ସିଙ୍ଗଡ଼ା ପାଇଁ ଟ୍ରେନ ଯାତ୍ରୀଙ୍କ କଲାର ଭିଡ଼ି ଧରିଲେ ବ୍ୟବସାୟୀ ଆଉ ତାପରେ..

ୟୁପିଆଇ ଟ୍ରାଞ୍ଜାକସନକୁ ନେଇ ଜବଲପୁର ରେଳ ଷ୍ଟେସନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯାହାର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ୟୁପିଆଇ ଟ୍ରାଞ୍ଜାକସନ ଫେଲ୍‌ ହେବାରୁ ଷ୍ଟେସନରେ ଜଣେ ସିଙ୍ଗଡା ବ୍ୟବସାୟୀ ଯାତ୍ରୀଙ୍କ କଲାରକୁ ଭିଡି ଧରିବା ସହ ଛାଡି ନଥିଲେ ।ଭିଡିଓ ଭାଇରାଲ ହେବା ପରେ ବିକ୍ରେତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ଏବଂ ତାଙ୍କୁ ହେପାଜତକୁ ନିଆଯାଇଛି ବୋଲି ଜଣେ ରେଳ ଅଧିକାରୀ କହିଛନ୍ତି । ରେଳବାଇ ଏବେ ଅଭିଯୁକ୍ତ ବିକ୍ରେତାଙ୍କ ଲାଇସେନ୍ସ ବାତିଲ କରିବାକୁ ତଦନ୍ତ କରୁଛି ।

ଘଟଣା ଅନୁସାରେ ଜଣେ ଯୁବକ ଷ୍ଟେସନରେ ସିଙ୍ଗଡ଼ା କିଣିବା ପରେ ଅନଲାଇନରେ ପେମେଣ୍ଟ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ଏହି ସମୟରେ ଟ୍ରେନ୍ ବି ଛାଡ଼ି ଦେଇଥିଲା । ପରେ ଯୁବକ ସିଙ୍ଗଡ଼ା ନ ନେଇ ଟ୍ରେନ୍ ଧରିବାକୁ ଚେଷ୍ଟା କରୁଥିବା ବେଳେ ବିକ୍ରେତା ତାଙ୍କ କଲର ଧରି ଯିବାକୁ ଦେଲେନି । ବାଧ୍ୟ କରୁଥାନ୍ତି ପେମେଣ୍ଟ କରିବାକୁ, କିନ୍ତୁ ଯୁବକ ଯେତେ ଚେଷ୍ଟା କଲେ ବି ପେମେଣ୍ଟ ହୋଇନଥିଲା । ଶେଷରେ ଯୁବକ ନିଜ ଘଣ୍ଟା କାଢ଼ି ବିକ୍ରେତାଙ୍କୁ ଦେବାକୁ ବାଧ୍ୟ ହୋଇଥିଲେ । ପରେ ବିକ୍ରେତା ବି ଯୁବକଙ୍କ ହାତରେ କିଛି ସିଙ୍ଗଡ଼ା ଧରାଇ ଦେଇଥିଲେ । ଏହି ସବୁ ଘଟଣାର ଭିଡିଓ କରି କିଛି ଲୋକ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ରେଳ ଅଧିକାରୀଙ୍କ ଅନୁଯାୟୀ ଏହି ଘଟଣା ୧୭ ଅକ୍ଟୋବର ସନ୍ଧ୍ୟା ୫:୩୦ରେ ଜବଲପୁର ରେଳ ଷ୍ଟେସନର ପାଞ୍ଚ ନମ୍ବର ପ୍ଲାଟଫର୍ମରେ ଘଟିଥିଲା ।