ସୁଦଶା ବ୍ରତ ପାଳନ 

ଶୁକ୍ଳ ପକ୍ଷ ଦଶମୀ ତିଥି ଗୁରୁବାର ଦଶ ପାଖୁଡ଼ା ପଦ୍ମ,ଦଶବର୍ଣ୍ଣ ମୁରୁଜ,ଦଶମୁଖି ଦୀପ,ଦଶମୁଠି ଚାଉଳ,ଦଶମେଞ୍ଚା କଦଳୀ, ଦଶଗୋଟି ମଣ୍ଡା, ଦଶମେଞ୍ଚା ହଳଦୀ, ମା ଲକ୍ଷ୍ମୀ ଠାକୁରାଣୀଙ୍କ ଦଶନାମ ଲକ୍ଷ୍ମୀ ନାରାୟଣୀ, କମଳିନୀ,ଶ୍ରୀହରିପ୍ରିୟା, ପଦ୍ମାଳୟା,କମଳା, ଚଞ୍ଚଳା,ବିଘ୍ନସେନୀ,ସିନ୍ଧୁର ଦୁଲଣୀ, ଦୁର୍ଗତି ନାଶିନୀ, ବିଷ୍ଣୁ ପାଟରାଣୀ, ସୁମରଣା କରି ଦଶଖିଅ ଧଳାସୁତା ର ବ୍ରତ ପରବର୍ତ୍ତୀ ସୁଦଶା ବ୍ରତ ପର୍ଯ୍ୟନ୍ତ  ନାରୀମାନେ ବାହୁରେ ଧାରଣ କରନ୍ତି।

ସମୁଦ୍ର ମନ୍ଥନ ବେଳେ କ୍ଷିରାବ୍ଧି ତନୟା ରମା ଙ୍କର ଆବିର୍ଭାବ ଓ ଭଗବାନ ବିଷ୍ଣୁ ଙ୍କ ସହିତ ପୁନଃ ମିଳନ ଠାରୁ ଶ୍ରୀମନ୍ଦିର ମାଲିକାଣୀ ମହାଲକ୍ଷ୍ମୀଙ୍କ ଶ୍ରୀୟା କୁ ବରଦାନ ଓ ସୁଦଶା ବ୍ରତ ପର୍ଯ୍ୟନ୍ତ ଏକ ବିସ୍ତୃତ କାହାଣୀ। 

ଭଗବାନ ବିଷ୍ଣୁଙ୍କ ବାମନ ଅବତାର ରେ ମା ଲକ୍ଷ୍ମୀ ପଦ୍ମ, ପର୍ଶୁରାମ ଅବତାର ରେ ଧାରଣୀ,ରାମ ଅବତାର ବେଳେ ସୀତା, କୃଷ୍ଣ ଙ୍କ ପାଇଁ ରାଧା ଓ ଋକ୍ମିଣୀ, କେବେ ତୁଳସୀ ଓ ବେଦମତୀ ରୂପେ, କେବେ ପ୍ରସ୍ଫୁଟିତ ପଦ୍ମ ଉପରେ ତ କେବେ ଭଗବାନ ବିଷ୍ଣୁଙ୍କ ସହିତ ଗରୁଡ ପୃଷ୍ଠରେ। ମହାଲକ୍ଷ୍ମୀଙ୍କ ସହସ୍ରନାମ ମଧ୍ୟରୁ ଅମରକୋଷ ରେ ଉଲ୍ଲିଖିତ ନାମ ଅତ୍ୟନ୍ତ ଲୋକପ୍ରିୟ। ବୈଷ୍ଣବ ମତବାଦର ରାମାନୁଜାଚାର୍ଯ୍ଯଙ୍କ ପ୍ରତିଷ୍ଠିତ ଏକ ସମ୍ପ୍ରଦାୟ ଶ୍ରୀସମ୍ପ୍ରଦାୟର ଉପାସ୍ୟ ଦେବୀ ଦେବତା ହେଉଛନ୍ତି ଲକ୍ଷ୍ମୀ ନାରାୟଣ। ଦଧିନଉତି ରେ ଶୋଭିତ ଚିତା ହେଉଛି ରାମାନୁଜୀ ଚିତା।ମହାଭାରତ ଅନୁଶାସନ ପର୍ବ ଅନୁସାରେ ଶାନ୍ତ ସ୍ଵଭାବ ଗାଈମାନଙ୍କୁ ମା ଲକ୍ଷ୍ମୀ ବର ଦେଇଥିଲେ। ଗାଈମାନଙ୍କର ଗୋବର ପବିତ୍ର ଓ ସମୃଦ୍ଧିବନ୍ତ। ଯେଉଁ ସ୍ଥାନ ଗୋବରରେ ଲିପା ପୋଛା ହୋଇଥାଏ, ତାହା ଶୁଚିବନ୍ତ, ସେଠାରେ ମହାଲକ୍ଷ୍ମୀ ଆଗ୍ରହ ପ୍ରକାଶ କରନ୍ତି । ଶ୍ରୀୟାର ପରିସ୍କାର ପରିଚ୍ଛନ୍ନତା ଓ ଶୁଚିମନ୍ତ ଆଚରଣ ଯୋଗୁଁ ସେ ମହାଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବାକୁ ସକ୍ଷମ ହୋଇଥିଲେ।

ଶାରଦା ତିଳକ ର ଧ୍ଯାନ ଶ୍ଳୋକ ଅତ୍ୟନ୍ତ ମନୋମୁଗ୍ଧକର।

କାନ୍ତ୍ଯା କାଞ୍ଚନସନ୍ନିଭାଂ ହିମଗିରି ପ୍ରଖ୍ଯୈ ଶ୍ଚତୁର୍ଭିର୍ଗଜୈ।

ହସ୍ତୋତକ୍ଷିପ୍ତ ହିରଣ୍ମୟାମୃତ ଘଟୈ ରାସିଚ୍ଯମାନାଂଶ୍ରିୟମ୍।।

ବିଭ୍ରାଣାଂ ବରମବଜଯୁଗ୍ମମଭୟାଂ ହସ୍ତୈଃ କିରୀଟୋଜ୍ଜ୍ଵଳାଂ।

କ୍ଷୋମାବଦ୍ଧ ନିତମ୍ବବିମ୍ବ ଲଳିତାଂ ବନ୍ଦେଽରବିନ୍ଦସ୍ଥିତାମ୍।।