ସାଇବର ଅପରାଧ ରୋକିବାକୁ ସଚେତନତା ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର: ମୁଖ୍ୟମନ୍ତ୍ରୀ

ସମାଜ ପାଇଁ ଆଜି ବଡ ଚ୍ୟାଲେଞ୍ଜ ହୋଇଥିବା ସାଇବର ଅପରାଧକୁ ରୋକିବା ପାଇଁ ସଚେତନତା ହେଉଛି ସବୁଠାରୁ ବଡ ଶକ୍ତିଶାଳୀ ଅସ୍ତ୍ର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଇବର ସୁରକ୍ଷା ସଚେତନତା ଅଭିଯାନ ୨୦୨୫ର ଶୁଭାରମ୍ଭ ଅବସରରେ ଏହା କହିଛନ୍ତି ।ସାଇବର ଅପରାଧ ରୋକିବା କ୍ଷେତ୍ରରେ ଓଡିଶା ପୋଲିସକୁ ପ୍ରଶଂସାକରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ନ୍ୟାସନାଲ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲ ଏବଂ ସାଇବର ହେଲ୍ପଲାଇନ୍ ୧୯୩୦ ମାଧ୍ୟମରେ ହଜାର ହଜାର ଅଭିଯୋଗକାରୀଙ୍କୁ ସଠିକ୍ ସମୟରେ ସହାୟତା ପ୍ରଦାନ କରାଯାଇଛି । ସାଇବର ଅପରାଧକୁ ପ୍ରତିରୋଧ କରିବା ପାଇଁ ରାଜ୍ୟରେ ଖୁବଶୀଘ୍ର ଆଉ ୨୦ଟି ନୂତନ ସାଇବର ଅପରାଧ ପୋଲିସ୍ ଷ୍ଟେସନ କାର୍ଯ୍ୟକ୍ଷମ ହେବ । ଏହା ସହ ପୂର୍ବରୁ ଥିବା ୧୪ଟି ସାଇବର ପୋଲିସ୍ ଷ୍ଟେସନର ଆଧୁନିକୀକରଣ ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି । ଏ କ୍ଷେତ୍ର ପାଇଁ ୧୧୨୭ଟି ନୂତନ ପୋଲିସ ପଦବୀ ସହିତ ୧୭୦ ଟେକ୍ନିକାଲ ଏକ୍ସପର୍ଟଙ୍କୁ ଖୁବଶୀଘ୍ର ନିଯୁକ୍ତି ଦିଆଯିବ । ଏଥି ସହିତ କ୍ରାଇମବ୍ରାଞ୍ଚ ଅଧୀନରେ ଏକ ରାଜ୍ୟସ୍ତରୀୟ କମାଣ୍ଡ ସେଣ୍ଟର ଗଠନ କରାଯିବ ଏବଂ ଏହି ସେଣ୍ଟରଟି ସାଇବର ଅପରାଧ ରୋକିବା କ୍ଷେତ୍ରରେ ସେଣ୍ଟର ଅଫ୍ ଏକ୍ସେଲେନ୍ସ ଭାବରେ କାର୍ଯ୍ୟ କରିବ ।