ସୁପ୍ରିମ୍କୋର୍ଟଙ୍କ ତୀବ୍ର ସମାଲୋଚନା ପରେ NCERT ବହିରୁ ହଟିବ ବିବାଦୀୟ ଅଧ୍ୟାୟ
ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ ପରେ ଏନସିଇଆରଟିର ୟୁ ଟର୍ଣ୍ଣ । ସୁପ୍ରିମ୍କୋର୍ଟଙ୍କ ତୀବ୍ର ସମାଲୋଚନା ପରେ କ୍ଷମା ମାଗିଛି ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ(ଏନସିଆରଟି) । ବିବାଦୀୟ ବିଷୟ ‘ନ୍ୟାୟପାଳିକା ଦୁର୍ନୀତି’ ବିଷୟକୁ ନେଇ କ୍ଷମା ପ୍ରାର୍ଥନା କରିଛି ଏନସିଆରଟି । ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକରେ ଅନୁଚିତ ବିଷୟବସ୍ତୁ ଅନ୍ତର୍ଭୁକ୍ତ କରିବା ପାଇଁ କ୍ଷମା ପ୍ରାର୍ଥନା କରିଛି। ସମ୍ପୂର୍ଣ୍ଣ ଅଜାଣତରେ ଏଭଳି ଭୁଲ ହୋଇଥିବା ବୋଲି ବର୍ଣ୍ଣନା କରିଛି ଏନସିଆରଟି । ସୂଚନାମୁତାବକ ବୁଧବାର ଏନସିଇଆରଟିର ଅଷ୍ଟମ ଶ୍ରେଣୀ ବହିର କିଛି ଚାପ୍ଟରକୁ ନେଇ ବିବାଦ ବଢିଥିଲା । ଏଥିରେ କୋର୍ଟରେ କେତେ ମାମଲା ବିଚାରାଧୀନ ଅଛି ଏବଂ ନ୍ୟାୟପାଳିକାରେ ଦୁର୍ନୀତିର ସମସ୍ୟା କିପରି ବ୍ୟାପି ଚାଲିଛି ସେନଇ ଉଲ୍ଲେଖ ରହିଛି । NCERT ଦ୍ୱାରା ନାଗରିକ ବିଜ୍ଞାନ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ଅଧ୍ୟାୟରେ ଏହି ଜିନିଷଗୁଡ଼ିକ ନ୍ୟାୟପାଳିକା ଉପରେ ଉଲ୍ଲେଖ କରାଯାଇଛି । ଏହି ମାମଲାରେ ସୁପ୍ରିମକୋର୍ଟ କଡ଼ା ଟିପ୍ପଣୀ ରଖିଥିଲେ । ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଥିଲେ, କୌଣସି ବି ସଂସ୍ଥାକୁ ବଦନାମ କରିବା ପାଇଁ ଅନୁମତି ଦିଆଯିବ ନାହିଁ ।ତେବେ ବିବାଦୀୟ ଅଧ୍ୟାୟଟି ଏବେ ଯଥୋଚିତ କର୍ତ୍ତୃପକ୍ଷମାନଙ୍କ ସହିତ ପରାମର୍ଶ କରି ପୁନର୍ଲିଖନ କରାଯିବ ଏବଂ ୨୦୨୬-୨୭ ଶିକ୍ଷାବର୍ଷରୁ ଛାତ୍ରମାନଙ୍କ ପାଇଁ ପୁନଃପ୍ରକାଶିତ ହେବ ବୋଲି ଏନସିଆରଟି କହିଛି ।
