ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: ବସନ୍ତ ପଞ୍ଚମୀରେ ଭୋଜଶାଳାରେ ହେବ ପୂଜା ଓ ନମାଜ ପାଠ
ମଧ୍ୟପ୍ରଦେଶର ଧାର ଜିଲ୍ଲାରେ ଅବସ୍ଥିତ ଐତିହାସିକ ଭୋଜଶାଳାକୁ ନେଇ ଚାଲିଥିବା ବିବାଦର ଏକ ଆବେଦନର ଶୁଣାଣି କରି, ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି। ବସନ୍ତ ପଞ୍ଚମୀ ଓ ଶୁକ୍ରବାର ନମାଜ ପାଠ ଗୋଟିଏ ଦିନରେ ପଡୁଥିବାରୁ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ବସନ୍ତ ପଞ୍ଚମୀ ପୂଜା ଓ ଶୁକ୍ରବାର ନମାଜ ପାଠ ଉଭୟ ଭୋଜଶାଳାରେ ଅନୁଷ୍ଠିତ ହେବ।କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଅପରାହ୍ନ ୧ଟାରୁ ୩ଟା ମଧ୍ୟରେ ନମାଜ ପାଠ କରାଯିବ। ମନ୍ଦିର ପରିସରରେ ନମାଜ ପାଇଁ ଏକ ପୃଥକ ସ୍ଥାନ ନିରୂପଣ କରାଯିବ। ପୂଜା ଓ ନମାଜ ପାଠ କରୁଥିବା ଲୋକଙ୍କ ପାଇଁ ସ୍ୱତନ୍ତ୍ର ପାସ୍ ପ୍ରଦାନ କରାଯିବ। ବସନ୍ତ ପଞ୍ଚମୀ ପୂଜା ପାଇଁ ମଧ୍ୟ ଏକ ପୃଥକ ସ୍ଥାନ ନିରୂପଣ କରାଯିବ। ତେବେ ପୂଜା ପାଇଁ କୌଣସି ସମୟ ସୀମା ରହିବ ନାହିଁ।ଶୁଣାଣି ସମୟରେ, ସିଜେଆଇ ସୂର୍ୟ୍ୟକାନ୍ତ କହିଥିଲେ ଯେ, ଉଭୟ ସମ୍ପ୍ରଦାୟକୁ ପ୍ରାର୍ଥନା କରିବାକୁ ଅନୁମତି ଦିଆଯାଇପାରିବ। କିନ୍ତୁ ଆଇନ ଶୃଙ୍ଖଳା ବଜାୟ ରଖିବା ଜରୁରୀ। ସେ ପଚାରିଥିଲେ ଯେ, ଏଥିପାଇଁ କ’ଣ ବ୍ୟବସ୍ଥା କରାଯାଇଛି। ମଧ୍ୟପ୍ରଦେଶ ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ (ଏଏସ୍ଜି) କୋର୍ଟଙ୍କୁ ଆଶ୍ୱାସନା ଦେଇଥିଲେ, କୌଣସି ଆଇନ ଶୃଙ୍ଖଳା ସମସ୍ୟା ସୃଷ୍ଟି ହେବାକୁ ଦିଆଯିବ ନାହିଁ। ହିନ୍ଦୁ ପକ୍ଷ ଅନୁରୋଧ କରିଥିଲେ, ସନ୍ଧ୍ୟା ୫ଟା ପରେ ନମାଜ ପାଠ କରାଯାଉ। ସେ ପର୍ୟ୍ୟନ୍ତ ହିନ୍ଦୁମାନଙ୍କୁ ପୂଜା କରିବାକୁ ଅନୁମତି ଦିଆଯାଉ। ମୁଖ୍ୟ ବିଚାରପତି ଟିପ୍ପଣୀ ଦେଇଥିଲେ, ହିନ୍ଦୁମାନେ ଅପରାହ୍ନ ୧ଟା ପର୍ୟ୍ୟନ୍ତ କାହିଁକି ପୂଜା କରିପାରିବେ ନାହିଁ? ଦିନ ୧ଟାରୁ ୩ଟା ପର୍ୟ୍ୟନ୍ତ ନମାଜ ପାଠ କରାଯିବ। ଏହା ପରେ ବସନ୍ତ ପଞ୍ଚମୀ ପୂଜା ଜାରି ରହିପାରିବ ବୋଲି ଖଣ୍ଡପୀଠ କହିଛନ୍ତି।
