ସିସିଟିଭିରୁ ଚିହ୍ନଟ ହେଲା କଟକ ବିଶୃଙ୍ଖଳାର ମାଷ୍ଟରମାଇଣ୍ଡ

ଦୁର୍ଗାପୂଜା ଭସାଣି ରାତିର ଗଣ୍ଡଗୋଳ, ଉତ୍ତେଜନାକୁ କେନ୍ଦ୍ର କରି ଅଶାନ୍ତ ହୋଇପଡିଛି କଟକ ସହର । ଦୁଇ ଦିନ ଧରି ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ରବିବାର ସହରରେ ଜଳିଥିଲା ନିଆଁ । ଏପଟେ କଟକ ସହରର ବିଶୃଙ୍ଖଳାକାରୀ ସିସିଟିଭିରୁ ଚିହ୍ନଟ ହୋଇଛି। ଆଇନ ଶୃଙ୍ଖଳା ADG ସଂଜୟ କୁମାରଙ୍କ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସିସିଟିଭିରେ ଅଭିଯୁକ୍ତ ଚିହ୍ନଟ ହୋଇଛନ୍ତି, ଦୃଢ କାର୍ଯ୍ୟାନୁଷ୍ଠାନ ହେବ। ଆଇନ ଶୃଙ୍ଖଳା ବଜାୟ ରଖିବାକୁ ୫୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। କଟକ ସହରରେ ଶାନ୍ତି ବଜାୟ ରଖିବାକୁ ପୋଲିସର ଅପିଲ କରାଯାଇଛି। ସଚେତନ ହୋଇ ଘର ଭିତରେ ରହିବାକୁ ବିଶେଷ ପରାମର୍ଶ ଦିଆଯାଇଛି।ଦରଘାବଜାର, ମଙ୍ଗଳାବାଗ, ଲାଲବାଗ, ବିଡ଼ାନାସୀ, କ୍ୟାଣ୍ଟନମେଣ୍ଟ, ପୁରୀଘାଟ, ମାଲଗୋଦାମ, ବାଦାମବାଡ଼ି, ସିଡିଏ ଫେଜ୍‌୨, ଜଗତ୍‌ପୁର, ବୟାଳିଶୀ ମୌଜା, ମର୍କତନଗର ଏବଂ ସଦର ଥାନା ଅଞ୍ଚଳରେ ମଙ୍ଗଳବାର ସକାଳ ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ହୋଇଛି। ଏହି ସମୟରେ ସରକାରୀ କାର୍ଯ୍ୟାଳୟ, ଅତ୍ୟାବଶ୍ୟକ ଜରୁରୀସେବା ଚାଲୁ ରହିବ। ଉପଦ୍ରବକାରୀଙ୍କୁ ବରଦାସ୍ତ କରାଯିବନାହିଁ। ଉପଦ୍ରବ କରିବାମାତ୍ରେ ବଳପ୍ରୟୋଗ କରାଯିବ। ଆବଶ୍ୟକସ୍ଥଳେ କର୍ଫ୍ୟୁ ସମୟକୁ ବୃଦ୍ଧି କରାଯାଇପାରେ ବୋଲି କମିଶନର ଏସ୍‌.ଦେବଦତ୍ତ ସିଂ କହିଛନ୍ତି।