ସାର କଳାବଜାର ରୋକିବାକୁ ଗାଁ ସ୍ତରରେ ହେବ ‘ଧର୍ତୀ ମାତା ବଚାଓ ନିଗ୍ରାନି କମିଟି’
ରାସାୟନିକ ସାର ଛାଡ଼ି ଜୈବିକ ଚାଷକୁ ପ୍ରୋତ୍ସାହନ ଦେବାକୁ ସରକାର ଆରମ୍ଭ କରିଛନ୍ତି ‘ଧରତୀ ମାତା ବଞ୍ଚାଓ’ ଅଭିଯାନ । ରାସାୟନିକ ସାର ବଦଳରେ ବ୍ୟବହାର ହେବ ଜୈବିକ ସାର । ପଞ୍ଚାୟତ ସ୍ତରରେ ଗଠନ ହେବ କମିଟି । ବିଲରେ ରାସାୟନିକ ସାର କମ୍ ପକେଇଲେ ଚାଷୀଙ୍କୁ ମିଳିବ ସହାୟତା ରାଶି ।କିନ୍ତୁ ଗତ କିଛି ବର୍ଷ ହେଲା ଦେଖାଯାଉଛି ଯେ ୟୁରିଆ ଓ ଡିଏପି ବ୍ୟବହାର ଅଧିକ ବଢ଼ିଯାଇଛି। ସାର କଳାବଜାରୀ ବଢ଼ିଚାଲିଥିବା ନେଇ ବିଭିନ୍ନ ଅଞ୍ଚଳରୁ ଅଭିଯୋଗ ଆସିବା ପରେ କେନ୍ଦ୍ର ସରକାର ଆବଶ୍ୟକତା ଅନୁଯାୟୀ ଯେପରି ସାର ବ୍ୟବହାର ହେବ ଏବଂ କଳାବଜାରୀ ରୋକାଯାଇପାରିବ ସେନେଇ ‘ଧର୍ତୀ ମାତା ବଚାଓ ନିଗ୍ରାନି ଅଭିଯାନ’ ଆରମ୍ଭ କରିଛନ୍ତି। ତେବେ ‘ଧରତୀ ମାତା ବଞ୍ଚାଓ’ ଅଭିଯାନକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାରଙ୍କ ତତ୍ପରତା ପ୍ରକାଶ କରିଛନ୍ତି । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଗାଇଡ଼ ଲାଇନ ପଠାଇଛି ବିଭାଗ । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତସ୍ତରରେ ହେବ ‘ଧରତୀ ମାତା ବଞ୍ଚାଓ’ ନିଗରାନୀ ସମିତି । ଯେଉଁଥିରେ ସରପଞ୍ଚଙ୍କ ସହ ୭ଜଣ ସଦସ୍ୟ ରହିବେ । ସପ୍ତାହକ ଭିତରେ ଗଠନ ହେବ ଏହି କମିଟି । ସେହିପରି ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମୀକ୍ଷା କମିଟି ସହ ଜିଲ୍ଲାପାଳଙ୍କ ଅଧକ୍ଷତାରେ ବି ଏକ ଜିଲ୍ଲା ସ୍ତରୀୟ କମିଟି ଗଠନ କରାଯିବ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି ।
