ସରଣ୍ଡା ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ :ଜଣେ ଯବାନ ଶହୀଦ

ଓଡ଼ିଶା-ଝାଡଖଣ୍ଡ ସୀମାରେ ଚାଲୁଥିବା ସନ୍ଧାନ ଅଭିଯାନ ସମୟରେ ଘଟିଥିବା ବିସ୍ଫୋରଣ ଘଟଣାରେ ଏକ ସିଆରପିଏଫ ଯବାନ ଶହୀଦ ହୋଇଥିବା ଖବର ପରେ ସୁରକ୍ଷା ବଳ ଓ ଅଞ୍ଚଳ ଭିତରେ ଶୋକର ଛାୟା ଖେଳିଯାଇଛି। ସୂଚନାମୁତାବକ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକର ଜରାଇକେଳା ପଞ୍ଚାୟତ ସୀମାନ୍ତରେ ଥିବା ଝାଡ଼ଖଣ୍ଡସ୍ଥିତ ସରଣ୍ଡା ଜଙ୍ଗଲରେ ମାଓବାଦୀମାନେ ପୁଣି ଥରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ନିଜର ଉପସ୍ଥିତି ଜାହିର କରିଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ମାଓବାଦୀମାନଙ୍କ ପ୍ରସ୍ତୁତ ବିସ୍ଫୋରଣରେ ୬୦ ବାଟାଲିୟନର ଇନ୍ସପେକ୍ଟର କୌଶଳ କୁମାର ମିଶ୍ର ଗୁରୁତର ଆହତ ହୋଇଥିଲେ। ତା’ପରେ ରାତିରେ ଦ୍ୱିତୀୟ ଆଇଇଡି ବିସ୍ଫୋରଣ ଘଟିଥିଲା, ଯେଉଁଥିରେ ରାମକୃଷ୍ଣ ଗାଗରାଇ ଓ ମହେନ୍ଦ୍ର ଲଷ୍କର ଆହତ ହୋଇଥିଲେ। ରାଉରକେଲାର ଏକ ବେସରକାରୀ ହସ୍ପିଟାଲରେ ସ୍ଥାନାନ୍ତର କରାଯାଇଥିବା ଦୁଇଜଣଙ୍କ ମଧ୍ୟରୁ ମହେନ୍ଦ୍ର ଲଷ୍କର ଚିକିତ୍ସା ସମୟରେ ଜୀବନ ହାରିଥିଲେ। ଘଟଣା ପରେ ସାରଣ୍ଡା ଜଙ୍ଗଲ ଓ ସୀମାଞ୍ଚଳରେ ଅତିରିକ୍ତ ସୁରକ୍ଷା ବଳ ନିୟୋଜିତ କରି ତଲାସି ଅଭିଯାନକୁ ଆହୁରି ତୀବ୍ର କରାଯାଇଛି। ସିଆରପିଏଫର ବରିଷ୍ଠ ଅଫିସରମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରୁଛନ୍ତି। ଶହୀଦ ମହେନ୍ଦ୍ର ଲଷ୍କରଙ୍କ ପାର୍ଥିବ ଶରୀରକୁ ତାଙ୍କ ଜନ୍ମଭୂମି ଅସମ୍ରକୁ ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି।