଧିକ ଲୋକପ୍ରିୟ ଏବଂ ସର୍ବାଧିକ ପାରିଶ୍ରମିକ ନେଉଥିବା କଳାକାର। ଅକ୍ଷୟ ମହାନ୍ତି ଜୀବନର ଅପରାହ୍ଣରେ ଥିଲେ। ହେଲେ କମ୍ ବୟସରେ ହ୍ୟୁମାନ ଦୁନିଆକୁ ଛାଡ଼ି ଚାଲିଗଲେ। ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ରେ ଜନ୍ମିତ ହ୍ୟୁମାନ ସାଗର ୨୦୧୨ରେ ‘ଭଏସ୍ ଅଫ୍ ଓଡ଼ିଶା’ ସିଜନ୍-୨ରେ ବିଜୟୀ ହୋଇଥିଲେ। ୨୦୧୫ରେ ‘ଇସ୍କ ତୁହି ହୀ ତୁହି’ ଚଳଚ୍ଚିତ୍ରର ଟାଇଟଲ୍ ଟ୍ରାକ୍ ଗାଇ ଓଲିଉଡରେ ଏଣ୍ଟ୍ରି କରିଥିଲେ । ତାଙ୍କ କଣ୍ଠରେ ଗାଇଥିବା ଅନେକ ରୋମାଣ୍ଟିକ୍ ଓ ଭାବପୂର୍ଣ୍ଣ ଗୀତ ଶ୍ରୋତାଙ୍କ ହୃଦୟରେ ସ୍ଥାନ ପାଇଥିଲା।
ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରି କହିଛନ୍ତି ଯେ, ହ୍ୟୁମାନଙ୍କ ଦେହାନ୍ତ ଓଡ଼ିଶାର ସଙ୍ଗୀତ ଓ ଚଳଚ୍ଚିତ୍ର ଜଗତ ପାଇଁ ଅପୂରଣୀୟ କ୍ଷତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସଙ୍ଗୀତ ଜଗତର ଅନେକ ବ୍ୟକ୍ତି ବିଶେଷ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।
