ସରକାରଙ୍କ ସହ ଆଲୋଚନା ବିଫଳ: ବଡ ନିଷ୍ପତ୍ତି ନେଲେ ମିଲର

ରାଜ୍ୟରେ ସୃଷ୍ଟି ହୋଇପାରେ ଚାଉଳ ସଙ୍କଟ। ବିଭିନ୍ନ ଦାବିକୁ ନେଇ ରାଜ୍ୟ ସରକାରଙ୍କ ସହ ଚାଉଳ ମିଲର ସଂଘର ଆଲୋଚନା ବିଫଳ ହୋଇଛି। ଫଳରେ ମିଲରମାନେ ସେମାନଙ୍କ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ବିଭିନ୍ନ ଦାବି ନେଇ ଯୋଗାଣ ବିଭାଗ ଏମଡିଙ୍କ ସହ ବୈଠକ ବସିଥିଲା । ମିଲର୍ସ ମାନଙ୍କ ସହ ଆଲୋଚନା ପରେ ଯୋଗାଣ ବିଭାଗ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି । ଗତକାଲି ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିଲା । ବିଭାଗ ମିଲର୍ସଙ୍କ ଦାବି ପୂରଣ ନେଇ ସଚେତନ ଅଛନ୍ତି । ସେମାନଙ୍କୁ ସମୟ ମଗାଯାଇଛି । ଦାବି ପୂରଣ କରାଯିବ । ଧାନ କିଣା ପ୍ରକ୍ରିୟା ଯେପରି ପ୍ରଭାବିତ ନହେବ ସେ ନେଇ ସରକାର ତତ୍ପର ଅଛନ୍ତି ।

ଅନ୍ୟପଟେ ଜାନୁଆରି ୧୦ ସୁଦ୍ଧା ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ମଣ୍ଡିରେ ଧାନକିଣା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନି‌ର୍ଦ୍ଦେଶ ଦେଇଛନ୍ତି। ହେଲେ ଏବେ ସୁଦ୍ଧା ୧୮ଟି ଜିଲ୍ଲାରେ ଧାନକିଣା ଆରମ୍ଭ ହୋଇଛି। ହାତରେ ଆଉ ସପ୍ତାହେରୁ କମ୍ ସମୟ ଥିବାବେଳେ ବାକି ୧୨ଟି ଜିଲ୍ଲାରେ କିପରି ଧାନ କିଣା ଆରମ୍ଭ ହେବ ସେ ଚିନ୍ତା ଏବେ ଯୋଗାଣ ବିଭାଗକୁ ଘାରିଛି।ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସହ ଅନୁଷ୍ଠିତ ବୈଠକ ଅମୀମାଂସିତ ରହିବା ପରେ ମିଲର ସଂଘ ନିଜ ଜିଦ୍‌ରେ ଅଟଳ ରହିଛି। ସଂଘ ପକ୍ଷରୁ କରାଯାଇଥିବା ମୁଖ୍ୟ ଦାବିଗୁଡ଼ିକ ହେଉଛି, ୨୦୨୩-୨୪ ଓ ୨୦୨୪-୨୫ ଖରିଫ୍ ଋତୁ ପାଇଁ ରକ୍ଷଣାବେକ୍ଷଣ ଶୁଳ୍କ ପ୍ରଦାନ, କଷ୍ଟମ ମିଲିଂ ପାଇଁ ଅତିରିକ୍ତ ପ୍ରୋତ୍ସାହନ ରାଶି, ୪୦ କିଲୋମିଟରରୁ ଅଧିକ ଦୂରତା ପାଇଁ ପରିବହନ ଖର୍ଚ୍ଚର ସଂଶୋଧନ, ଅରୁଆ ଚାଉଳ କ୍ଷେତ୍ରରେ ୧ ପ୍ରତିଶତ ‘ଡ୍ରାଇଏଜ୍’ ବ୍ୟବସ୍ଥାର ପୁନଃ ପ୍ରଚଳନ କରିବା।ଏଥିସହିତ ମିଲରମାନେ ଚେତାବନୀ ଦେଇଛନ୍ତି ଯେ, ସରକାରୀ ସ୍ତରରେ କୌଣସି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ନପାଇବା ପର୍ଯ୍ୟନ୍ତ ସମସ୍ତ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ବନ୍ଦ ରହିବ। ପୂର୍ବରୁ ନଭେମ୍ବର ଓ ଡିସେମ୍ବରରେ ମୌଖିକ ପ୍ରତିଶ୍ରୁତି ପାଇ ସେମାନେ କାର୍ଯ୍ୟ ଆରମ୍ଭ କରିଥିଲେ, ମାତ୍ର ୫ ସପ୍ତାହ ବିତିଯାଇଥିଲେ ମଧ୍ୟ କୌଣସି ସରକାରୀ ଆଦେଶନାମା ଜାରି କରାଯାଇ ନାହିଁ।