ସୁପ୍ରିମକୋର୍ଟ ହ୍ୱାଟସ ଆପ୍ ଏବଂ ଏହାର ମୂଳ କମ୍ପାନୀ ମେଟାକୁ କଡା ଚେତାବନୀ
ପ୍ରିମକୋର୍ଟ ହ୍ୱାଟସ ଆପ୍ ଏବଂ ଏହାର ମୂଳ କମ୍ପାନୀ ମେଟାକୁ କଡା ଚେତାବନୀ ଦେଇ କହିଛନ୍ତି ଯେ ତଥ୍ୟ ସେୟାରିଂ ବାହାନାରେ ନାଗରିକଙ୍କ ଗୋପନୀୟତାର ଅଧିକାରକୁ କ୍ଷୁର୍ଣ୍ଣ କରାଯାଇପାରିବ ନାହିଁ। ମଙ୍ଗଳବାର ସୁପ୍ରିମକୋର୍ଟରେ ହ୍ୱାଟସଆପ୍ର ୨୦୨୧ ଗୋପନୀୟତା ନୀତି ଉପରେ ଏକ ଶୁଣାଣି ହୋଇଥିଲା। ଆରମ୍ଭରେ, କେନ୍ଦ୍ର ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେତା ଯୁକ୍ତି ଦେଇଥିଲେ ଯେ ହ୍ୱାଟ୍ସଆପର ଗୋପନୀୟତା ନୀତି “ଶୋଷଣକାରୀ” କାରଣ ଏହା କେବଳ ବ୍ୟବହାରକାରୀଙ୍କ ତଥ୍ୟ ସେୟାର କରେ ନାହିଁ ବରଂ ଏହାକୁ ବାଣିଜ୍ୟିକ ଉଦ୍ଦେଶ୍ୟରେ ମଧ୍ୟ ବ୍ୟବହାର କରେ।ମୁଖ୍ୟ ବିଚାରପତି (CJI) ସୂର୍ଯ୍ୟକାନ୍ତ ତୀବ୍ର ପ୍ରତିକ୍ରିୟା ଦେଇ କହିଛନ୍ତି, “ଯଦି ଆପଣ ଆମର ସମ୍ବିଧାନକୁ ପାଳନ କରିପାରିବେ ନାହିଁ, ତେବେ ଭାରତ ଛାଡିଦିଅନ୍ତୁ । ଆମେ କୌଣସି ନାଗରିକଙ୍କ ଗୋପନୀୟତାକୁ ବିପଦରେ ପକାଇବାକୁ ଦେବୁ ନାହିଁ।” ସିଜେଆଇ ହ୍ୱାଟସଆପର ଗୋପନୀୟତା ନୀତିକୁ ଏକ ଅତି ଚତୁରତାର ସହିତ ପ୍ରସ୍ତୁତ ଡକ୍ୟୁମେଣ୍ଟ ଭାବରେ ବର୍ଣ୍ଣନା କରିଥିଲେ। ତେବେ ସାଧାରଣ ଲୋକମାନେ ସେଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ବୁଝିପାରିବେ ନାହିଁ। ଅସମାନ ଚୁକ୍ତିନାମା ସମ୍ବନ୍ଧୀୟ ପରିସ୍ଥିତିରେ ପ୍ରଯୁକ୍ତିବିଦ୍ୟା କମ୍ପାନୀଗୁଡ଼ିକୁ ଗ୍ରାହକଙ୍କ ତଥ୍ୟ ସେୟାର କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ।ହ୍ୱାଟସଆପର ଓକିଲ କୋର୍ଟକୁ କହିଥିଲେ ଯେ କମ୍ପାନୀ ଏହାର ଗୋପନୀୟତା ନୀତିକୁ ଅନ୍ୟ ଦେଶ ସହିତ ସମାନ କରିଛି। ଏହା ସତ୍ତ୍ୱେ, ସୁପ୍ରିମକୋର୍ଟ ସମସ୍ତ ପକ୍ଷଙ୍କୁ ନୋଟିସ୍ ଜାରି କରିଥିଲେ ଏବଂ ମାମଲାର ଶୁଣାଣି ତିନି ଜଣିଆ ଖଣ୍ଡପୀଠ ସମ୍ମୁଖରେ ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଥିଲେ।
