ସରପଞ୍ଚ ହେବାର ଆକାଂକ୍ଷା : ବାପା ସାଜିଲେ ଝିଅର ହତ୍ୟାକାରୀ
ମହାରାଷ୍ଟ୍ରର ନାନ୍ଦେଡ଼ ଜିଲାରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ୨୮ ବର୍ଷୀୟ ପାଣ୍ଡୁରଙ୍ଗ ରୋଣ୍ଡମଙ୍ଗଲେ ନାନ୍ଦେଡ଼ର କେରୁର ଗାଁରେ ‘ବିରାଟ ସେଲୁନ’ ନାମକ ଏକ ଦୋକାନ ଚଳାନ୍ତି। ପାଣ୍ଡୁରଙ୍ଗଙ୍କ ସ୍ବପ୍ନ ଥିଲା ସରପଞ୍ଚ ନିର୍ବାଚନ ଲଢ଼ିବା। ଜୁନ ୨୦୨୬ରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ତାଙ୍କୁ ଏହି ସୁଯୋଗ ମିଳିବାକୁ ସ୍ଥିର ହୋଇଥିଲା। କିନ୍ତୁ ମହାରାଷ୍ଟ୍ର ସରକାରଙ୍କ ଏକ ନିୟମ ତାଙ୍କ ସ୍ବପ୍ନକୁ ବାଧା ଦେଇଥିଲା। ଫଳରେ ସେ ଏକ ଭୟଙ୍କର ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ।ଗ୍ରାମ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦବୀ ପାଇଁ ଲଢ଼ିବାରେ ଯୋଗ୍ୟତା ହାସଲ ଲାଗି ନିଜର ତିନି ସନ୍ତାନଙ୍କ ମଧ୍ୟରୁ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।ପୁଲିସ କହିବା ଅନୁଯାୟୀ, ତିନି ଦିନ ପୂର୍ବେ ସେ ତାଙ୍କ ସ୍ତ୍ରୀଙ୍କୁ କହିଥିଲେ ଯେ ସେ ଦୋକାନକୁ ଯାଉଛନ୍ତି । ୭ ବର୍ଷର ଝିଅ ପ୍ରାଚୀକୁ ସାଙ୍ଗରେ ନେଇ ଘରୁ ବାହାରି ଯାଇଥିଲେ। ପରେ ସେ ଏକା ଘରକୁ ଫେରିଥିଲେ। ଝିଅ ବିଷୟରେ ପଚାରିବାରୁ ସେ ତାଳମେଳ ନଥିବା ଉତ୍ତର ଦେଇଥିଲେ। ଏନେଇ ଘର ଲୋକଙ୍କ ମଧ୍ୟରେ ସନ୍ଦେହ ଉପୁଜିଥିଲା। ନିଜାମାବାଦ ପୁଲିସ ପାଣ୍ଡୁରଙ୍ଗ ଓ ଗାଁର ସରପଞ୍ଚ ଗଣେଶ ରାମଚନ୍ଦ୍ର ସିନ୍ଦେଙ୍କୁ ଗିରଫ କରିଛନ୍ତି। ନିଜାମାବାଦ ପୁଲିସ କମିଶନର ପି ସାଇ ଚୈତନ୍ୟ କହିଛନ୍ତି, କିଛି ଦିନ ପୂର୍ବେ ୟେଡାପାଲିର ନିଜାମ ସାଗର କେନାଲରୁ ଜଣେ ଚୋଟଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପରବର୍ତ୍ତୀ ତଦନ୍ତରୁ ତାଙ୍କ ପରିଚୟ ପ୍ରାଚୀ। ସେ ମହାରାଷ୍ଟ୍ରର ପଡ଼ୋଶୀ ନାନ୍ଦେଡ ଜିଲ୍ଲାର କେରୁର ଗାଁର ବାସିନ୍ଦା ବୋଲି ଜଣାପଡିଥିଲା। ପୁଲିସ ତାଙ୍କ ବାପାଙ୍କୁ ପଚରାଉଚରା ପାଇଁ ଅଟକ ରଖିଥିଲା, ଏହି ସମୟରେ ସେ ପୁଲିସଙ୍କୁ ଭୁଲ୍ ସୂଚନା ଦେଇ ମିଛ କହିଥିଲେ। ତଦନ୍ତକୁ ବାଟବଣା କରିବାକୁ ଚେଷ୍ଟା କରିଥିଲେ। ସାନଝିଅ ଏକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଥିବା କହିଥିଲେ। ତେବେ ଅଧିକ ପଚରାଉଚରା ପରେ, ସେ ତାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ।ଅଭିଯୁକ୍ତ ବାପାଙ୍କ ବିରୋଧରେ ହତ୍ୟା ଏବଂ ଆପରାଧିକ ଷଡ଼ଯନ୍ତ୍ର ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଏହା ବ୍ୟତୀତ ବର୍ତ୍ତମାନର ଗ୍ରାମ ମୁଖ୍ୟଙ୍କ ବିରୋଧରେ ମଧ୍ୟ ଷଡ଼ଯନ୍ତ୍ରରେ ସମ୍ପୃକ୍ତି ଅଭିଯୋଗ କରାଯାଇଛି ଏବଂ ତାଙ୍କୁ ଗିରଫ କରାଯାଇଛି।
