ସରକାରୀ ଡାକ୍ତରଖାନାରେ ରୋଗୀଙ୍କ ଖାଦ୍ୟ ଖର୍ଚ୍ଚ ବୃଦ୍ଧି
ପ୍ରତ୍ୟେକ ଜିନିଷରେ ଦରଦାମ ବୃଦ୍ଧି ହୋଇଛି। ଖାଇବା ଜିନିଷ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ। ରୋଗୀଙ୍କୁ ପୁଷ୍ଟିକର ଓ ସ୍ବାସ୍ଥ୍ୟଯୁକ୍ତ ଖାଦ୍ୟ ଦେବା ଲକ୍ଷ୍ୟରେ ସରକାରୀ ଡାକ୍ତରଖାନାରେ ରୋଗୀଙ୍କ ଖାଦ୍ୟ ଖର୍ଚ୍ଚ ବୃଦ୍ଧି କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରୋଗୀଙ୍କ ପାଇଁ ସାଧାରଣ ଖାଦ୍ୟ ଦର ପୂର୍ବରୁ ୧୧୦ ଟଙ୍କା ରହିଥିବା ବେଳେ ଏହା ୧୨୭ ଟଙ୍କାକୁ ବୃଦ୍ଧି କରାଯାଇଛି। ଶିଶୁ ରୋଗୀଙ୍କ ଖାଦ୍ୟ ଦର ୯୫ ଟଙ୍କାରୁ ୧୧୦ ଟଙ୍କା, ଅଧିକ ପୁଷ୍ଟିକର ଖାଦ୍ୟ ଦର ୧୨୦ରୁ ୧୩୮ ଟଙ୍କା, ଶୁଖିଲା ଖାଦ୍ୟ ଦର ୯୫ ଟଙ୍କାରୁ ୧୧୦ଟଙ୍କା ଓ ତରଳ ଖାଦ୍ୟ ଦର ୧୧୦ଟଙ୍କାରୁ ୧୨୭ ଟଙ୍କାକୁ ବୃଦ୍ଧି କରାଯାଇଛି। ଭର୍ତ୍ତି ହୋଇଥିବା ରୋଗୀଙ୍କୁ କିଭଳି ଉନ୍ନତ ମାନର ଖାଦ୍ୟ ଯୋଗାଇ ଦିଆଯିବ ସେନେଇ ମେଡିକାଲର ମୁଖ୍ୟ ଦାୟୀ ରହିବେ।
